କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପ୍ଲାଜମା ଦାନ କଲେ ୪ ଏନଡିଆରଏଫ୍ ଯବାନ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଜମା ଥେରାପିର ପ୍ରୟୋଗ ଅନେକାଂଶରେ ସଫଳ ହୋଇଛି। ଯେଉଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରାଯାଇଥିଲା ସେମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏଭଳି କ୍ଷେତ୍ରରେ କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଏନଡିଆରଏଫର ୪ ଜଣ ଯବାନ କଟକ ବଡ ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି । ବାତ୍ୟା ସମୟରେ ପଶ୍ଚିମବଙ୍ଗ ଯାଇ ଏହି ଯବାନ କରୋନା ଆକ୍ରାନ୍ତ ହୋଇଥିଲେ।

ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ଏହି ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ଖୁବଶୀଘ୍ର ଘରୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବାକୁ ଯାଉଛନ୍ତି । ସେମାନଙ୍କ ପାଇଁ ଆଉ ଅକ୍ସିଜେନ ସପୋର୍ଟର ଆବଶ୍ୟକତା ମଧ୍ୟ ପଡୁନାହିଁ । ଅନ୍ୟ ଦୁଇଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଖୁବଶୀଘ୍ର ସେମାନେ ବିପଦମୁକ୍ତ ହେବେ ବୋଲି ଆଶା କରାଯାଉଛି । ୪ ଜଣଙ୍କଠାରୁ ୮ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିଲା । ଏହି ପ୍ଲାଜମାକୁ ସମ୍‌ ହସ୍ପିଟାଲର ୪ଜଣ ରୋଗୀ ଓ ଅଶ୍ୱିନୀର ୨ଜଣ ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥିଲା । ଓଡ଼ିଶା ସମେତ ଦେଶର କିଛି ହାତ ଗଣତି ରାଜ୍ୟରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି।

ଏପଟେ କରୋନାକୁ ସୁନ୍ଦରଗଡରେ ୩୪ ଜଣ ପୁଲିସ କର୍ମଚାରୀ ମାତ ଦେଇଥିବା ଟୁଇଟ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ । ଗତକାଲି ସମସ୍ତ ୩୪ଜଣ କରୋନା ଯୋଦ୍ଧାଙ୍କୁ ସୁନ୍ଦରଗଡ ଏନଟିପିସି କୋଭିଡ କେୟାର ସେଣ୍ଟରରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମୟରେ ସୁନ୍ଦରଗଡ ଉପଜିଲ୍ଲାପାଳ, ସଦର ବିଡିଓ କରୋନା ଯୋଦ୍ଧାଙ୍କୁ ଫୁଲ ଓ ଚକଲେଟ ଦେଇ ବିଦାୟ ଦେଇଥିଲେ । ସୁନ୍ଦରଗଡରେ ଦୁଇଜଣ ଡିଏସପି, ଜଣେ ଇନସ୍ପେଟରଙ୍କ ସମେତ ୪୧ଜଣ ପୁଲିସ କର୍ମଚାରୀ ପଜିଟିଭ ବାହାରିଛନ୍ତି ।

ସମ୍ବନ୍ଧିତ ଖବର