ଚିକିଟି/ବ୍ରହ୍ମପୁର: ବ୍ରହ୍ମପୁର ସହରରୁ ଅପହରଣ କରିନେଇ ଗଞ୍ଜାମଜିଲ୍ଲା କେ.ନୂଆଗାଁ ଥାନା ଅଧୀନ ଚିକିଟିଗଡ଼ରେ ଅକଥନୀୟ ନିର୍ଯାତନା। ପରିତ୍ୟକ୍ତ ଘରେ ୩ଦିନ କାଳ ବନ୍ଧକ ରଖିବା ସହ ନାଗସାପ ଦେଖାଇ ୨ କୋଟି ଟଙ୍କା ଦାବି। ତେବେ ସୌଭାଗ୍ୟବଶତଃ ଜଣେ ଅପହୃତ ସେଠାରୁ ଖସି ଆସିବା ପରେ ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଛି। ଅପହୃତମାନେ ହେଉଛନ୍ତି, ଦିଲ୍ଲୀ ପଶ୍ଚିମବିହାର ଅଞ୍ଚଳର ରବୀନ୍ଦ୍ର କୁମାର (୪୯), କଟକ ନିକଟ ଗୋବିନ୍ଦପୁରର ବ୍ରହ୍ମାନନ୍ଦ ପାତ୍ର (୪୫) ଓ ତୁଳସୀପୁରର ଅହମ୍ମଦ ଖାନ, ଭୁବନେଶ୍ବର ପାହାଳ ଥାନା ଅଧୀନ ନହରକଣ୍ଟା ଅଞ୍ଚଳର ଅମରଜିତ ସାମନ୍ତସିଂହାର। ଆଉ ଅପହରଣରେ ସଂପୃକ୍ତ ପୃଥ୍ବୀରାଜ ସାହୁ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଧରିବାକୁ ଚଢ଼ଉ ଜାରି ରହିଛି ବୋଲି ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଅପହୃତଙ୍କୁ ବନ୍ଧକ ରଖାଯାଇଥିବା ପରିତ୍ୟକ୍ତ ଘରର ପଛପଟେ ଗଞ୍ଜେଇ ଜଙ୍ଗଲ ସୃଷ୍ଟି କରାଯାଇଥିବା ଦେଖି ପୁଲିସ ଓ ପ୍ରଶାସନ ତାଜୁବ୍। ସେଠାରେ ଏକ ସାପବିଳା ମଧ୍ୟ ରହିଛି। ଅସୁସ୍ଥ ଘର ମାଲିକ ଏଠାରେ ରହୁ ନଥିବା ଓ ବର୍ଷ ବର୍ଷ ଧରି ଅସାମାଜିକ ଗ୍ୟାଙ୍ଗ୍ ଏଠାରେ ଅବାଧ ଗଞ୍ଜେଇ ଚାଷ ଚଳାଇଥିବା ପୁଲିସ ଅନୁମାନ କରୁଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦିଲ୍ଲୀ ବାସିନ୍ଦା ରବୀନ୍ଦ୍ର ଏକ ଫାଇନାନ୍ସ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୩ ଜଣ ଏଜେଣ୍ଟ୍ ଭାବେ କାମ କରୁଥିଲେ। ବିଭିନ୍ନ ପ୍ରୋଜେକ୍ଟ ପାଇଁ ସେମାନେ କୋଟି କୋଟି ଟଙ୍କା ଯୋଗାଇ ଦେଉଥିଲେ। ପରବର୍ତ୍ତୀ ସମୟରେ କିସ୍ତି ଆକାରରେ ଏହାକୁ ଆଦାୟ କରୁଥିଲେ। ଅଭିଯୁକ୍ତ ତଥା କେ.ନୂଆଗାଁ ଥାନା ଅଧୀନ ଭୋଳାସିଙ୍ଗି ଗ୍ରାମର ପୃଥ୍ବୀରାଜ ସାହୁ ଓ ତା’ର ୩ ଜଣ ସହଯୋଗୀ ସେମାନଙ୍କ ବିଷୟରେ ଜାଣିବାକୁ ପାଇଥିଲେ। କିଛଦିନ ତଳେ ସେମାନେ ଅମରଜିତଙ୍କୁ ଫୋନ୍ କରି ଏକ ପ୍ରୋଜେକ୍ଟ ପାଇଁ ଟଙ୍କା ଆବଶ୍ୟକ ରହିଛି ବୋଲି କହିବା ସହ ବ୍ରହ୍ମପୁର ଡାକିଥିଲେ। ଗତ ୨୩ ତାରିଖରେ ଅମରଜିତଙ୍କ ସମେତ ୪ ଜଣ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରରେ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ ସେମାନଙ୍କୁ ବାଇକ୍ରେ ଅପହରଣ କରିନେଇଥିଲେ। ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରକୁ ନେଇ ନିର୍ଯାତନା ଦେବା ସହ ୨କୋଟି ଟଙ୍କା ଦାବି କରିଥିଲେ। ନଚେତ୍ ହତ୍ୟା କରିବାକୁ ଧମକ ଦେଇଥିଲେ। ପରେ ସେମାନଙ୍କୁ ଚିକିଟି ନିକଟ କେରାଣ୍ଡି ଜଙ୍ଗଲ ପାର୍ଶ୍ବରେ ଥିବା ଏକ ପରିତ୍ୟକ୍ତ ଘରକୁ ନିଆଯାଇଥିଲା। ସେଠାରେ ମଧ୍ୟ ଅଭିଯୁକ୍ତମାନେ ସମସ୍ତଙ୍କ ହାତକୁ ବାନ୍ଧିବା ସହ ନାଗସାପ ଦେଖାଇ ଟଙ୍କା ମାଗିଥିଲେ।
ଗତକାଲି ସକାଳେ ଅମରଜିତ୍ କୌଶଳକ୍ରମେ ସେଠାରୁ ଖସି ଆସି ତହସିଲ ଅଫିସ୍ରେ ପହଞ୍ଚି ‘ଆମମାନଙ୍କୁ ରକ୍ଷା କର’ ବୋଲି କହିଥିଲେ। ତହସିଲଦାର ବିଶ୍ବରଞ୍ଜନ କହଁରଙ୍କ ସୂଚନାକ୍ରମେ କେ.ନୂଆଗାଁ ପୁଲିସ ଉକ୍ତ ଘରେ ଚଢ଼ଉ କରି ଅନ୍ୟମାନଙ୍କୁ ବନ୍ଧାଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲା। କେ.ନୂଆଗାଁ ଥାନାଧିକାରୀ କିଶୋର କୁମାର ସାମଲ, ଚିକିଟି ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାସହ ସେଠାରେ ହୋଇଥିବା ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରାଯାଇଛି। ସେହିପରି ଉକ୍ତ ଘରୁ ୩ଟି ସାପ ଜବତ କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଅପହୃତମାନେ ୪ ଦିନ ହେଲା ଭୋକରେ ରହିଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ୍ ବ୍ରହ୍ମପୁରର ବୋଲି ଏସ୍ପି କହିଛନ୍ତି। ସେମାନଙ୍କୁ ଧରିବା ଲାଗି ଟିମ୍ ଗଠିତ ହୋଇଥିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଆଜି ବ୍ରହ୍ମପୁର ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅପହରଣ ପଛରେ ଚୋରା ଗଞ୍ଜେଇ କାରବାର ନା ଅନ୍ୟ କିଛି କାରଣ ରହିଛି; ଏ ନେଇ ତଦନ୍ତ କରାଯାଉଥିବା ଏସ୍ପି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/10/Kidnap.jpg)