ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ମଦ, ଗଂଜେଇ, ବ୍ରାଉନ୍‌ ସୁଗାର ଭଳି ନିଶା କବଳରେ ପଡ଼ି ବହୁ ଲୋକ ବିପଥଗାମୀ ହେଉଛନ୍ତି। ପରିସ୍ଥିତି ଏମିତି ହୋଇଛି, ନିଶାଡ଼ିମାନେ ନିଶା ସେବନ ପାଇଁ ଟଙ୍କା ନମିଳିଲେ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗଞ୍ଜାମ ଜିଲ୍ଲାରେ ବିଗତ ଦିନରେ ଏଭଳି ବହୁ ଘଟଣା ନଜରକୁ ଆସିଛି। ଯାହାକି ଆମ ସଭ୍ୟ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ନିଶା ପାଇଁ ଗଞ୍ଜାମ ଜିଲ୍ଲାରେ ଗତ ପ୍ରାୟ ୧୫ଦିନ ମଧ୍ୟରେ ୪ଜଣଙ୍କୁ ହତ୍ୟା କରି ସାରିଲେଣି ନିଶାଡ଼ି। ନିଶାଡ଼ିଙ୍କ ନିଶା ସେବନ ଅଭ୍ୟାସ ପାଇଁ ମାଫିଆମାନେ ମଧ୍ୟ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି। ଫଳସ୍ବରୂପ ବ୍ରହ୍ମପୁର ସହରରେ ‌ଏବେ ଖୋଲାଖୋଲି ବ୍ରାଉନ୍‌ ସୁଗାର ବିକ୍ରି ହେଉଥିବା ବେଳେ ସହର ଠୁ ଗାଁ ସବୁ ଜାଗାରେ ଘରେ ଘରେ ନକଲି ମଦ ତିଆରି କରାଯାଉଛି। ବାରମ୍ବାର ଏଭଳି ଘଟଣାର ପର୍ଦ୍ଦାଫାସ୍‌ ହେଉଥିଲେ ସୁଦ୍ଧା ଜିଲ୍ଲାରେ ବେଆଇନ ନିଶା ବେପାର ବନ୍ଦ ହେଉ ନାହିଁ।

Advertisment

ନିଶା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ନାନା କାଣ୍ଡ ଘଟି ସାରିଛି। ଜିଲ୍ଲାରେ ହେଉଥିବା ଅଧିକାଂଶ ଅପରାଧ ପଛରେ ନିଶା ହିଁ ମୂଳ କାରଣ। ଅପରାଧୀ ଗୋଷ୍ଠୀ ନିଶାର ବଶବର୍ତ୍ତୀ ହୋଇ ନିଜର ହିତାହିତ ଜ୍ଞାନ ହରାଇ ଅପରାଧ ଘଟାଉଛନ୍ତି। ଆଉ କେତେବେଳେ ନିଶା ସେବନ ପାଇଁ ନିଶାଡ଼ି ନିଜର ପତ୍ନୀ ଓ ମା’ଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଉ ନାହାନ୍ତି। ଗତ ୯ତାରିଖରେ ମଦ ପିଇବାକୁ ଟଙ୍କା ନଦେବାରୁ ମଦ୍ୟପ ସ୍ବାମୀ ପତ୍ନୀକୁ ଛୁରି ଭୁସି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଗଞ୍ଜାମ ଜିଲ୍ଲା ଆସିକା ସହରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଅଶୋକା ସିନେମା ହଲ ନିକଟସ୍ଥ ଚୌଧୁରୀ ନିବାସରେ ଲକ୍ଷ୍ମୀପ୍ରିୟା ମିଶ୍ର ଓ ସ୍ବାମୀ ସୀମାଞ୍ଚଳ ମିଶ୍ର ରହୁଥିଲେ। ସୀମାଞ୍ଚଳ ପ୍ରତିଦିନ ମଦପିଇ ଘରେ ଗଣ୍ଡଗୋଳ କରୁଥିଲେ। ଗତ ୯ତାରିଖରେ ବଦଖର୍ଚ୍ଚ ଦେବାକୁ ମନା କରିବାରୁ ମଦ୍ୟପ ସୀମାଞ୍ଚଳ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ସେହିପରି ଗତ ୭ତାରିଖରେ ମଦ ପାଇଁ ପୁଅର ଲୁହା ପାଇପ୍‌ ମାଡ଼ରେ ମା’ର ମୃତ୍ୟୁ ଘଟିଥିଲା। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗଜାପଦର ଗ୍ରାମରେ ଘଟିଥିଲା ଏହି ଦୁଃଖଦ ଘଟଣା। ତ୍ରିବେଣୀ ନାଇକଙ୍କ ପୁଅ ସନାତନ ମଦପିଇ ଘରେ ଝଗଡ଼ା କରୁଥିଲା।

