ଛତିଶଗଡ଼ ସୀମାନ୍ତରେ ଗୁଳି ବିନିମୟ : ୪ ନକ୍ସଲ ମୃତ, ଜଣେ ସବ୍‌ଇନ୍ସପେକ୍ଟର ସହିଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଠାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଚାରି ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ସବଇନ୍ସପେକ୍ଟର ସହିଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ନକ୍ସଲ ଥିବା ଜଣାପଡ଼ିଛି।

ଗତକାଲି ରାତିରେ ରାଜନନ୍ଦଗାଓଁ ଜିଲ୍ଲାର ମାନପୁର ଥାନା ଅନ୍ତର୍ଗତ ପରଦୋଲି ଗାଁ ନିକଟକୁ ୮ରୁ ଊର୍ଦ୍ଧ୍ବ ନକ୍ସଲ ଆସିଥିବା ଖବର ପାଇ ତୁରନ୍ତ ମାନପୁର ଥାନା ଇନଚାର୍ଜ ଶ୍ୟାମ କିଶୋର ଶର୍ମାଙ୍କ ନେତୃତ୍ବରେ ୨୮ ଜଣ ଯବାନ ଜଙ୍ଗଲରେ ପଶିଥିଲେ। କ୍ୟାମ୍ପ ନିକଟରେ ଯବାନ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ନକ୍ସଲ ଜଙ୍ଗଲ ଭିତରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଘେରି ଯାଇଥିଲେ ଯବାନ। ଯବାନଙ୍କ ଗୁଳିରେ ୪ ଜଣ ନକ୍ସଲ ପ୍ରାଣ ହରାଇଥିବାବେଳେ ନକ୍ସଲଙ୍କ ଗୁଳିରେ ସହିଦ ହୋଇ ଯାଇଥିଲେ ସବଇନ୍ସପେକ୍ଟର ଶ୍ୟାମ କିଶୋର ଶର୍ମା। ମୃତ ନକ୍ସଲଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅଶୋକ, କ୍ରିଷ୍ଣା, ସବିତା ଏବଂ ପ୍ରମିଳା। ଏମାନଙ୍କ ନାମରେ ସରକାର ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆଉ କିଛି ନକ୍ସଲ ଜଙ୍ଗଲ ମଧ୍ୟକୁ ଚାଲିଯିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ଚାରିଟି ବନ୍ଧୁକ ଜବତ କରିଛି ଛତିଶଗଡ଼ ପୁଲିସ।

ମୃତ ନକ୍ସଲମାନେ ଦନ୍ତେଵାଡ଼ା ଠାରୁ ଆରମ୍ଭ କରି ବସ୍ତର ପର୍ଯ୍ୟନ୍ତ ନିଜର ଦବଦବା ଜାହିର କରୁଥିଲେ। ଏହି ସ୍ଥାନରେ ହିଁ ଗତ ୨୦୧୨ ମସିହାରେ ଜଣେ ଏସପିଙ୍କ ସହ ୨୮ ଜଣ ଯବାନଙ୍କୁ ହତ୍ୟା କରିଥିଲେ। ଆଜି ସହିଦ ସବଇନ୍ସପେକ୍ଟର ସ୍ବର୍ଗତ ଶର୍ମାଙ୍କ ମୃତଦେହ ତାଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର