୧୪ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ: ଜଳୁଛି ଓଡ଼ିଶା, ୪୦ଡିଗ୍ରି ଉପରେ ୪ ସହର

ଭୁବନେଶ୍ବର : ଜଳୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଛୁଇଁଥିବା ବେଳେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ଦେଢ଼ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ତାତି ଆହୁରି ବଢ଼ିବ। କିଛି ସ୍ଥାନରେ ପାରଦ ୪୨ ମଧ୍ୟ ଅତିକ୍ରମ କରିବ। ତେବ‌େ ୧୫ ଓ ୧୬ ତାରିଖରେ ଉପକୂଳ ଓଡ଼ିଶା‌ର ଅଳ୍ପ କେତେକ ଜାଗାରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ସମ୍ଭାବନା ଥିବାରୁ ସ୍ଥିତି ବଦଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି ଚାନ୍ଦବାଲି, ମାଲକାନଗିରି, ତାଳଚେର ଓ ବଲାଙ୍ଗୀରରେ ପାରଦ ୪୦ ଡିଗ୍ରି ଛୁଇଁଥିଲା।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାଜ୍ୟର ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ରବିବାର ଓ ସୋମବାର ରାଜଧାନୀ ଭୁବନେଶ୍ବର ସମେତ ଏହାର ପାଖାପାଖି ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହିପରି ରାତିର ତାପମାତ୍ରା ୨୫ ଡିଗ୍ରି ଭିତରେ ରହିବ।

ବିଶିଷ୍ଟ ପାଣିପାଗ ବିଜ୍ଞାନ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ରବିବାର ଓ ସୋମବାର ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ରାଜ୍ୟର ସର୍ବାଧିକ ତାପମାତ୍ରା ରହିବ। ୧୪ ତାରିଖ ସୁଦ୍ଧା ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିବାର ସମ୍ଭାବନା ଅଛି। ସେହିପରି ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ୧୪ ତାରିଖ ସୁଦ୍ଧା ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି ବଢ଼ିପାରେ। ଏହି ସମୟରେ ଉତ୍ତର ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ। ମଙ୍ଗଳବାର ଆଡ଼କୁ ଭୁବ‌ନେଶ୍ବର ସମେତ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ପ୍ରାୟ ୨ଡିଗ୍ରି କମିବ। ୧୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ତେଣୁ ଏହି ସମୟରେ ତାପମାତ୍ରା ୩୮ଡିଗ୍ରି ମଧ୍ୟରେ ସୀମିତ ରହିବ। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ୧୫ ତାରିଖରେ ତାପମାତ୍ରା ୪୦ରୁ ଅଧିକ ରହିବ। ୧୫ରୁ ତାପମାତ୍ରା କ୍ରମଶଃ ବଢ଼ିବା ଯୋଗୁଁ ୧୯ ତାରିଖ ସୁଦ୍ଧା କେତେକ ସ୍ଥାନରେ ପାରଦ ୪୨ ଡିଗ୍ରି ସ୍ପର୍ଶ କରିପାରେ। ଅପରପକ୍ଷେ ୨୦ ତାରିଖରୁ ସାରା ରାଜ୍ୟରେ ପାଗ ପରିବର୍ତ୍ତନ ହେବ। ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହେବ। ଏଣୁ ପାରଦ ସ୍ତର କମି ଚଳିତ ସପ୍ତାହ ଅପେକ୍ଷା କମ୍‌ ରହିବ। ଅନୁମାନ କରାଯାଉଛି ଯେ ବର୍ତ୍ତମାନ ଅଧିକ ତାତି ଅନୁଭୂତ ହେଉଥିବା ବଲାଙ୍ଗୀର, ଅନୁଗୁଳ ଓ ମାଲକାନଗିରି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିପାରେ। ଆଜି ଘୂର୍ଣ୍ଣିବଳୟ ଯୋଗୁଁ ଉତ୍ତର ଭାରତର ପବନ ଓଡ଼ିଶା ଆସି ସଂଲଗ୍ନ ବଙ୍ଗୋପସାଗର ଦେଇ ପଶ୍ଚିମ ଉପକୂଳକୁ ବହୁଥିଲା। ଆସନ୍ତାକାଲିଠାରୁ ଏଥିରେ କିଛିଟା ପରିବର୍ତ୍ତନ ହେବ। ଦକ୍ଷିଣ ଓଡ଼ିଶାରେ ଦକ୍ଷିଣ ଦିଗରୁ ବଙ୍ଗୋପସାଗରୀୟ ପବନ ବହିବା ବେଳେ ଉତ୍ତର ଓଡ଼ିଶାରେ ଉତ୍ତର ଭାରତ ଆଡ଼ୁ ପବନ ବହିବ। ଏଣୁ ରାଜ୍ୟର ଏହି ଦୁଇ ଭାଗରେ ତାପମାତ୍ରାରେ ପ୍ରଭେଦ ରହିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର