୪ ହଜାର ହରିଣ ଗଲେ କୁଆଡ଼େ?, ଗାଁ ଗାଁ ବୁଲି ଖୋଜୁଛି ବନ ବିଭାଗ, ପଦା ହୋଇଗଲା ବାଲୁଖଣ୍ଡ ଅଭୟାରଣ୍ୟ

ପୁରୀ : ସାମୁଦ୍ରିକ ଝଡ଼ ‘ଫନି’ ବାଲୁଖଣ୍ଡ ଅଭୟାରଣ୍ୟକୁ ଧ୍ବଂସ କରିଦେଇଛି। ପୁରୀଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ଲମ୍ବିଥିବା ଦୀର୍ଘ ୭୪ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟ ଅଞ୍ଚଳରେ ସବୁଜିମା ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ଦିନରେ ସୂର୍ଯ୍ୟାଲୋକ ପଡୁନଥିବା ଏହି ଘଞ୍ଚ ଅଭୟାରଣ୍ୟ‌େର ଏବେ କିଛି ଥୁଣ୍ଟା ଗଛ ବିପର୍ଯ୍ୟୟର ମୂକସାକ୍ଷୀ ଭାବେ ଛିଡ଼ା ହୋଇଛନ୍ତି। ଅଭୟାରଣ୍ୟ‌ ଭିତରେ ଥିଲେ ୪ ହଜାରରୁ ଉର୍ଦ୍ଧ୍ବ ଚିତ୍ରା ହରିଣ। ଏବେ ସେମାନଙ୍କର ପତ୍ତା ମିଳୁନି। ବାତ୍ୟା ପରେ ବନ ବିଭାଗର ୪ଟି ଟିମ୍‌ ହରିଣଙ୍କୁ ଖୋଜୁଛି। ଜଙ୍ଗଲଠାରୁ ନିକଟସ୍ଥ ଗାଁ, ସବୁଠି ହରିଣଙ୍କୁ ଖୋଜା ଚାଲିଥିଲେ ମଧ୍ୟ କାହାରି ପତ୍ତା ନ ମିଳିବା ବନ ବିଭାଗକୁ ଚିନ୍ତାରେ ପକାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପୁରୀ ସହର ନିକଟବର୍ତ୍ତୀ ବାଲୁଖଣ୍ଡ ଇଲାକାରେ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁଥିଲା। ଯାହାଫଳରେ ସର୍ବାଧିକ ପ୍ରଭାବିତ ହୋଇଛି ଏହି ଅଭୟାରଣ୍ୟ। ଏଠାରେ କୌଣସି ଗଛର ଚିହ୍ନବର୍ଣ୍ଣ ନାହିଁ।

ବାଲୁଖଣ୍ଡ ଜଙ୍ଗଲ ଉଜୁଡ଼ି ଯାଇଥିବା ବେଳେ ତା’ ଭିତରେ ଥିବା ହରିଣ ଓ ଅନ୍ୟ ଜୀବଜନ୍ତୁଙ୍କୁ ବାତ୍ୟା ପରଠୁ ଦେଖିବାକୁ ମିଳୁନାହିଁ। ହରିଣ ସବୁ କୁଆଡ଼େ ଗଲେ ତାହା ଏବେ ରହସ୍ୟ ଘେରରେ। କାରଣ ବନ ବିଭାଗ ଟିମ୍ ଜଙ୍ଗଲ ଭିତରେ ଏବଂ ପାର୍ଶ୍ବବର୍ତୀ ଗାଁଗୁଡ଼ିକରେ ତନ୍ନତନ୍ନ ଖୋଜି ସାରିଲେଣି। କୋଉଠି ହରିଣଙ୍କର ମୃତଦେହ ବି ଦେଖିବାକୁ ମିଳିନାହିଁ। ତେଣୁ ଏତେ ସଂଖ୍ୟକ ହରିଣଙ୍କ ଅନ୍ତର୍ଦ୍ଧାନ ନେଇ ସନ୍ଦେହ ହେବା ସ୍ବାଭାବିକ। ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓଙ୍କ ସୂଚନା ଅନୁସାରେ, ବନ ବିଭାଗର ୪ଟି ଟିମ୍‌ ୪ ଦିନ ହେଲା ହରିଣଙ୍କୁ ଠାବ କରିବା ପାଇଁ ଲାଗିଛନ୍ତି। ତାଳବଣିଆଠାରୁ ରାମଚଣ୍ଡୀ ଏବଂ କୋଣାର୍କଠାରୁ ଗୋପ ପର୍ଯ୍ୟନ୍ତ ଖୋଜା ସରିଛି। ହେଲେ ହରିଣଙ୍କର ପତ୍ତା ନାହିଁ। କେବଳ ବନ ବିଭାଗର ଟିମ୍‌ ନୁହନ୍ତି, ବିଭିନ୍ନ ବନ ସୁରକ୍ଷା ସମିତିଗୁଡ଼ିକୁ ମଧ୍ୟ ଏଥି ପାଇଁ ନିୟୋଜିତ କରାଯାଇଛି। ସେମାନେ ଗାଁ ଗାଁ ବୁଲି ହରିଣ ଖୋଜୁଛନ୍ତି। ଇତିମଧ୍ୟରେ କାଁଭାଁ ଗୋଟିଏ ଦୁଇଟି ହରିଣ ଦେଖା ଯାଇଛନ୍ତି। ମାତ୍ର ଯେପରି ଦଳ ଦଳ ହୋଇ ଦିଶନ୍ତି, ତାହା ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର