ଉଲଗ୍ନ କରି ମାଡ଼ ମାରିଥିବା ପୁଲିସ ଅଧିକାରୀ ଓ ୩ ସହଯୋଗୀ ନିଲମ୍ବିତ, ଟୁଇଟ୍ ଯୋଗେ ସୂଚନା ଦେଲେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ

ଘସିପୁରାରେ ଖାକି ବର୍ଦିର ବର୍ବରତା ସାମନାକୁ ଆସିବା ପରେ ଏସ୍ ଆଇ ବିଶ୍ବଜିତ ବେହେରା, ଡ୍ରାଇଭର୍ ମୃତ୍ୟୁଞ୍ଜୟ ନାୟକଙ୍କ ସମେତ ଦୁଇଜଣ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରାରେ ଖାକି ବର୍ଦିର ବର୍ବରତା ସାମନାକୁ ଆସିବା ପରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ମାଡ଼ ମାରିବା ଭିଡିଓ ଭାଇରାଲ୍ ହେବା ପରେ, ମାଡ଼ ମାରିଥିବା ପୁଲିସ ଅଧିକାରୀ ଓ ୩ ସହଯୋଗୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଲେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ।
ଏନେଇ ଆଜି ଘଷିପୁରା ଥାନାରେ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତ ଏସ୍ ଆଇ ବିଶ୍ବଜିତ ବେହେରା, ଡ୍ରାଇଭର୍ ମୃତ୍ୟୁଞ୍ଜୟ ନାୟକଙ୍କ ସମେତ ଦୁଇଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ଘସିପୁରାରେ ଖାକି ବର୍ଦିର ବର୍ବରତା ସାମନାକୁ ଆସିଥିଲା। ରାସ୍ତାରେ ଉଲଗ୍ନ କରି ଜଣେ ବ୍ୟକ୍ତିଙ୍କୁ ମାଡ଼ ମରାଯାଇଥିଲା। ମାଡ଼ରେ ତାଙ୍କ ଶରୀର ବିଭିନ୍ନ ସ୍ଥାନ ଫାଟିଯାଇଥିବାର ଦେଖିବାକୁ ମିଳିଥିଲା। ପାଖରେ ପୁଲିସ ଗାଡ଼ି ରହିଛି ଏବଂ ନିଜକୁ ପୁଲିସ ଅଧିକାରୀର ପରିଚୟ ଦେଇ ଧମକ ଦେବା ସହ ତାଙ୍କୁ ନିସ୍ତୁକ ପିଟୁଥିବାର ଏହି ଭିଡିଓ ଭାଇରାଲ ହେବା ପରେ ମାମଲାରେ ତାଳିପକାଇବାକୁ ସଂପୃକ୍ତ ପୁଲିସ ଅଧିକାରୀ ଗତକାଲି ଦିନତମାମ ଉଦ୍ୟମ କରିଥିବା ସ୍ଥାନୀୟ ଲୋକେ କହିଥିଲେ। ଏମିତିକି ସଂପୃକ୍ତ ମଦ ବେପାରୀଙ୍କୁ ଉଠାଇ ନେଇ ମୁହଁ ନ ଖୋଲିବା ପାଇଁ ଧମକ ଦେଇ ରଫାଦଫା କରିଥିବା ଜଣାପଡ଼ିଥିଲା।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଚୋରା ମଦ ବେପାରୀଙ୍କ ଘରେ ପୁଲିସ ଚଢ଼ଉ କରିଥିଲା। ମାତ୍ର ତାଙ୍କ ଘରୁ ମଦ ମିଳିନଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏସ୍ ଆଇ ବିଶ୍ବଜିତ ବେହେରା ମଦ ବେପାରୀଙ୍କୁ ତାଙ୍କ ଘରେ ପ୍ରବଳ ମାଡ଼ ମାରିଥିଲେ। ଘର ସମ୍ମୁଖରେ ଥିବା ତାଙ୍କ ବାଇକ୍‌ଟିକୁ ଭାଙ୍ଗି ଦେଇଥିଲେ। ପରେ ପୁଲିସ ଗାଡ଼ିରେ ବସାଇ ନେଇ ରାସ୍ତାରେ ଉଲଗ୍ନ କରି ମାଡ଼ମାରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।

ଏ ଭିଡିଓଟି ଗତକାଲି ଭାଇରାଲ୍ ହେବା ପରେ ପୁଲିସ୍‌ର ବର୍ବର ମାନସିକତା ସାମନାକୁ ଆସିଥିଲା। ମାଡ଼ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ସେ ଗୁରୁତର ଆହତ ମଧ୍ୟ ହୋଇଥିଲେ। ନିସ୍ତୁକ ପିଟିବା ପରେ ପୁଲିସ୍‌ ତାଙ୍କୁ ସେଠାରେ ଛାଡ଼ି ଚାଲିଯାଇଥିଲା। ମାଡ଼ ଭୟରେ ସମ୍ପୃକ୍ତ ପରିବାର ମୁହଁ ଖୋଲିବାକୁ ନିରାପଦ ମଣୁ ନଥିଲେ। ଲକ୍‌ଡାଉନ୍ ଯୋଗୁଁ ଗ୍ରାମବାସୀ ମଧ୍ୟ କେହି ପ୍ରତିବାଦ କରିବାକୁ ସାହସ କରୁନଥିଲେ।

ସମ୍ବନ୍ଧିତ ଖବର