ରାଉରକେଲା: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବେଆଇନ ନିଶା କାରବାର ଓ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ରାଉରକେଲ ଜିଲ୍ଲା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅପରେସନ୍‌। ଆଇପିଏସ୍‌ ସୋନାଲି ସିଂ ପରମାର୍‌ଙ୍କ ନେତୃତ୍ବରେ ଗଠିତ ଟିମ୍‌ ଗତ ଜାନୁଆରି ୧ରୁ ୧୬ ତାରିଖ ଅର୍ଥାତ୍‌ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ଥାନା ଓ ସୀମାନ୍ତରେ ଚଢ଼ଉକୁ ଜୋରଦାର କରାଯାଇଛି। ଝାଡ଼ଖଣ୍ଡରୁ ଓଡ଼ିଶାକୁ ଯାତାୟତ କରୁଥିବା ଯାନବାହନ ଉପରେ କଡ଼ା ନଜର ରଖାଯାଇଛି। ପେସାଦାର ଅପରାଧୀ, ଲୁଟେରା, ଚୋରମାନଙ୍କୁ ଧରିବାକୁ ପ୍ରତ୍ୟେକ ଥାନା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।

Advertisment

ପ୍ରତ୍ୟେକ ଥାନା ଅଧିନରେ ଥିବା ଅପରାଧୀକୁ ନିର୍ବାଚନ ପୂର୍ବରୁ ସାବାଡ କରିବାକୁ ସ୍ଥାନୀୟ ପୁଲିସ ପକ୍ଷରୁ ଗଠିତ ଟିମ୍‌ ପୁରା ଦମ୍‌ ଲଗାଇ ଦେଇଛି। ଦୁଇ ସପ୍ତାହ ମଧ୍ୟରେ ୪ ଦେଶୀ ପିସ୍ତଲ ସହ ୧୦ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛନ୍ତି। ୩ ପିସ୍ତଲ ଉଦିତନଗର ପୁଲିସ ଜବତ କରିଛି। ଅନ୍ୟ ଗୋଟିଏ ପିସ୍ତଲ ବଣାଇ ପୁଲିସ ଅଧୀନରୁ ଜବତ ହୋଇଛି। ଏଥିସହ ବେଆଇନ ମଦ କାରବାର କରୁଥିବା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ଢ଼ାବା, ହୋଟେଲ ଓ ଚୋରା ବେପାରୀଙ୍କ ଘରେ ଚଢ଼ଉ କରି ଗତ ୧୫ ଦିନ ମଧ୍ୟରେ ମୋଟ ୨୦୮ଟି ଅବକାରୀ ମାମଲା ରୁଜୁ ହୋଇଛି। ୧୨୦୪.୬ ଲିଟର ଦେଶୀ ଓ ୩୬୩.୨ ଲିଟର ବିଦେଶୀ ମଦ ଜବତ କରାଯାଇଛି। ୨୫୫ ଏନ୍‌ବିଡବ୍ଲ୍ୟୁ ମାମଲା ଫଇସଲା କରାଯାଇଛି। ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଆଇପିଏସ୍‌ ସୋନାଲି ସିଂହ ପରମାର୍‌ କହିଛନ୍ତି। ସେ କହିଛନ୍ତି, ଆନ୍ତଃରାଜ୍ୟ ଅପରାଧି, ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଓ ମନ୍‌କୋରେ ବିଶ୍ରା ପୁଲିସ ପକ୍ଷରୁ ଚେକ୍‌ଗେଟ୍‌ କରାଯାଇ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଟୋପାଡିହିରେ କୋଇଡା ପୁଲିସ, ରେହ୍ଲାତୁ, ମହୁପଡ଼ାରେ କେ. ବଲାଙ୍ଗ, କରଦାରେ ଚାନ୍ଦିପୋଷ ଓ ରାମଯୋଡିରେ ଲାଠିକଟା ଥାନା ପକ୍ଷରୁ ଗଠିତ ସ୍ବତନ୍ତ୍ର ପୁଲିସ୍‌ ଟିମ୍‌ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ପେସାଦାର ଅପରାଧୀ, ବେଆଇନ ମଦ କାରବାର, ଚୋରା ବନ୍ଧୁକ କାରବାର, ସ୍କ୍ରାପ୍‌ ଓ ଜୁଆ ରୋକିବାକୁ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ଗଠିତ ଟିମ୍‌ ପକ୍ଷରୁ ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ ହୋଇଛି। ଆଗାମୀ ଦିନରେ ଅପରେସନ୍‌କୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଛନ୍ତି।