ଓଡ଼ିଶାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ, ୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଜି ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ୪ ଜଣଙ୍କୁ ମିଶାଇ କରୋନା ପଜିଟିଭଙ୍କ ସଂଖ୍ୟା ୮୭ରେ ପହଂଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇସାରିଛନ୍ତି | ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାର ଜଣାପଡିଛି | ଆଜି ଚିହ୍ନଟ ହୋଇଥିବା ୪ ଜଣ ଯାଜପୁର ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଜିଲ୍ଲାୱାରୀ ମାନଚିତ୍ରରୁ ସୂଚନା ମିଳିଛି। ଏହି ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣ ମହିଳା ଥିବାବେଳେ ଜଣେ ଯୁବକ ଥିବାର ଜଣାପଡିଛି | ପଶ୍ଚିମବଙ୍ଗ ଫେରନ୍ତା ଜଣେ ପଜିଟିଭଙ୍କର ଏମାନେ ସମ୍ପର୍କୀୟ ବୋଲି ଜଣାପଡିଛି | ତିନି ଜଣ ମହିଳାଙ୍କ ବୟସ ୪୮ ବର୍ଷ, ୭୦ ବର୍ଷ ଓ ୮୦ ବର୍ଷ ବୋଲି ଜଣାପଡିଛି | ସେହିପରି ଯୁବକଙ୍କ ବୟସ ୨୧ ବର୍ଷ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଏଠାରେ ସୂଚନା ଥାଉ କି ଏହି ୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଂଚିଥିବାବେଳେ ଏଯାବତ୍ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଯାଜପୁରରେ ୧୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି | ଏହା ପୂର୍ବରୁ ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଥିଲା । ସେ ଭୁବନେଶ୍ବରର ବୋଲି ଜଣାଯାଇଛି। ଫଳରେ ରାଜ୍ୟରେ ସୁସ୍ଥ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି।


ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଥିଲା । ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଏବେ ସୁଦ୍ଧା ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.