ଗତ ୭ତାରିଖ ରାତିରେ ଆମିଷ ରାନ୍ଧିବା ପାଇଁ ସନାତନ ମା’ ତ୍ରିବେଣୀଙ୍କୁ କହିଥିଲା। ଆମିଷ ରନ୍ଧା ହୋଇ ନଥିବା ଜାଣିବା ପରେ ମଦ୍ୟପ ପୁଅ ସନାତନ ମା’କୁ ହତ୍ୟା କରିବାକୁ ପଛାଇ ନଥିଲା। ଏହା ପୂର୍ବରୁ ଦଶହରା ଭିଡ଼ରେ ମଦ ପାଇଁ ବ୍ରହ୍ମପୁର ସହର ରକ୍ତରଞ୍ଜିତ ହୋଇଥିଲା। ମଦ ପାଇଁ ଟଙ୍କା ଦେବାକୁ ମନା କରିବାରୁ କେ.ଗୋପାଳକୃଷ୍ଣ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଜଣେ ନାବାଳକ ରାସ୍ତା ଉପରେ ପଥର ଛେଚି ହତ୍ୟା କରିଥିଲା। ଗତ ୪ତାରିଖ ନବମୀ ସଂଧ୍ୟାରେ ଗୋପାଳକୃଷ୍ଣ ପୂଜା ପାଇଁ ଫୁଲ ଆଣିବାକୁ ଯାଉଥିଲେ। ପ୍ରେମନଗର ରାସ୍ତା ମଦ ଦୋକାନ ନିକଟରେ ନାବାଳକ ଜଣକ ତାଙ୍କର ସହଯୋଗୀଙ୍କ ସହିତ ଛିଡ଼ା ହୋଇଥିଲେ। ୧୬ବର୍ଷର ସମ୍ପୃକ୍ତ ନାବାଳକ ଗୋପାଳକୃଷ୍ଣଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ମନା କରିବାରୁ ନାବାଳକ ଜଣକ ଗୋପାଳକୃଷ୍ଣଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲେ। ସେପ୍ଟେମ୍ବର ୨୫ତାରିଖରେ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ମଦ୍ୟପ ସ୍ୱାମୀ ବିଜୟ ପ୍ରଧାନଙ୍କ ମାଡ଼ରେ ସ୍ତ୍ରୀ ମଞ୍ଜୁଳା ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀ ବିଜୟ ପ୍ରତିଦିନ ମଦ ପିଇ ଘରେ ମାର୍‌ପିଟ କରୁଥିଲେ। ଘଟଣା ଦିନ ମଧ୍ୟ ସେ ଘରେ ଗଣ୍ଡଗୋଳ କରିଥିଲେ। ଏପରିକି ସ୍ତ୍ରୀ ମଞ୍ଜୁଳାଙ୍କ ମୁଣ୍ଡକୁ ଏକ ଗେଡ଼ା ବାଡ଼ିରେ ଆଘାତ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସର ତଦନ୍ତରେ ଜଣାପଡ଼ିଥିଲା।

ସେହିପରି ମଦ କାରବାରକୁ ବିରୋଧ କରିବାରୁ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଗତ ଅଗଷ୍ଟ ୨୦ତାରିଖରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପଳାଶପୁର ଗ୍ରାମ ନିକଟରୁ ଜଣେ ନିଖୋଜ ଆଦିବାସୀଙ୍କ କଟା ମୁଣ୍ଡ ଓ ଗଣ୍ଡି ଜବତ ହୋଇଥିଲା। ମୃତକ ଜଣଙ୍କ ବୃନ୍ଦାବନ ଜାନୀ ବୋଲି ଜଣା ପଡ଼ିଥିଲା। ମଦ କାରବାରକୁ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ ଆଣିଥିଲେ। ମଦକୁ ନେଇ ଗଞ୍ଜାମ ଜିଲ୍ଲାରେ ଏଭଳି ବହୁ ଘଟଣା ଘଟିଛି। ବିଶେଷ କରି ଦଶହରାରୁ କୁମାର ପୂର୍ଣ୍ଣମୀ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆଖେଳ ସାଙ୍ଗକୁ ମଦର ଆସର ଜମିଥିଲା। ଏହି ସମୟରେ ସେହି ମଦ ନିଶାରେ ନାନା ଅପରାଧ ଘଟଣା ନଜରକୁ ଆସିଛି।