ମହିଳା ଏସ୍‌ଆଇଙ୍କୁ ଜାଳିଦେବାକୁ ଉଦ୍ୟମ; ବାପ, ମା, ପୁଅ ସମେତ ୪ ଜେଲ୍‌ ଗଲେ

କୋକସରା : ଜଣେ ୱାରେଣ୍ଟିକୁ ଧରିବାକୁ ଯାଇ କଳାହାଣ୍ତି ଜିଲ୍ଲା କୋକସରା ପୁଲିସ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛି। ଥାନାର ମହିଳା ଏସ୍‌ଆଇ ଆନ୍ନା ମିଞ୍ଜଙ୍କୁ ଆକ୍ରମଣକାରୀମାନେ କିରୋସିନ ଢାଳି ଜାଳି ଦେବାକୁ ଉଦ୍ୟମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ପୁଲିସ କୋକସରା ବଡ଼ପଡ଼ାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବସନ୍ତ ଖମାରୀ ଓରଫ୍‌ ଗଂଗା (୫୨ବର୍ଷ), ତାଙ୍କ ସ୍ତ୍ରୀ ଫୁଲତୋଲା ଖମାରୀ (୫୦ବର୍ଷ), ପୁଅ ଶୁଭମ ଖମାରୀ (୧୮ ବର୍ଷ) ଓ ଶଳା ଗୁଣନିଧି ବାଗ ଓରଫ୍‌ ଟୁନା (୩୬ ବର୍ଷ)। ଚାରିଜଣ ଯାକ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତ୍‌କୁ ପଠାଇ ଦିଆଯାଇଛି।

କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ସୂଚନା ଅନୁଯାୟୀ ୨୦୧୯ ମସିହାରେ କୋକସରା ବଡ଼ପଡ଼ାରେ ରହୁଥିବା ବସନ୍ତ ନାମରେ ଫୁଲତୋଲା ନିଜେ ନିର୍ଯାତନା ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ତେବେ ସେହି ମାମଲାରେ ହାଜର ନହେବାରୁ ବସନ୍ତ ବିରୋଧରେ କୋର୍ଟ ୱାରେଣ୍ଟ ଜାରି ହୋଇଥିଲା। କିନ୍ତୁ ପୁଲିସ ଅନେକ ଥର ଚଢ଼ଉ କରିଥିଲେ ମଧ୍ୟ ବସନ୍ତ ଚକ୍‌ମା ଦେଇ ଫେରାର୍‌ ହୋଇଯାଉଥିଲା। ଶୁକ୍ରବାର ସକାଳ ୭ଟାରେ ବସନ୍ତ ଘରେ ଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ମହିଳା ଥାନା ଏସ୍‌ଆଇ ଆନ୍ନା ମିଞ୍ଜଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଭିଯୁକ୍ତର ସ୍ତ୍ରୀ ଫୁଲତୋଲା ପୁଲିସକୁ ଗାଳିଗୁଲଜ କରିବା ସହ ଘରେ ଥିବା କିରୋସିନ ଜାର୍‌ ଆଣି ଏସ୍‌ଆଇ ଆନ୍ନା ମିଞ୍ଜଙ୍କ ଉପରେ ଢାଳି ଜାଳିବାକୁ ଉଦ୍ୟମ କରିଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରିବାର ଲୋକେ ଅନ୍ୟ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥି‌ଲେ। ଏ ନେଇ ପୁଲିସ ଏସ୍‌ଆଇ ଆନ୍ନା ମିଞ୍ଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ କିରୋସିନ ଜାର୍‌ ଓ ମାଚିସ୍‌ ମଧ୍ୟ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର