ଓଡ଼ିଶାରୁ ଯାଇଥିବା କାର୍ ପଶ୍ଚିମବଙ୍ଗରେ ଦୁର୍ଘଟଣାଗ୍ରସ୍ତ : ୪ ଓଡ଼ିଆ ମୃତ, ଜଣେ ଗୁରୁତର

ଭଦ୍ରକ : ପଶ୍ଚିମବଙ୍ଗର ହାଓଡାଠାରେ ଆଜି ଭୋର୍‌ ସାଢେ ୫ଟା ବେଳେ ଓଡ଼ିଶାରୁ ଯାଇଥିବା ଏକ ଇନୋଭା କାର୍‌ ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେବା ଫଳରେ ଇନୋଭା କାରରେ ଥିବା ୪ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ହୋଇ ନିକଟସ୍ଥ ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁଶ ଗ୍ରାମର ଦିଗବିଜୟ ଦାଶ ଓରଫ ଦୀପୁ (୪୦), ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ମନୋଜ ମହାନ୍ତି, ଖୋର୍ଦ୍ଧାର ଦିଲ୍ଲୀପ ନାୟକ, ଭଂଜନଗରର ପି ତେ‌େଜଶ୍ବର ରାଓ ଓ ଭୁବନେଶ୍ବରର କ୍ରିଷ୍ଣା ରାଓ ଏକ ଇନୋଭା କାରରେ ଓଡ଼ିଶାରୁ କୋଲକାତା ଯାଉଥିଲେ। ତେବେ କୋଲାକାତାରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକିଥିବାବ‌େଳେ ୬ ନମ୍ବର ଜାତୀୟ ରାଜପଥର ହାଓଡା ନିକଟସ୍ଥ ଏକ ହୋଟେଲ ନିକଟରେ ଇନୋଭା କାର୍‌ଟି ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦିଗବିଜୟ ଦାଶ, ମନୋଜ ମହାନ୍ତି, ଦିଲ୍ଲୀପ ନାୟକ, ପି ତେ‌େଜଶ୍ବର ରାଓଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ରିଷ୍ଣା ରାଓ ଗୁରୁତର ଭାବେ ଆହତ ହୋଇଛନ୍ତି। କ୍ରିଷ୍ଣାଙ୍କୁ ନିକଟସ୍ଥ ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଖବର ପାଇ ହାଓଡା ଜିଲ୍ଲା ସାଙ୍କରାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ସେମାନଙ୍କ ଘର ଠିକଣାରେ ଯୋଗାଯୋଗ କରିଥିଲେ। ଦିଗବିଜୟଙ୍କ ମୃତ୍ୟୁ ନେଇ ହାଓଡା ଜିଲ୍ଲା ପୁଲିସ ଭଦ୍ରକ ଟାଉନ ଥାନାକୁ ଖବର ଦେଇଥିଲା। ଖବର ପାଇ ମୃତ ଦିଗବିଜୟଙ୍କ ପରିବାର ଲୋକ ସେଠାରେ ପହଞ୍ଚିଥିବା ବେଳେ ଅନ୍ୟ ମୃତକଙ୍କ ପରିବାର ଲୋକ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଏହି ଘଟଣାରେ ସେଠାକାର ପୁଲିସ ୭୭/୨୦୧୯ରେ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର