ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଖାଲି ଆଖିକୁ ଦେଖାଯିବ ୪ ଗ୍ରହ

ଭୁବନେଶ୍ୱର : ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଖାଲି ଆଖିକୁ ୪ଟି ଗ୍ରହ ଦେଖାଯିବ। ଆକାଶ ମେଘମୁକ୍ତ ରହିଲେ ମଙ୍ଗଳ, ବୃହସ୍ପତି, ଶନି ଓ ଶୁକ୍ର ଗ୍ରହକୁ ଖାଲି ଆଖିରେ ଦେଖିବାର ଅପୂର୍ବ ସୁଯୋଗ ରହିଛି। ଏହି ଗ୍ରହଗୁଡ଼ିକ ତାରା ଭଳି ଗୋଟେ ଗୋଟେ ଆଲୋକ ବିନ୍ଦୁ ସଦୃଶ ଦେଖାଯିବେ। ତାରାମାନେ ଚିକିମିକି କରୁଥିଲେ ହେଁ ଗ୍ରହମାନଙ୍କର ଆଲୋକ ସ୍ଥିର। ତେଣୁ ଏଥିରୁ ଗ୍ରହମାନଙ୍କୁ ଚିହ୍ନିହେବ। ଯେଉଁ ଗ୍ରହମାନେ ଦିନ‌ରେ ଉଦୟ ହେବେ ସେମାନେ ୬ ଘଣ୍ଟା ପରେ ମୁଣ୍ଡ ଉପରେ ଦେଖାଯିବେ।

‌ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହ ଉଜ୍ଜ୍ବଳ ଦେଖାଯିବ। ଗତ ୧୩ ତାରିଖରେ ମଙ୍ଗଳ ଗ୍ରହ ଅଧିକ ଉଜ୍ବଳ ଦେଖାଯାଉଥିବାରୁ ବହୁ ବର୍ଷ ପରେ ଏପରି ଦେଖିବାକୁ ମିଳିଲା ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହା ଠିକ୍‌ ନୁହେଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବାକୁ ୩୬୫ ଦିନ ସମୟ ନେଉଥିବା ବେଳେ ମଙ୍ଗଳ ଗ୍ରହ ପ୍ରାୟ ୬୮୭ ଦିନ ନେଇଥାଏ। ତେଣୁ ପୃଥିବୀ ସୂର୍ଯ୍ୟ ଚାରି‌ପଟେ ଥରେ ବୁଲି ଆସିବା ବେଳକୁ ମଙ୍ଗ‌ଳ ଥରେ ବୁଲେ। ଫଳରେ ପ୍ରତି ଦୁଇ ବର୍ଷରେ ଥରେ ପୃଥିବୀ, ମଙ୍ଗଳ ଓ ସୂର୍ଯ୍ୟ ‌ଗୋଟିଏ ସରଳରେଖାରେ ରହୁଥିବାରୁ ମଙ୍ଗଳ ଗ୍ରହ ବଡ଼ ଓ ଉଜ୍ଜ୍ବଳ ଦେଖାଯାଏ। ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଏଭଳି ଦେଖାଯାଇଥିବା ବେଳେ ୨୦୨୨ ମସିହା ଡିସେମ୍ବର ୮ରେ ପୁନର୍ବାର ଏପରି ଦୃଶ୍ୟ ଦେଖିବାକୁ ମିଳିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଅକ୍ଟୋବର ୨୧ରେ ମଧ୍ୟରାତ୍ରି ପରେ ଉଲ୍‌କା ବର୍ଷା ଦେଖାଯିବ। ଘଣ୍ଟାକୁ ୧୦ରୁ ୨୦ ଉଲ୍‌କା ପଡ଼ିବ। ୨୨ ତାରିଖରେ ଚନ୍ଦ୍ର ଶନି ଓ ବୃହସ୍ପତି ଗ୍ରହର ଖୁବ୍‌ ନିକଟରେ ଦେଖାଯିବ। ନଭେମ୍ବର ୭ରୁ ୧୪ ତାରିଖ ଭୋର୍‌ ସମୟରେ ବୁଧ ଗ୍ରହ ଦେଖିବାର ଭଲ ସମୟ। ୧୬ ଓ ୧୭ ତାରିଖ ଭୋର୍‌ ସମୟରେ ଉଲ୍‌କା ବର୍ଷାରେ ଘଣ୍ଟାକୁ ୫୦ରୁ ଅଧିକ ଉଲ୍‌କା ପଡ଼ିବ। ୧୯ରେ ଚନ୍ଦ୍ର ବୃହସ୍ପତି ଗ୍ରହର ଖୁବ୍‌ ନିକଟରେ ଦେଖାଯିବ। ଡିସେମ୍ବର ୧୩ ଓ ୧୪ ମଧ୍ୟରାତି ପରେ ୮୦ରୁ ୧୦୦ଟି ଉଲ୍‌କା ବର୍ଷିବ। ଅନ୍ଧାରିଆ ସ୍ଥାନରେ ଦେଖିଲେ ଅଧିକ ଉଲ୍‌କା ଦେଖି ହେବ। ୨୧ ତାରିଖରେ ବୃହ‌ସ୍ପତି ଓ ଶନି ଗ୍ରହ ଖୁବ୍‌ ନିକଟରେ ଥିବାର ଦେଖାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର