ରାଉରକେଲା: ସେକ୍ଟର-୩ ଥାନା ପୁଲିସକୁ ଆଜି ବଡ଼ ଧରଣର ସଫଳତା ମିଳିଛି। ସେକ୍ଟର ଅଞ୍ଚଳରେ ଚୋରିରେ ମାତିଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧, ଜି’ ବ୍ଲକର ରାଜେଶ ସିନ୍ଦିରିଆ(୨୫), ସେକ୍ଟର-୧ ଶନି ମନ୍ଦିର ପାଖରେ ରହୁଥିବା ବଶିଷ୍ଠ ମହାନ୍ତି(୨୨), ସେକ୍ଟର-୧ ଘୋଡ଼ାବନ୍ଧ ବସ୍ତିର ପ୍ରମୋଦ ଗଣ୍ଡ(୨୦) ଓ ନୟାବଜାରର ଛୋଟୁ ବର୍ମା(୩୦)। ଅଭିଯୁକ୍ତମାନଙ୍କଠାରୁ ବିଭିନ୍ନ ଚୋରି ସାମଗ୍ରୀ, ଯଥା-୬ଟି ସୁନା ମୁଦି, ଗୋଟିଏ ହଳ କାନଫୁଲ, ସୁନା ଚୂଡ଼ି, ଗୋଟିଏ ଲାପ୍ଟପ୍ ଓ ଗୋଟିଏ ମୋବାଇଲ ଉଦ୍ଧାର କରାଯାଇଛି।
ଏହାସହ ଚୋରିରେ ବ୍ୟବହୃତ କରୁଥିବା ପ୍ୟାଚ୍କସ୍, ଶାବଳ ମଧ୍ୟ ଜବତ ହୋଇଛି। ପ୍ରକାଶଥାଉକି, ଏହି ଗ୍ୟାଙ୍ଗ୍ ସହରର ବିଭିନ୍ନ ଥାନା, ବିଶେଷକରି ସେକ୍ଟର ଅଞ୍ଚଳରେ ଥିବା କ୍ବାର୍ଟର୍ସରୁ ରୀତିମତଭାବେ ଚୋରି କରୁଥିଲେ। ଏମାନେ ଗତ ମାର୍ଚ୍ଚ ୨୬ ତାରିଖରେ ସେକ୍ଟର-୧, କ୍ବାର୍ଟର ନମ୍ବର ବି-୭୩ ଓ ଗତ ୫ ତାରିଖରେ ସେକ୍ଟର-୧, କ୍ବାର୍ଟର ନମ୍ବର ବି-୧୩୧ରୁ ତାଲା ତାଡ଼ି ଚୋରି କରିଥିଲେ।