କଟକ : ‘ଚୋକଡ଼ ଉପରେ ୪ ପ୍ରତିଶତ ମୂଲ୍ୟଯୁକ୍ତ କର (ଭାଟ) ଲାଗୁ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ନାଲ୍କୋକୁ ବିକ୍ରି କରାଯାଇଥିବା ଚୋକଡ଼କୁ ଶିଳ୍ପସମ୍ବନ୍ଧୀୟ ଯୋଗାଣ ଭାବେ ଦର୍ଶାଇ ଏହା ଉପରେ ୪ ପ୍ରତିଶତ ଭାଟ ଲାଗୁ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ଏହାକୁ ରଦ୍ଦ କରିଛନ୍ତି। ଚୋକଡ଼ ବିକ୍ରିକୁ ଏକ ଶିଳ୍ପସମ୍ବନ୍ଧୀୟ ଯୋଗଣ (ଇନପୁଟ୍) ଭାବେ ଦର୍ଶାଇ କୌଣସି ବିଜ୍ଞପ୍ତି ରାଜ୍ୟ ସରକାର ଜାରି କରି ନଥିବା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଶିଳ୍ପ ସଂସ୍ଥା ନାଲେକୋକୁ ବିକ୍ରି କରାଯାଇଥିବା ଚୋକଡ଼ ଉପରେ ୪ ପ୍ରତିଶତ ଭାଟ୍ ଲାଗୁ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ବିକ୍ରିକର ଅଧିକାରୀ (ଏସ୍ଟିଓ), ଯୁଗ୍ମ ବିକ୍ରିକର କମିସନର୍ (ଜେସିଏସ୍ଟି) ଓ ବିକ୍ରିକର ଟ୍ରିବୁନାଲ୍ର ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କାମଧେନୁ କ୍ୟାଟଲ୍ ଆଣ୍ଡ ପୋଲ୍ଟ୍ରି ଫିଡ୍ ୟୁନିଟ୍ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୫-୦୬ରେ ଗୋଖାଦ୍ୟ ପ୍ରସ୍ତୁତ କରୁଥିବା ଆବେଦନକାରୀ ସଂସ୍ଥା ଦାମନ୍ଯୋଡ଼ିସ୍ଥିତ ନାଲ୍କୋକୁ ୮୪୬୩.୪୦ କୁଇଣ୍ଟାଲ୍ ଚୋକଡ଼ ଯାହାର ମୂଲ୍ୟ ୫୦,୫୩,୧୩୭ ଟଙ୍କା ଯୋଗାଇଥିଲା। ଓଡ଼ିଶା ଭାଟ୍ ଆଇନ ଅନୁସାରେ ଚୋକଡ଼ ଉପରେ କର ଛାଡ଼ ବ୍ୟବସ୍ଥା ଥିବା ଆବେଦନକାରୀ ଦର୍ଶାଇଥିଲା। ଅନ୍ୟପକ୍ଷରେ ଶିଳ୍ପ ସଂସ୍ଥା ନାଲକୋକୁ ବିକ୍ରି କରାଯାଇଥିବା ଚୋକଡ଼କୁ ଶିଳ୍ପସମ୍ବନ୍ଧୀୟ ଯୋଗାଣ ଭାବେ ଦର୍ଶାଇ ୪ ପ୍ରତିଶତ କର ଲାଗୁ ପାଇଁ ବିକ୍ରିକର ବିଭାଗ ନିର୍ଦ୍ଦେଶ ଦେଇଥିଲା। ଭାଟ୍ ଓ ଜରିମାନା ରାଶି ୩ ଲକ୍ଷ ୮୬ ହାଜର ୨୪୫ ଟଙ୍କା ଜମା କରିବାକୁ କୋରାପୁଟ ସର୍କଲ୍ ଏସ୍ଟିଓ ଆବେଦନକାରୀ ସଂସ୍ଥାକୁ ନୋଟିସ୍ ଜାରି କରିଥିଲେ। ଏହି ନିର୍ଦ୍ଦେଶକୁ କୋରାପୁଟ ରେଞ୍ଜ ଜେସିଏସ୍ଟି ୨୦୧୦, ଫେବ୍ରୁଆରି ୨୬ରେ କାଏମ ରଖିଥିଲେ। ଏହା ବିରୋଧରେ ବିକ୍ରିକର ଟ୍ରିବୁନାଲ୍ରେ ଆବେଦନକାରୀ ସଂସ୍ଥା କରିଥିବା ଆବେଦନ ୨୦୧୩, ଜୁଲାଇ ୨୪ରେ ଖାରଜ ହେବା ପରେ ହାଇକୋର୍ଟରେ ମାମଲା ପହଞ୍ଚିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/high-court-odisha-750x430-1.jpg)