ଝାରସୁଗୁଡ଼ାରେ ଏସସିବିର ୪ ଜଣିଆ ମନସ୍ତତ୍ତ୍ୱବିତ୍ ଟିମ୍: ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି

ଝାରସୁଗୁଡ଼ା:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡ଼ାରେ ଏସସିବିର ୪ ଜଣିଆ ମନସ୍ତତ୍ତ୍ୱବିତ୍ ଟିମ୍ ପହଞ୍ଚିଛନ୍ତି। ଏମାନଙ୍କ ଭିତରେ ଦୁଇଜଣ ମାନସିକ ରୋଗ ବିଶେଷଜ୍ଞ ଥିବା ସୂଚନା ରହିଛି। ଗୋପାଳଙ୍କର ମାନସିକ ସ୍ଥିତି ଜାଣିବାକୁ ଏହି ଟିମ୍ ଚେଷ୍ଟା କରୁଥିବା ଜଣାଯାଇଛି। ସେମାନେ ଗୋପାଳଙ୍କୁ ପଚରାଉଚରା କରୁଛନ୍ତି। ଏହାଛଡ଼ା ଟିମ୍ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି।

ଅଭିଯୁକ୍ତ ଗୁଳି କରିବା ପରେ ତାଙ୍କ ପରିବାର ଲୋକେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ରହୁନଥିବା କଥା କହିଥିଲେ। ଏମିତିକି ଗୋପାଳ ଚିକିତ୍ସିତ ହେଉଥିବା ଡାକ୍ତର ମଧ୍ୟ ତାଙ୍କର ମାନସିକ ଅବସ୍ଥା ଠିକ୍ ରହୁନଥିବା କଥା କହିଥିଲେ। ଏହାପରେ ତଦନ୍ତ ବେଳେ ମାନସିକ ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ପୁଲିସ ଡିଜି ମଧ୍ୟ କହିଥିଲେ ଗୁଳି ମାଡ଼ ବେଳେ ଗୋପାଳଙ୍କ ମାନସିକ ସ୍ଥିତି କଣ ଥିଲା, ତାହା ଜାଣିବାକୁ ଚେଷ୍ଟା କରାଯାଉଛି।

ଏଣେ ଅଭିଯୁକ୍ତ ଗୋପାଳ ଦାସଙ୍କ ସ୍ତରୀୟ ସ୍ବର ବିଶ୍ଳେଷଣ ବା ଲେୟାର୍ଡ ଭଏସ୍ ଆନାଲିସିସ୍ (ଏଲଏଭି) ପରୀକ୍ଷା କରାଯାଉଛି। ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ବରକୁ ଅନୁଧ୍ୟାନ କରାଯାଉଛି। ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି। ଏହା ସହିତ ଗୋପାଳଙ୍କ ମନସ୍ତାତ୍ତ୍ବିକ ପରୀକ୍ଷା ବି କରାଯାଉଛି। ଏହି ଦୁଇଟି ପରୀକ୍ଷା ଦିଲ୍ଲୀର କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବରେଟୋରି (ସିଏଫ୍ଏସ୍ଏଲ୍)ର ଟିମ୍ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର