୪ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି: ସୁବର୍ଣ୍ଣରେଖା ଉପରେ ହେବ ବିଶାଳ ସେତୁ, ଖର୍ଚ୍ଚ ହେବ୧୩୮.୭୪ କୋଟି

ସୁବର୍ଣ୍ଣରେଖା ବନ୍ଦର, ଚନ୍ଦନେଶ୍ବର, ଭୁଷଣ୍ଢେଶ୍ବରକୁ ଯୋଗାଯୋଗ ସହଜ ହେବ

ଭୁବନେଶ୍ବର: ସୁବର୍ଣ୍ଣରେଖା ନଦୀ ଉପରେ ଏକ ବିଶାଳ ସେତୁ ନିର୍ମାଣ ଲାଗି ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ପାଖାପାଖି ଏକ କିଲୋମିଟର ଦୀର୍ଘ ଏହି ସେତୁ ବାଲିଆପାଳ ବ୍ଲକ୍‌ ଓ ଭୋଗରାଇ ବ୍ଲକ୍‌ ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବ। ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର, ଚନ୍ଦନେଶ୍ବର, ଭୁଷଣ୍ଢେଶ୍ବର, ତାଳସାରି, ଉଦୟପୁର ଏବଂ ପଶ୍ଚିମବଂଗର ଦୀଘା ଭଳି ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଯୋଗାଯୋଗ ସହଜ ହେବ। କେବଳ ସେତିକି ନୁହେଁ, ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ର ଧାରା ୧୭୨, ୧୬୮ ଓ ୧୪୦କୁ ଓଡ଼ିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ଅଧ୍ୟାଦେଶ ଏବଂ ଓଡ଼ିଶା ଦ୍ରବ୍ୟ ସେବା କର (ଦ୍ବିତୀୟ ସଂଶୋଧନ) ଅଧ୍ୟାଦେଶ ଜାରି କରି ସଂଶୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ କ୍ୟାବିନେଟରେ ଏଭଳି ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୋଟ ୫ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ଥିଲା। ମାତ୍ର ଉଚ୍ଚଶିକ୍ଷା ବିଭାଗ ସଂପର୍କିତ ଏକ ପ୍ରସ୍ତାବକୁ ପରବର୍ତୀ କ୍ୟାବିନେଟ୍ ପର୍ଯ୍ୟନ୍ତ ଅଟକାଇ ଦିଆଯାଇଛି।

୩୦ମାସରେ ସରିବ ନିର୍ମାଣ, ପଞ୍ଜୀକୃତ ଟିକସଦାତାଙ୍କ ପାଇଁ ‌ଜିଏସ୍‌ଟିରେ ସଂଶୋଧନ

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଲେ ଯେ ରାଜ୍ୟ ସରକାର ବାଲେଶ୍ବର ଜିଲ୍ଲାର ଜାତୀୟ ରାଜପଥ ୧୬ରେ ଥିବା ହଳଦୀପଦା-ବସ୍ତାଠାରୁ ପ୍ରାୟ ୩୬ କିମି ଦୂର ବାଲିଆପାଳର ସୁବର୍ଣ୍ଣରେଖା ନଦୀ ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରସ୍ତାବିତ ସେତୁର ଦୈର୍ଘ୍ୟ ୯୯୩.୧୨ ମିଟର ଓ ପ୍ରସ୍ଥ ୬୨.୦୭ ମିଟର ହେବ। ଏହି ସେତୁ ବାଲିଆପାଳ ବ୍ଲକର ଜାମକୁଣ୍ଡା ଏବଂ ଭୋଗରାଇ ବ୍ଲକ୍‌ର ଅଡ଼ଙ୍ଗପନ୍ତେଇକୁ ସଂଯୋଗ କରିବ। ଉଭୟ ପଟରେ ଥିବା ଅର୍ଥନୈତିକ ଓ ସଂସ୍କୃତି ସଂପନ୍ନ ସ୍ଥାନଗୁଡିକ ମଧ୍ୟରେ ସୁବର୍ଣ୍ଣରେଖା ନଦୀ ସଂଯୋଗ ସ୍ଥାପନ କରିବାରେ ବାଧା ସୃଷ୍ଟି କରୁଛି। ଏହି ସେତୁ ନିର୍ମାଣ ହେଲେ ଏହା ବାଲିଆପାଳ ଓ ଭୋଗରାଇ ବ୍ଲକ ମଧ୍ୟରେ ଯାତାୟତ ଦୂରତା ହ୍ରାସ କରିବ ଏବଂ ଲୋକଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ। ଏଲ୍‌ ଆଣ୍ଡ ଟି କଂପାନି ୧୩୮ କୋଟି ୭୪ଲକ୍ଷ ୪୮ ହଜାର ୨୧୦ ଟଙ୍କା ବିନିମୟରେ ସେତୁ କରିବା ପାଇଁ ସମ୍ମତି ଜଣାଇଛି ଓ ଏହାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ସଂସ୍ଥା ୩୦ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଅନ୍ୟପକ୍ଷରେ ଦ୍ରବ୍ୟ ଓ ସେବା କର ସଂପର୍କିତ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଥିଲେ ଯେ ଦ୍ରବ୍ୟ ଓ ସେବା କର ପରିଷଦର ସୁପାରିସ କ୍ରମେ କେନ୍ଦ୍ର ସରକାର ମାର୍ଚ୍ଚ ୨୭ ତାରିଖରେ ଓ ୩୧ ତାରିଖରେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ର କେତେକ ଧାରାରେ ସଂଶୋଧନ କରିଛନ୍ତି। ତଦନୁଯାୟୀ ରାଜ୍ୟ ସରକାର ଦୁଇଟି ସଂଶୋଧନ ଅଧ୍ୟାଦେଶ ଆଣିଥିଲେ, ଯାହା ଉପରେ କ୍ୟାବିନେଟ୍ ସମ୍ମତି ମିଳିଛି। ଏହି ଅଧ୍ୟାଦେଶ ଲାଗୁ ହେବା ପରେ ପଞ୍ଜୀକୃତ ଟିକସଦାତାମାନେ ଉପକୃତ ହେବେ ଓ କର ପ୍ରଶାସକମାନେ ଜିଏସ୍‌ଟି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବେ। ଯଥା ଦ୍ରବ୍ୟ ଓ ସେବା ଅଧିନିୟମ ପ୍ରାରମ୍ଭ ହେବାର ୫ବର୍ଷ ଅବଧି ଅବସାନ ହେବା ପର୍ଯ୍ୟନ୍ତ ଅଧିନିୟମର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ଉପୁଜିଲେ, ତାକୁ ଦୂର କରିବା ପାଇଁ ସରକାରୀ ଗେଜେଟ୍‌ରେ ଏକ ସାଧାରଣ କିମ୍ବା ଏକ ବିଶେଷ ଆଦେଶ ପ୍ରଦାନ କରାଯାଇପାରିବ। ଏପରିକି ଏହି ଅଧିନିୟମ ବା ତା ଅଧୀନରେ ପ୍ରଣୀତ ନିୟମାବଳିରେ ଥିବା ଅସଙ୍ଗତି ଦୂର କରିବା ଲାଗି ଆଦେଶ ପ୍ରଦାନ କରିବାର କ୍ଷମତା ମଧ୍ୟ ରାଜ୍ୟ ପାଖରେ ରହିବ। କୌଣସି ବ୍ୟକ୍ତି ବିନା ଇନ୍‌ଭଏସ୍‌ରେ ଦ୍ରବ୍ୟ ଓ ସେବା ଯୋଗାଉଥିଲେ ଓ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଗ୍ରହଣ ବି ବିନିଯୋଗ କରୁଥିଲେ, ସେ ଯେଉଁ ପରିମାଣର ଟିକସ ଠକିଥିବେ, ସେହି ପରିମାଣ ପରିମାଣର ଜରିମାନା ପ୍ରଦାନ କରିବାକୁ ହେବ। ଏହାକୁ ମଧ୍ୟ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ। ଟ୍ରାନ୍‌ଜିସନାଲ କ୍ରେଡିଟ୍ ଲାଭ କରିବାର ପଦ୍ଧତି ଓ ସମୟ ସୀମାକୁ ରାଜ୍ୟ ସରକାର ନିର୍ଧାରିତ କରିପାରିବେ।

ସେହିପରି ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଆହୂତ କରିବାଲାଗି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଆଜି କ୍ୟାବିନେଟ୍ ବୈଠକରେ ଏହାକୁ ପିଛିଲା ଭାବେ ମୋହର ଲାଗିଛି। ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ, ୧୯୪୮ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି। ବ୍ୟବସ୍ଥା ଅନୁସାରେ, ନିୟମ ଉଲ୍ଲଂଘନକାରୀ ଅଧିକାରୀ ବା କର୍ମଚାରୀଙ୍କୁ ବ୍ୟକ୍ତିଗତ ଓ ସମୟୋଚିତ ଭାବେ ଅଧିଭାର ନୋଟିସ୍ ବା ଆଦେଶ ଜାରି କରିବା ବ୍ୟବସ୍ଥା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିଲା। କାରଣ ସରକାରୀ ଅଧିକାରୀ ବା କର୍ମଚାରୀଙ୍କର ଅନେକ ସମୟରେ ବଦଳି ହୋଇଥାଏ। ଫଳରେ ଅଧିଭାର ନୋଟିସ୍ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାରି ହୋଇପାରୁ ନ ଥିଲା। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ଯେ ଏଣିକି ଏହା ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲରେ ଅଧିଭାର ନୋଟିସ ଓ ଆଦେଶ ନିୟମ ଉଲ୍ଲଂଘନକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଇଲେକ୍ଟ୍ରୋନିକ୍ସ ପଦ୍ଧତିରେ ଜାରି କରାଯିବ।

ସମ୍ବନ୍ଧିତ ଖବର