ଜଗାକୁ ପଢ଼ାଇବା ପାଇଁ ୪ ସ୍କୁଲ ରାଜି, ବାପା-ମାଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଏସ୍‌ସିବିରେ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ

କଟକ: କେମିତି ଚାଲିଛି ଜଗା-ବଳିଆଙ୍କ ଚିକିତ୍ସା? ସେ ସଂପର୍କରେ ଆଜି କଟକ ବଡମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ସେମାନଙ୍କ ବାପା-ମାଙ୍କ ସହ କଥାବାର୍ତ୍ତା ହେବା ସହ ସେମାନେ ଯଦି ଚାହାନ୍ତି , ତାଙ୍କ ଗାଁରେ ରହୁଥିବା ଦୁଇ ପୁଅଙ୍କୁ ସେ କିସ୍‌ରେ ପଢାଇବେ। ଏପରିକି ଜଗା ସୁସ୍ଥ ହେବାପରେ ବି ତାକୁ ମଧ୍ୟ କିସ୍‌ରେ ପଢାଇବା ପାଇଁ ଆଗ୍ରହ ପ୍ରକାଶ କହିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ। ଅନ୍ୟପଟେ ଜଗା ସ୍କୁଲ ଯିବା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମେଡିକାଲ ପବ୍ଲିକ୍‌ ସ୍କୁଲ, ସହାୟ ସ୍କୁଲ, ସିଡିଏ ଡିଏଭି କର୍ତ୍ତୃପକ୍ଷ ଜଗାକୁ ପଢାଇବା ପାଇଁ ସହମତି ପ୍ରଦାନ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, କଟକ ବଡ଼ ମେଡିକାଲ୍‌ରେ ଜଗା-ବଳିଆ ଶନିବାର ଦିନ ଭର୍ତ୍ତି ହେବା ପରଠାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ସମସ୍ତଙ୍କ ନଜର ରହିଛି। ଆଜି ମଧ୍ୟ କିଛି ସମୟ ପାଇଁ ବଳିଆକୁ ଜ୍ବର ଆସିଥିବା ବେଳେ ବିଶେଷଜ୍ଞ ଦଳଙ୍କ ପରାମର୍ଶ ଅନୁସାରେ ତାର ବିଭିନ୍ନ ରକ୍ତ ପରୀକ୍ଷା କରାଯାଇଛି। କିନ୍ତୁ ସ୍ବାଭାବିକଭାବେ ଜଗା ୱାର୍ଡରେ ବୁଲୁଛି, ଖେଳୁଛି।

ଏସ୍‌ସିବିରେ ସେମାନଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ୧୪ଜଣିଆ ବିଶେଷଜ୍ଞ ଦଳ ପ୍ରତି ଘଣ୍ଟା ବ୍ୟବଧାନରେ ସେମାନଙ୍କ ସ୍ଥିତି ତଦାରଖ କରୁଛନ୍ତି। ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ୧୪ଜଣିଆ ଡାକ୍ତର କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଟିମ୍‌ ବଳିଆକୁ ବାରମ୍ବାର ଜ୍ବର ଆସୁଥିବାରୁ ରକ୍ତ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ। ଫଳରେ ଆଜି ବଳିଆର ବିଭିନ୍ନ ରକ୍ତ ପରୀକ୍ଷା କରାଯାଇଥିଲା। ଅନ୍ୟପଟେ ବଳିଆ ଏବେ ବି ବିପଦମୁକ୍ତ ହୋଇପାରିନି।

ସମ୍ବନ୍ଧିତ ଖବର