ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା: ୪ ଜଣ ସୁପରିନ୍‌ଟେଣ୍ଡେଣ୍ଟ ସସ୍‌ପେଣ୍ଡ

ଭୁବନେଶ୍ୱର: ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ୪ଟି ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ସସ୍‌ପେଣ୍ଡ ହୋଇଛନ୍ତି। ଏଥି ସହିତ ୪ଟି ପରୀକ୍ଷା କେନ୍ଦ୍ରର ଇନ୍‌ଭିଜିଲେଟର ମଧ୍ୟ ସସ୍‌ପେଣ୍ଡ ହୋଇଛନ୍ତି।

ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ଙ୍କ ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ କରମଙ୍ଗଳ ଓ ଗୋପୀନାଥପୁର ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ହାଇସ୍କୁଲ ଓ ଢେଙ୍କାନାଳ ଜିଲ୍ଲାର ସୁଦର୍ଶନ ବିଦ୍ୟାଭବନ ହାଇସ୍କୁଲର ସୁପରିନ୍‌ଟେଣ୍ଡେଣ୍ଟ ସସ୍‌ପେଣ୍ଡ ହୋଇଛନ୍ତି।

ଏହି ମାମଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଭ୍ୟମାନେ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ଘର ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କ ଘର ଭିତରକୁ ପ୍ରବେଶ କରିବା ଉଦ୍ୟମରେ ପୁଲିସ ୫୦ ଜଣ ସଭ୍ୟଙ୍କୁ ଅଟକ ରଖିଛି। ଏବିଭିପିର ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି, ଗୋଟିଏ ଭୁଲ ଥରେ ହେଲେ କ୍ଷମଣୀୟ କିନ୍ତୁ ସେହି ଭୁଲ ବାରମ୍ବାର ହେବା ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବା ଅକ୍ଷମଣୀୟ। କେବଳ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ନୁହେଁ, ଏହା ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର, ପୂର୍ବ ବର୍ଷ ବୋର୍ଡ ପ୍ରଶ୍ନପତ୍ର ଲିକ ହୋଇଥିଲା। ସରକାର ସ୍ୱଚ୍ଛ ପରୀକ୍ଷା ପରିଚାଳନାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣାରେ ଦୋଷିଙ୍କୁ ତୁରନ୍ତ ଗିରଫ ନକରାଗଲେ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ବୋଲି ଶଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନ ଶୁକ୍ରବାର ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପ୍ରଶ୍ନପତ୍ର ନୂଆପଡ଼ା ଜିଲ୍ଲାରୁ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇ ରାଜ୍ୟର ଅନ୍ୟ ଅଂଚଳକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପହଂଚିପାରିଛି। ସବୁଠାରୁ ଦୁଃଖର ବିଷୟ ଯେ, ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଅଧିକାରୀ ମାନେ ଏବିଷୟରେ ଜାଣିବା ବେଳକୁ ପରୀକ୍ଷା ଶେଷ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର