୧୬ ଦିନ ହେଲା ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଗାଁର ଚାରି ଭଉଣୀ ନିଖୋଜ

କୁରୁମପୁରୀ/ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଗାଁର ଚାରି ଭଉଣୀ ଏକାସଙ୍ଗେ ନିଖୋଜ ହୋଇଯାଇଛନ୍ତି। ଘଟଣାକୁ ଇତିମଧ୍ୟରେ ୧୬ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ କୌଣସି ଖୋଜଖବର ମିଳୁ ନାହିଁ। ଶେଷରେ ସେମାନଙ୍କ ଭାଇ କଲ୍ୟାଣ ଅହିର ଲଖନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, କୁରୁମପୁରୀ ଗ୍ରାମର ଉଭେରାମ ଅହିରଙ୍କ ଗତ ଡିସେମ୍ବର ୨୦ ତାରିଖ ଦିନ ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକ ଶବ ସତ୍କାର ପାଇଁ ଯାଇଥିଲେ। ଏହି ସମୟରେ ମୃତ ବ୍ୟକ୍ତିଙ୍କ ୪ ଝିଅ ବିସିନୀ ଅହିର (୩୦), ଭୁବନେଶ୍ବରୀ ଅହିର (୨୯), ସୁଲୋଚନା ଅହିର (୨୮) ଓ ରାଧିକା ଅହିର (୨୪) ଘରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ଭାଇ କଲ୍ୟାଣ ସବୁଆଡ଼େ ଖୋଜାଖୋଜି କରିବା ସହ ସମ୍ପର୍କୀୟମାନଙ୍କ ଘରକୁ ଯାଇ ବି ଯୋଗାଯୋଗ କରିଥିଲେ। ହେଲେ କୌଣସି ସ୍ଥାନରେ ସେମାନଙ୍କ ପତ୍ତା ପାଇନଥିଲେ। ଶେଷର ସେ ଗତ ୩୧ ତାରିଖ ଦିନ ଲଖନା ଥାନାରେ ଚାରି ଭଉଣୀ ନିଖୋଜ ଥିବା ସଂପର୍କରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ତପନ ଦାସ ପ୍ରକାଶ କରିଛନ୍ତି। ନିଖୋଜ ଥିବା ୪ ଭଉଣୀଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର