ଭୁବନେଶ୍ବର: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ୱେବସାଇଟରୁ ଏହି ତଥ୍ୟ ହସ୍ତଗତ ହୋଇଛି। ଏହାପରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନାକୁ ଟୁଇଟ୍ କରି ଜଣାଇ ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ଗୁରୁବାର ସକାଳେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଏପ୍ରିଲ ୯ ତାରିଖରେ ରାଜ୍ୟରେ ସମୁଦାୟ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚିତ କରାଯାଇଛି। ମାତ୍ର ବିଭାଗ ପକ୍ଷରୁ ଏହି ୪ ଜଣଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ।
#Covid19 Case #Odisha
9th April, 2020Total 6 new Cases on 9th April, 2020
Total Positive Cases so far: 48 pic.twitter.com/POhTdshaGP— I & PR Department, Odisha (@IPR_Odisha) April 9, 2020
ସୂଚନା ଅନୁସାରେ ଏପ୍ରିଲ ୯ ତାରିଖରେ ସମୁଦାୟ ୪୦୮ଟି ନମୁନା ପରୀକ୍ଷା ହୋଇଥିଲା। ସେଥି ମଧ୍ୟରୁ ୪୦୨ଟି ନେଗେଟିଭ୍ ଆସିଥିବା ବେଳେ ୬ଟି ପଜିଟିଭ୍ ଆସିଛି। ଏଯାବତ୍ ରାଜ୍ୟରେ ୩୨୪୯ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୪୮ଟି ପଜିଟିଭ୍ ଆସିଛି।
ଗୁରୁବାର ସକାଳେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ୨ ଜଣଙ୍କର ନମୁନା ପଜିଟିଭ ଆସିବା ସୂଚନା ଦିଆଯାଇଥିଲା। ଢ଼େଙ୍କାନାଳ ଟାଉନର ଜଣେ ୫୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିବା ବେଳେ ପଶ୍ଚିମବଙ୍ଗର ମେଦିନପୁରରୁ ଆସି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ।