୪ ନାବାଳିକାଙ୍କୁ ଦୁଷ୍କର୍ମ: ପୁରୀ, ବେତନଟୀ, କେନ୍ଦୁଝର, ହିନ୍ଦୋଳରେ ଆଲୋଡ଼ନ

ପୁରୀ/କେନ୍ଦୁଝର/ବେତନଟୀ/ଅନୁଗୁଳ: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେଥିମଧ୍ୟରୁ ପୁରୀ ସହର ଟାଉନ ଥାନା ଅନ୍ତର୍ଗତ ମୋଚି ସାହି ଛକରେ ଗୋଟିଏ ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଜଣେ ୧୨ ବର୍ଷର ନାବାଳିକା ସହିତ ତାଙ୍କ ମା’ଙ୍କୁ ମଧ୍ୟ ଗଣଦୁଷ୍କର୍ମ କରାଯାଇଛି। ସ୍ଥାନୀୟ ଟାଉନ୍‌ ଥାନାରେ ଏ ନେଇ ଅଭିଯୋଗ କରାଯାଇଥିବା ବେଳେ ଦୁଇ ଆଇନଜୀବୀ ଭାଇ, ପୁଅ ଏବଂ ଦୁଇ ମୋହରିର ସାମିଲ୍‌ ଥିବା ଏଥିରେ ଦର୍ଶାଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏ ସମ୍ପର୍କରେ ଥାନାରେ ଜଣାଇଲେ ଏସିଡ୍‌ ପକାଇ ଜାଳି ଦିଆଯିବା ସହିତ ବୋମା ପକାଇ ଘର ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।

କେନ୍ଦୁଝରରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଶୁଆକାଟି ଫାଣ୍ଡିର ଡ୍ରାଇଭରଙ୍କ ସମେତ ଦୁଇଜଣଙ୍କୁ ସଦର ଥାନା ପୁଲିସ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କେନ୍ଦୁଝର ଜେଲ୍‌ ପଠାଇ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ତଥା ମାଣତ୍ରି ଫାଣ୍ଡି ଅଞ୍ଚଳରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ତାଙ୍କ ସମ୍ପର୍କୀୟ ପିଉସା ଉମେଶ୍ବର ଓରଫ୍‌ ବୋକା ସିଂ (୨୫)କୁ ଗିରଫ କୋର୍ଟ ଚାଲାଣ କରିଛି ପୁଲିସ।

ସେହିଭଳି ହିନ୍ଦୋଳ ସହରର ୧୪ ନଂ. ୱାର୍ଡର ଜଣେ ୮ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ନାବାଳିକାର ଜଣେ ସମ୍ପର୍କୀୟ ମାମୁ ବାରମ୍ବାର ଦୁଷ୍କର୍ମ କରିବା ସହିତ ତଣ୍ଟଚିପି ହତ୍ୟା ଉଦ୍ୟମ କରିଛି। ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲାବେଳେ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର