ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ। ସବୁଠି ସଂଖ୍ୟା ଗରିଷ୍ଠତା ହାସଲ କରିଛି। କେବଳ ଅପେକ୍ଷା ଆନୁଷ୍ଠାନିକ ନିର୍ବାଚନ ପ୍ରକ୍ରିୟାକୁ। ମୋଟ୍ ୮୫୨ଟି ସିଟ୍‌ରୁ ୯୦% ଅର୍ଥାତ୍ ୭୬୬‌ଟି‌ରେ ବିଜେଡି ବିଜୟ ହାସଲ କରିଥିବା ବେଳେ ବିଜେପି ୫% ସିଟ୍‌ରେ ଅର୍ଥାତ୍ ୪୨ଟି ଏବଂ କଂଗ୍ରେସ ୪% ଅର୍ଥାତ୍ ୩୭ଟି ସିଟ୍ ହାତେଇଛି। ସ୍ବାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୭ଟି ସିଟ୍‌ରେ ବିଜୟୀ ହୋଇଛନ୍ତି। କେନ୍ଦୁଝରର ଜିଲ୍ଲା ଘଟଗାଁ ବ୍ଲକ ୮ନଂ ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିବାରୁ ଏଠାରେ ପରେ ନିର୍ବାଚନ ହେବ।

Advertisment

ଏଥର ନିର୍ବାଚନରେ ବିଜେଡି ସବୁ ଜିଲ୍ଲାରେ ଏକପାଖିଆ ପ୍ରଦର୍ଶନ କରିଛି। ବିଜେପି ନିର୍ବାଚନରେ କଂଗ୍ରେସ ତୁଳନାରେ ଭଲ ଫଳାଫଳ କରିଥିଲେ ବି କୌଣସି ଜିଲ୍ଲାରେ ବିଜେଡି ପାଖ ମାଡ଼ିନି। ଏପରିକି କଂଗ୍ରେସ ଭଳି କୌଣସି ଗୋଟିଏ ବି ଜିଲ୍ଲାରେ କଡ଼ା ମୁକାବିଲା ସ୍ଥିତି ସୃଷ୍ଟି କରିନି। ନିର୍ବାଚନ ଫଳାଫଳ କହୁଛି ଯେ ୪ଟି ଜିଲ୍ଲାରେ ଗଠନ ହେବାକୁ ଥିବା ଜିଲ୍ଲା ପରିଷଦରେ ଜଣେ ବି ବିରୋଧୀ ବସିବେନି। ସେଗୁଡ଼ିକ ହେଲା ଭଦ୍ରକ, ଦେବଗଡ଼, ଯାଜପୁର ଓ ଝାରସୁଗୁଡ଼ା। ଏହି ଜିଲ୍ଲାରେ ବିଜେଡି ପୂରା ମୂଳପୋଛ କରିଦେଇଛି। ସେହିପରି ଏଥର ବିଜେପି ୧୦ଟି ଜିଲ୍ଲା ଓ କଂଗ୍ରେସ ୧୮ଟି ଜିଲ୍ଲାରେ ଖାତା ଖୋଲିନି।

ବିଜେଡି ଗଣତିର ପ୍ରଥମ ଦିନରୁ ଅର୍ଥାତ୍ ୨୬ ତାରିଖରୁ ଦେଖିଲେ ୮୯% ଲେଖାଏଁ ସିଟ୍‌ରେ ବିଜୟ ହାସଲ କରିଆସୁଥିଲା। ତିନି ଦିନ ପରେ ଯେତେବେଳେ ସମୁଦାୟ ଗଣତି ଶେଷ ହୋଇଛି, ସେତେବେଳେ ଏହି ସଂଖ୍ୟା ୯୦ ପ୍ରତିଶତକୁ ଛୁଇଁଛି। ଏଥରର ଗଣତିରୁ ଗୋଟିଏ କଥା ପଦାକୁ ଆସିଛି ଯେ, ବିଜେଡି ସାରା ରାଜ୍ୟରେ ଗୋଟିଏ ଧାରାରେ ଆଗେଇଛି। ବିଜେପି ଓ କଂଗ୍ରେସ ବି ଯେଉଁ ୫% ଓ ୪% ସିଟ୍ ପାଇଛନ୍ତି ସେହି ଧାରା ପ୍ରଥମ ଦିନରୁ ଜାରି ରହିଥିଲା। ଚଳିତ ନିର୍ବାଚନରେ ମୋଟ୍‌ ୨କୋଟି ୧୦ଲକ୍ଷ ୨୮ହଜାର ୪୦୩ଜଣ ଭାଲିଡ୍‌ ଭୋଟ୍‌ ପଡ଼ିଥିଲା। ସେ ମଧ୍ୟରୁ ବିଜେଡି ଅଧାରୁ ଅଧିକ ଭୋଟ୍‌ ୧କୋଟି ୧୦ଲକ୍ଷ ୮୯ହଜାର ୭୧୨ଟି (୫୨.୭୩%) ହାତେଇ ନେଇଛି। ବି‌େଜପି ୬୩ଲକ୍ଷ ୨୩ହଜାର ୭୪୬ଟି (୩୦.୦୭%) ଏବଂ କଂଗ୍ରେସ ୨୮ଲକ୍ଷ ୫୪ହଜାର ୩୯୮ଟି ଭୋଟ୍(୧୩.୫୭%) ଭୋଟ୍‌ ପାଇଛି। ସ୍ବାଧୀନ ପ୍ରାର୍ଥୀଙ୍କୁ ୨ଲକ୍ଷ ୮୧ହଜାର ୨୧୩ଟି ଭୋଟ୍ (୧.୩୩%) ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କୁ ୪,୭୯,୩୩୪ଟି (୨.୨୭%) ଭୋଟ୍‌ ମିଳିଛି।

ଅପରପକ୍ଷେ ବିଜେଡି ପାଇଁ ଏବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ହାତେଇବା ବଡ଼ ଚାଲେଞ୍ଜ ହୋଇଛି। କେମିତି ରାଜ୍ୟର ୩୧୪ଟି ବ୍ଲକରେ ଅଧିକରୁ ଅଧିକ ଅଧ୍ୟକ୍ଷ ପଦବି ହାତେଇ‌ବ ସେନେଇ ଏବେ ଦଳର ବଡ଼ ନେତା ମୁଣ୍ଡ ଖେଳାଇଲେଣି। ଯେଉଁଠି ଅସନ୍ତୁଷ୍ଟମାନେ ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ମନାଇବାକୁ ଯଥା ସମ୍ଭବ ଉଦ୍ୟମ ଚାଲିଛି।
ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ସଭାପତି, ମାର୍ଚ୍ଚ ୨୩ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ମାର୍ଚ୍ଚ ୨୫ରେ ଜିଲ୍ଲା ପରିଷଦ ଉପସଭାପତି ପଦବି ପାଇଁ ପରୋକ୍ଷ ନିର୍ବାଚନ ହେବ।
କାର୍ଯ୍ୟସୂଚୀ
ସବିଶେଷ ବିବରଣୀ ତାରିଖ
ନାଏବ ସରପଞ୍ଚ ନିର୍ବାଚନ ମାର୍ଚ୍ଚ ୧୧
ପଞ୍ଚାୟତ ସମିତି ଅଧ୍ୟକ୍ଷ ମାର୍ଚ୍ଚ ୧୨
ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ମାର୍ଚ୍ଚ ୧୩
ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୨୩
ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ ମାର୍ଚ୍ଚ ୨୫