ଭିସୁଟ୍‌ର ଆଉ ୪ ଶିକ୍ଷକ ନିଲମ୍ବିତ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) ର ଶିକ୍ଷକ ସଂଘକୁ ପୁଣି ଏକ ଝଟ୍‌କା। ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦେଶାଳୟର ନିର୍ଦେଶ ମୁତାବକ କୁଳପତି ପ୍ରଫେସର ଅଟଳ ଚୌଧୁରୀ ଶିକ୍ଷକ ସଂଘର ଉପସଭାପତି ଓ ସମ୍ପାଦକଙ୍କୁ ନିଲମ୍ବନ କରିଥିବା ବେଳେ ବାକି ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ପୁଣି ୧୧ ତାରିଖରେ ସଭାପତିଙ୍କ ବହିଷ୍କୃତ ନିର୍ଦେଶକୁ ବଦଳାଇ ନିଲମ୍ବନ ବୋଲି ଦର୍ଶାଯାଇଥିଲା। ସୋମବାର ପୁଣି କାରଣ ଦର୍ଶାଅ ନୋଟିସ୍‌ ପାଇଥିବା ୧୫ ଶିକ୍ଷକଙ୍କ ମଧ୍ୟରୁ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ଶିକ୍ଷକ ଆନ୍ଦୋଳନକୁ ନେଇ କୁଳପତିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସରକାର ସହମତି ପ୍ରକାଶ କରୁଥିବା ବେଳେ ଅପରପକ୍ଷେ ଏହି ଘଟଣାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିଯାଇଛି। କାରଣ ଦର୍ଶାଅ ‌ନୋଟିସ୍‌ ପାଇଥିବା ଶିକ୍ଷକମାନଙ୍କୁ ୧୫ ଦିନ ମଧ୍ୟରେ ଲିଖିତ ଭାବେ ନିଜର ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ଏହି ୪ ଜଣ ଶିକ୍ଷକଙ୍କର ଉତ୍ତର ସନ୍ତୋଷଜନକ ନହେବାରୁ ସେମାନଙ୍କୁ କୁଳପତି ନିଲମ୍ବନ କରିଛନ୍ତି। ଏହି ଶିକ୍ଷକମାନେ ସବୁଦିନ ଭଳି ସୋମବାର ମଧ୍ୟ କ୍ଲାସ କରିବାକୁ ଯାଇଥିବା ବେଳେ ଦିନ ଗୋଟାଏ ସମୟରେ କୁଳସଚିବଙ୍କ ସ୍ବତନ୍ତ୍ର ମେସେଞ୍ଜର ଆସି ଶିକ୍ଷକଙ୍କୁ ସେମାନଙ୍କର ନିଲମ୍ବନ ଆଦେଶ ପ୍ରଦାନ କରିଥିଲେ। ସେପଟେ, ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ମଧ୍ୟ ବିଶ୍ବବିଦ୍ୟାଳୟକୁ ଆସି ଏହି ତମାମ୍‌ ଘଟଣାର ଯାଞ୍ଚ କରିବେ ବୋଲି ଜଣାପଡ଼ିଛି। ନିଲମ୍ବିତ ଶିକ୍ଷକମାନେ ହେଲେ କମ୍ପ୍ୟୁଟର ସାଇନ୍ସ ବିଭାଗର ଡ.ସନ୍ତୋଷ ମାଝୀ, ସିଭିଲ ବିଭାଗର ପ୍ରଫେସର ଡି.ଧୁପାଲ, ପ୍ରଡକ୍ସନ ବିଭାଗର ପ୍ରଫେସର ପି.କେ.ପ୍ରଧାନ ଓ କମ୍ପ୍ୟୁଟର ଆପ୍ଲିକେସନ ବିଭାଗର ଡ.ସୁସ୍ମିତା ପାଢ଼ୀ। ଘଟଣା ନେଇ କୁଳପତି ପ୍ରଫେସର ଚୌଧୁରୀଙ୍କୁ ପଚାରିବାରୁ ନୋଟିସ୍‌ ପାଇଥିବା ଶିକ୍ଷକମାନଙ୍କର ଭିଡିଓଗ୍ରାଫି ଯାଞ୍ଚ କରାଯିବା ସହ ସେମାନଙ୍କର ଉତ୍ତରର ମଧ୍ୟ ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଥିଲେ।

କୁଳପତିଙ୍କ ବହିଷ୍କାର ସମେତ ୧୦ ଦଫା ଦାବି ନେଇ ବିଶ୍ବବିଦ୍ୟାଳୟର ଶିକ୍ଷକ ସଂଘ ଜୁଲାଇ ୧୭ ତାରିଖରୁ ଆନ୍ଦୋଳନରେ ବସିଥିଲେ। ୩ ଦିନ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର