ଦାଦନ ଖଟିବାକୁ କେରଳ ଯାଇଥିଲେ ୪ ଓଡ଼ିଆ ଯୁବକ, ବିକ୍ରି ଅଭିଯୋଗ ଦଲାଲକୁ ଧରି ପୁଲିସ୍ ଜିମା ଦେଲେ ଗ୍ରାମବାସୀ

ରାୟଗଡ଼ା: ରାୟଗଡ଼ା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଦାଦନ ଖଟିବାକୁ ଯାଇଥିବା ୪ରୁ ଉର୍ଧ୍ବ ଯୁବକଙ୍କ ପତ୍ତା ମିଳୁନି। କାମଧନ୍ଧା ଯୋଗାଇବା ନାଁରେ ଦଲାଲ୍ ଯୁବକଙ୍କୁ ଡାକି ନେଇ କେରଳରେ ବିକ୍ରି କରି ଦେଉଥିବା ସନ୍ଦେହରେ ଗ୍ରାମବାସୀ ଦଲାଲକୁ ଧରି ପୁଲିସ୍ ଜିମା ଦେଇଛନ୍ତି। ରାୟଗଡ଼ା ପୁଲିସ୍ କେରଳର ଦଲାଲ୍ ଫ୍ରାନସିସକୁ ଅଟକ ରଖି ପଚରା ଉଚରା କରୁଛି।

ରାୟଗଡ଼ା ବ୍ଲକର କାରୁବାଇ, ମିରାବାଲି, ପିପିଳଗୁଡ଼ା ଅଞ୍ଚଳର ବହୁ ଯୁବକ/ଯୁବତୀ କେରଳକୁ ଦାଦନ ଖଟିବାକୁ ଯାଇଛନ୍ତି। ସମସ୍ତ ଯୁବକ, ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦଲାଲ୍ ଫ୍ରାନସିସ୍ ଡାକି ନେଉଥିବା ବେଳେ ବହୁ ଯୁବକ/ଯୁବତୀ କାର୍ଯ୍ୟସ୍ଥଳୀରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଏପରିକି ୨ ବର୍ଷ ହେଲା ଦାଦନ ଯାଇଥିବା କାରୁବାଇ ଗ୍ରାମର ୨ ଯୁବକଙ୍କୁ ମିଶାଇ ମୋଟ ୪ ଜଣଙ୍କୁ କୌଣସି ପତ୍ତା ମିଳୁନି। ପରିବାର ଲୋକ ସମସ୍ତ ଚେଷ୍ଟା କରିବା ପରେ ମଧ୍ୟ ନିଖୋଜ ଯୁବକମାନେ ଘରକୁ ଫେରୁନଥିବାରୁ ପରିବାର ଲୋକ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି। ନିଖୋଜ ଥିବା ଯୁବକଙ୍କ ପରିବାର ଲୋକଙ୍କୁ ଦଲାଲ୍ ଫ୍ରାନସିସ୍ ଧରାଛୁଆଁ ଦେଉନଥିବା ବେଳେ କାମ କରୁଥିବା କମ୍ପାନିରେ ମଧ୍ୟ ସେମାନଙ୍କ କୌଣସି ସୂଚନା ମିଳୁନି। ଏପରି ଗୋଟିଏ ପରେ ଗୋଟିଏ ଗାଁର ଯୁବକ, ଯୁବତୀ କେରଳକୁ କାମ କରିବାକୁ ଯାଇ ଆଉ ଘରକୁ ଫେରୁନଥିବାରୁ ଲୋକେ ଖୋଜାାଖୋଜି କରି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଦଲାଲ୍ ଫ୍ରାନସିସ୍ ୧୦ ବର୍ଷରୁ ଉର୍ଧ୍ବ ସମୟ ହେଲା ରାୟଗଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଯୁବକ, ଯୁବତୀଙ୍କୁ ଦାଦନ ଖଟାଇବାକୁ କେରଳ ଚାଲାଣ କରୁଛି। ନିଖୋଜ ଥିବା ଯୁବକଙ୍କ ପରିବାର ଫ୍ରାନସିସକୁ ଖୋଜୁଥିଲେ। ଆଜି ଫ୍ରାନସିସ୍ ରାୟଗଡ଼ା ଆସିଥିବା ଖବର ପାଇ କାରୁବାଇ, ମୀରାବାଲି ଗ୍ରାମବାସୀ ବହୁ ଖୋଜାଖୋଜି କରି ଫ୍ରାନସିସକୁ ଚେକାଗୁଡ଼ା ଛକରେ ଧରିଥିଲେ। ଫ୍ରାନସିସ୍ କାବୁ ହେବା ପରେ ଯୁବକଙ୍କ ସଂପର୍କରେ ପଚରା ଉଚରା କରିବା ପରେ କୌଣସି ସୂଚନା ନ ଦେବାରୁ ଗ୍ରାମବାସୀ ପୁଲିସର ଜିମା ଦେଇଛନ୍ତି। ରାୟଗଡ଼ା ପୁଲିସ୍ ଫ୍ରାନସିସକୁ ଅଟକ ରଖି ପଚରା ଉଚରା କରୁଛି।

 

ସମ୍ବନ୍ଧିତ ଖବର