ଭୁବନେଶ୍ବର: ପାର୍ବଣ ସମୟରେ ଖୁସି ଖବର। ଦକ୍ଷିଣ-ପୂର୍ବ ରେଳପଥ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୪ଟି ନୂତନ ଟ୍ରେନ୍‌ ଦିଆଯାଇଛି। ଯେଉଁଥିରେ ଟାଟାଠାରୁ ରାଇରଙ୍ଗପୁର/ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ରହିଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର(ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼(ସାପ୍ତାହିକ), ରାଉରକେଲା-ଟାଟାନଗର-ରାଉରକେଲା(ସପ୍ତାହରେ ୬ ଦିନ) ଓ ଟାଟାନଗର-ବାଦାମପାହାଡ଼-ଟାଟାନଗର(ସପ୍ତାହରେ ୬ ଦିନ) ଚାଲିବ। ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ। ଆଶାୟୀ ଜିଲ୍ଲାଗୁଡ଼ିକୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ। ଖୁବଶୀଘ୍ର ଏହି ଟ୍ରେନ୍‌ଗୁଡ଼ିକ ପ୍ରଚଳିତ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଶାଲିମାର-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ପ୍ରତି ଶନିବାର ରାତି ୧୧ଟା ୫ରେ ଶାଲିମାର ଛାଡ଼ି ପରଦିନ ଭୋର ୫ଟା ୪୦ରେ ବାଦାମପାହାଡ଼ରେ ପହଞ୍ଚିବ। ଫେରିବା ମାର୍ଗରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସ ପ୍ରତି ରବିବାର ରାତି ୯ଟା ୩୦ରେ ବାଦାମପାହାଡ଼ରୁ ବାହାରି ପରଦିନ ଭୋର ୫ଟାରେ ଶାଲିମାରରେ ପହଞ୍ଚିବ। ଶାଲିମାର ଓ ବାଦାମପାହାଡ଼ ମଧ୍ୟରେ ସାନ୍ତ୍ରାଗାଛି, ଖଡଗ୍‌ପୁର, ଝାରଗ୍ରାମ, ଘାଟଶିଳା, ଅସନବଣି, ଟାଟାନଗର, ବହଳଦା ରୋଡ୍, ଅଁଳାଜୋରି ଓ ରାଇରଙ୍ଗପୁର ଷ୍ଟେସନଠାରେ ଏହି ଟ୍ରେନ୍‌ ରହଣି କରିବ। ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ପ୍ରତି ରବିବାର ସକାଳ ୬ଟା ୧୦ରେ ବାଦାମପାହାଡ଼ରୁ ବାହାରି ସେହିଦିନ ପୂର୍ବାହ୍ନ ୧୧ଟା ୪୦ରେ ରାଉରକେଲାରେ ପହଞ୍ଚିବ। ଫେରିବା ମାର୍ଗରେ ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ଅପରାହ୍ନ ୨ଟା ୨୦ରେ ରାଉରକେଲା ଛାଡ଼ି ସନ୍ଧ୍ୟା ୭ଟା ୨୫ରେ ବାଦାମପାହାଡ଼ରେ ପହଞ୍ଚିବ। ଏହି ଟ୍ରେନ୍ ରାଇରଙ୍ଗପୁର, ଅଁଳାଜୋରି, ବହଳଦା ରୋଡ୍, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଇଲକେରା ଓ ମନୋହରପୁରରେ ଷ୍ଟେସନରେ ରହିବ।

ରାଉରକେଲା-ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଭୋର ୪ଟା ୫୦ରେ ରାଉରକେଲା ଛାଡ଼ି ସେହିଦିନ ପୂର୍ବାହ୍ନ ୯ଟା ୧୫ରେ ଟାଟାନଗରରେ ପହଞ୍ଚିବ। ଫେରିବା ବାଟରେ ଟାଟାନଗର-ରାଉରକେଲା ଏକ୍ସପ୍ରେସ ଅପରାହ୍ନ ୩ଟା ୨୫ରେ ଟାଟାନଗର ଛାଡି ସନ୍ଧ୍ୟା ୭ଟା ୩୫ରେ ରାଉରକେଲାରେ ପହଞ୍ଚିବ। ଏହି ଟ୍ରେନ ବିସ୍ରା, ମନୋହରପୁର, ଚକ୍ରଧରପୁର, ସିନି ଓ ଆଦିତ୍ୟପୁର ଷ୍ଟେସନରେ ରହିବ। ଟାଟାନଗର-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ ୯ଟା ୫୫ରେ ଟାଟାନଗର ଛାଡି ମଧ୍ୟାହ୍ନ ୧୨ଟା ୧୫ରେ ପହଞ୍ଚିବ। ବାଦାମପାହାଡ଼-ଟାଟାନଗର ଏକ୍ସପ୍ରେସ ଅପରାହ୍ନ ୧୨ଟା ୪୫ରେ ବାଦାମପାହାଡ଼ ଛାଡିବ ଏବଂ ସେହି ଦିନ ଅପରାହ୍ନ ୩ଟା ୨୦ରେ ଟାଟାନଗରରେ ପହଞ୍ଚିବ। ଏହି ଟ୍ରେନ୍ ହଲୁଦପୁଖୁର, ଅଁଳାଜୋରି, ରାଇରଙ୍ଗପୁର, କୁଲଡିହା ଓ ଛାନଭା ଷ୍ଟେସନରେ ରହଣି କରିବ।