ଖୋର୍ଦ୍ଧା: ଖୋର୍ଦ୍ଧା ଜରିପୁଟ-ତୋଟାପଡ଼ା ଜାତୀୟ ରାଜପଥ ଠାରୁ ପ୍ରାୟ ୧୦-୧୨ କିମି ଦୂର ବେଙ୍ଗୀଟାଙ୍ଗୀର ଲେଙ୍କାତୋଟା ମଧ୍ୟସ୍ଥ ଏକ ଆମ୍ବଗଛ ନିକଟରେ ୩ଫୁଟ ମାଟି ତଳୁ ଏକ ପୁରୁଷ ବ୍ୟକ୍ତିର ଗଳିତ ଶବକୁ ଆଜି ପୁଲିସ ଉଦ୍ଧାର କରିଛି । ଶବ ମାଟିରୁ ବାହାରିବା ପରେ କେବଳ ଦୁଇଟି ପ୍ରଶ୍ନର ଉତ୍ତର ମିଳିଥିବା ବେଳେ ଅନ୍ୟ ସମସ୍ତ ପ୍ରସଙ୍ଗ ରହସ୍ୟମୟ ହୋଇ ରହିଛି । ତଦନ୍ତ ପାଇଁ ଏସ୍ପିଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ କରାଯାଇଛି।
ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଫରେନ୍ସିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ ଇପସିତ ସାହୁଙ୍କ ଉପସ୍ଥିତିରେ ଏସ୍ଡିପିଓ ଦିଲୀପ କୁମାର ଦାସ, ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଥିଲା । ଦୀର୍ଘ ୩ ଘଂଟାର ପରିଶ୍ରମ ପରେ ଶବକୁ ୩ଫୁଟ ମାଟି ତଳୁ ଉଦ୍ଧାର କରାଯାଇଥିଲା । ମାଟି ତଳୁ ମୃତଦେହ ବାହାରିବା ପରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସେଠାରେ ପହଂଚିଥିଲେ । ଯେଉଁ ଭଳି ଅବସ୍ଥାରେ ଶବକୁ ପୋତାଯାଇଥିଲା ତାହା ଦେଖି ଫରେନ୍ସିକ୍ ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସନ୍ଧାନୀ କୁକୁର ମଧ୍ୟ ୧୫-୨୦ ମିନିଟ ବୁଲିଥିଲା କିନ୍ତୁ କୌଣସି ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇପାରିନଥିଲା ।
ପୁଲିସର ପ୍ରାଥମିକ ଅନୁସନ୍ଧାନରେ ମୃତ ବ୍ୟକ୍ତିର ବୟସ ୪୦-୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବ୍ୟକ୍ତିର ଶରୀର ସଂପୂର୍ଣ୍ଣ ଉଲଗ୍ନ ରହିଥିବା ବେଳେ ଲମ୍ବା ୫ଫୁଟ ୭-୮ ଇଂଚ ହେବ ଓ ଶରୀରର ଗଠନ ମଧ୍ୟମ ଧରଣର । ମୃତଦେହକୁ ପ୍ରାୟ ୬-୭ ଦିନ ପୂର୍ବେ ତିନିଫୁଟ ପ୍ରସ୍ଥ, ୫ଫୁଟ ଦୀର୍ଘ ଓ ୩ଫୁଟ ଓସାରରେ ଗାତ ଖୋଳି ପୋତାଯାଇଛି । ଶରୀରଟିକୁ ଯେପରି କୁକୁର କିମ୍ବା ଅନ୍ୟ ବନ୍ୟଜନ୍ତୁ ଖୋଳି ବାହାର କରିପାରିବେ ନାହିଁ ଓ ଶରୀରଟି ଶୀଘ୍ର ପଚିଯିବ ସେଥିବା ପାଇଁ ମୃତଦେହର ତଳେ ଓ ଉପରେ ତିନିଟି ସ୍ତରରେ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଆମୋନିୟମ ସଲଫେଟ୍ ଓ ବ୍ଲିଚିଂ ପାଉଡରର ସ୍ତର ଦିଆଯାଇଛି । ଗତକାଲି ମୃତ ବ୍ୟକ୍ତିର ହାତର ପାପୁଲି ଦେଖାଯାଉଥିବା ବେଳେ ଏହା ପୁରୁଷର ନା’ ମହିଳାଙ୍କ ବୋଲି ସନେ୍ଦହ ରହିଥିଲା । ଆଜି ଶବ ବାହାରକୁ ଅଣାଯିବା ପରେ ଏହା ପୁରୁଷର ବୋଲି ଜଣାପଡ଼ିଛି । ସେହିଭଳି ବ୍ୟକ୍ତିଜଣକୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ ପୋତାଯାଇଥିବା ସନେ୍ଦହ ମଧ୍ୟ ଦୃଢ଼ୀଭୂତ ହୋଇଛି ।ଏହି ଦୁଇଟି ରହସ୍ୟ ଉପରୁ ପରଦା ଉଠିଥିଲେ ମଧ୍ୟ ଅନ୍ୟ ସମସ୍ତ ପ୍ରସଙ୍ଗ ବର୍ତମାନ ସୁଦ୍ଧା ରହସ୍ୟାବୃତ ହୋଇରହିଛି ।