ଏନ୍‌ଏମ୍‌ସି ଭୟ: ଭିମ୍‌ସାରକୁ ଆସିଲେ ୪ ନୂଆ ଡାକ୍ତର

ସମ୍ବଲପୁର: ରାଜ୍ୟ ସରକାର ଭିମ୍‌ସାରକୁ ଜାତୀୟ ମେଡିକାଲ ଆୟୋଗ(ଏନ୍‌ଏମ୍‌ସି)ଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ଅସ୍ଥାୟୀ ଭାବେ ଖାଲି ପଦରେ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନେଇଛନ୍ତି। ଏକ ସଂଗରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ଭିମ୍‌ସାରକୁ ଜଣେ ପ୍ରଫେସର ଆଉ ୩ ଜଣ ଆସୋସିଏଟ୍ ପ୍ରଫେସରଙ୍କୁ ବଦଳି କରିଛନ୍ତି। ଏହା ପଛରେ ପିଜି ସିଟ୍ କଟିବା ଭୟ ରହିଥିବା କହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୯୬୧୮/୩୦.୦୪.୨୦୨୨ରେ ପ୍ରକାଶିତ ବିଜ୍ଞପ୍ତି ଅନୁସା‌ରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ୪ ଜଣ ଡାକ୍ତରଙ୍କୁ ବୁର୍ଲା ଭିମ୍‌ସାରକୁ ପଠାଯାଇଛି। କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ପଲ୍‌ମନାରି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ, ଡେର୍ମାଟୋଲୋଜି ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ସ୍ବପ୍ନା ଜେନା, କଟକ ଏସ୍‌ଭିପିପିଜିଆଇପିର ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର  ମଂଗଳ ଚରଣ ମୁର୍ମୁ ଏବଂ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆସୋସିଏଟ୍‌ ପ୍ରଫେସର ଡାକ୍ତର ରଶ୍ମିତା ପାଢ଼ୀଙ୍କୁ ବୁର୍ଲା ଭିମ୍‌ସାରକୁ ପଠାଯାଇଛି।

ଆଦେଶରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ୪ ଜଣ ଡାକ୍ତରଙ୍କୁ ଭିମ୍‌ସାରରେ କାମ କରିବାକୁ କହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କିଛି ମାସ ତଳେ ଭିମ୍‌ସାରରେ ଭିମ୍‌ସାରର ପଲ୍‌ନାରି ବିଭାଗରେ କାର୍ଯ୍ୟରତ ପ୍ରଫେସର ପ୍ରଭାତି ଦତ୍ତ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଆଉ ନୂଆ ନିଯୁକ୍ତି ହୋଇପାରି ନାହିଁ। ଅପରପକ୍ଷରେ ଅନ୍ୟ ସବୁ ବିଭାଗରେ ବି ଆସୋସିଏଟ୍‌ ପ୍ରଫେସର ପଦ ଖାଲି ପଡ଼ିଛି। ଆଗାମୀ ଦିନରେ ଭିମ୍‌ସାରକୁ ଏନ୍‌ଏମ୍‌ସି ଟିମ୍ ପରିଦର୍ଶନରେ ଆସିବାର ଅଛି। ସ୍ବୀକୃତିପ୍ରାପ୍ତ ପଦ ଅନୁଯାୟୀ ଡାକ୍ତର ପଦ ଖାଲି ରହିଥିଲେ କିମ୍ବା ଅନ୍ୟ ଭିତ୍ତିଭୂମି ନଥିଲେ ପିଜି ସିଟ୍ କଟିଯିବାର ଆଶଙ୍କା ରହିଥାଏ।  ଏନ୍‌ଏମ୍‌ସି ଟିମ୍‌କୁ ଭିମ୍‌ସାରରେ ସବୁକିଛି ଠିକ୍ ରହିଥିବା ଦେଖାଇବା ନିମ‌ନ୍ତେ ଏହି ୪ ଜଣ ଡାକ୍ତରଙ୍କୁ କଟକ ଓ ବ୍ରହ୍ମପୁରରୁ ବୁର୍ଲାକୁ ପଠାଯାଇଥିବା କହାଯାଇଛି।

ରାଜ୍ୟ ସରକାର ଓଡ଼ିଶାର ଅନ୍ୟ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡ଼ିକ ନିମନ୍ତେ ଡାକ୍ତର ନିଯୁକ୍ତି ଦେଇଥାନ୍ତି। କିନ୍ତୁ, ଭିମ୍‌ସାର କର୍ତ୍ତୃପକ୍ଷ ନିଜ ଖାଲି ପଦପୂରଣ କରିବା ନିମନ୍ତେ ନି‌ଜେ ସ୍ବତନ୍ତ୍ର ଭାବେ ଡାକ୍ତର ନିଯୁକ୍ତି କରିଥାନ୍ତି। ଡାକ୍ତର ନିଯୁକ୍ତି ନେଇ ଭିମ୍‌ସାରର ଏକ କ୍ୟାଡର ବି ରହିଛି। ବିଗତ ଦିନ‌ରେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଖାଲି ପଦରେ ନିଯୁକ୍ତି ହୋଇପାରି ନାହିଁ। ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହେବା ପରେ ତ୍ବରିତ ପଦକ୍ଷେପ  ନେବା ସହିତ ବୁର୍ଲାରେ ଅସ୍ଥାୟୀ ଭାବେ ଆଜି ଡାକ୍ତର ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର