ନିରାକାରପୁର: ଆଜି ସନ୍ଧ୍ୟାରେ ନିରାକାରପୁର କଲେଜ ଛକସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରରେ ଟିଉସନ୍‌ ଚାଲିଥିବା ସମୟରେ ବଜ୍ରପାତ ଯୋଗୁ ଶିକ୍ଷକ ଓ ୪ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଜଣେ ଛାତ୍ରୀ ଗୁରୁତର ଥିବା ଜଣାପଡ଼ିଛି। ସ୍ଥାନୀୟବାସୀଙ୍କ ସହଯୋଗରେ ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଘରୋଇ ନର୍ସିଂହୋମ୍‌ ଓ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଶିକ୍ଷକ ହେଲେ ସ୍ଥାନୀୟ ମଞ୍ଜାରୀଆ ଗ୍ରାମର ଜଗନ୍ନାଥ ମଙ୍ଗରାଜ ଓ ଆହତ ଛାତ୍ରଛାତ୍ରୀମାନେ ହେଲେ ବର୍ଷାରାଣୀ ବଳିୟାରସିଂ, ପ୍ରଭୁ ପ୍ରୀତମ ବେହେରା, ବଳଭଦ୍ର ବେହେରା, ବର୍ଷାରାଣୀ ବାରିକ। ଖବର ଲେଖାହେବା ପର୍ଯ୍ୟନ୍ତ ଆହତମାନେ ସୁସ୍ଥ ଥିବାବେଳେ ଛାତ୍ରୀ ବର୍ଷାରାଣୀ ବଳିୟାରସିଂ ଗୁରୁତର ଥିବା ଜଣାପଡ଼ିଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଲଳିତ ମହାପାତ୍ର ପ୍ରମୁଖ ମେଡିକାଲରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।