ଭୁବନେଶ୍ବର: ଏଥର ଗ୍ରୀଷ୍ମରେ ଜଳିଗଲା ୪ହଜାର ହେକ୍ଟର ଜଙ୍ଗଲ। କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ଫୁଲବାଣୀ ପରି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। କେବଳ ଦକ୍ଷିଣ ଓଡ଼ିଶାରେ ୧୨ ହଜାରରୁ ଅଧିକ ବନାଗ୍ନି ହୋଇଛି। ଯେଉଁଥିରେ ପ୍ରାୟ ଅଢ଼େଇ ହଜାର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଚଳିତବର୍ଷ ନିଆଁକୁ ବର୍ତ୍ତି ଯାଇଛି। ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ୍‌ରେ ଯଥାକ୍ରମେ ୨୪୨ ଓ ୨୩୩ଟି ବନାଗ୍ନି ଚିହ୍ନଟ ହୋଇଛି, ଯାହାକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବେ ସକ୍ଷମ ହୋଇଛି। ଶିମିଳିପାଳର ଏହି ଦୁଇଟି ଡିଭିଜନ୍‌ରେ ୧୮୧.୨୧ ହେକ୍ଟର ଜଙ୍ଗଲ ଜଳିଛି।

Advertisment

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥ୍ୟ କହୁଛି ଜାନୁଆରି ପହିଲାରୁ ଜୁନ୍‌ ୩୦ ମଧ୍ୟରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ ରାଜ୍ୟରେ ୨୨,୮୬୮ଟି ବନାଗ୍ନି ଚିହ୍ନଟ ହୋଇଛି। ଯେଉଁଥିରେ ୪,୦୬୭.୦୫ ହେକ୍ଟର ଜଙ୍ଗଲ ଜଳିଛି। ଜଙ୍ଗଲ ଭିତରେ ୧୭,୦୧୪ଟି ନିଆଁ ଲାଗିଥିବା ବେଳେ ୧୭,୦୦୧ ନିଆଁକୁ ତତ୍‌କ୍ଷଣାତ ଆୟତଃ କରାଯାଇଛି। ଜଙ୍ଗଲ ବାହାରେ ୫,୮୫୪ଟି ନିଆଁ ଲାଗିଥିଲା। ଚିହ୍ନଟ ହୋଇଥିବା ମୋଟ ଜଙ୍ଗଲ ନିଆଁ ମଧ୍ୟରୁ ୨୨,୮୩୭ ଅର୍ଥାତ୍‌ ୯୯.୮୬% ଆୟତଃ କରାଯାଇଛି। ବଡ଼ଧରଣର ଜଙ୍ଗଲ ନିଆଁ ସଂଖ୍ୟା ୬,୦୪୫ରେ ପହଞ୍ଚିଥିଲା। ଏବର୍ଷ କୋରାପୁଟ ସର୍କଲ ସର୍ବାଧିକ ପ୍ରଭାବିତ ହୋଇଛି।

କୋରାପୁଟ ସର୍କଲର ରାୟଗଡ଼ା ଡିଭିଜନ୍‌ରେ ୪୬୨ ହେକ୍ଟର ଜଙ୍ଗଲ ଜଳିଛି। ସେହି ସର୍କଲର ଜୟପୁର ଡିଭିଜନ୍‌ରେ ୩୩୯.୯୬ ହେକ୍ଟର, ମାଲକାନଗିରି ଡିଭିଜନ୍‌ରେ ୩୩୨.୪୭, ନବରଙ୍ଗପୁର ଡିଭିଜନ୍‌ରେ ୩୧୬.୫୨, କୋରାପୁଟ ଡିଭିଜନ୍‌ରେ ୧୪୬.୦୪, ଭବାନୀପାଟଣା ସର୍କଲର କଳାହାଣ୍ଡି ଉତ୍ତର ଡିଭିଜନ୍‌ରେ ୧୨୫.୭୩, ବଲାଙ୍ଗୀର ‌ଡିଭିଜନ୍‌ରେ ୧୧୭.୨୭, ରାଉରକେଲା ସର୍କଲର କେନ୍ଦୁଝର ଡିଭିଜନ୍‌ରେ ୧୬୩.୮୫, ଭୁବନେଶ୍ବର ସର୍କଲର ନୟାଗଡ଼ ଡିଭିଜନ୍‌ରେ ୨୧୫.୮୧, ଖୋର୍ଦ୍ଧା ଡିଭିଜନ୍‌ରେ ୨୧୧.୭୫, ସମ୍ବଲପୁର ସର୍କଲର ବରଗଡ଼ ଡିଭିଜନ୍‌ରେ ୧୭୬.୪୧, ବାରିପଦା ସର୍କଲର ଶିମିଳିପାଳ ସାଉଥ୍‌ ଡିଭିଜନ୍‌ରେ ୧୦୬.୭୨, ବାଲେଶ୍ବର ଡିଭିଜନ୍‌ରେ ୧୨୯.୮୩ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। ଅନ୍ୟ ଡିଭିଜନ୍‌ଗୁଡ଼ିକରେ ଜଙ୍ଗଲ ନଷ୍ଟ ପରିମାଣ ୧୦୦ ହେକ୍ଟରରୁ କମ୍‌ ରହିଛି। ଭୁବନେଶ୍ବର ସର୍କଲର ସିଟି ଫରେଷ୍ଟ ଡିଭିଜନ୍‌ ଅଧୀନରେ ଦୁଇଟି ନିଆଁ ଜଙ୍ଗଲ ବାହାରେ ଲାଗିଥିବାରୁ କୌଣସି କ୍ଷତି ହୋଇ ନାହିଁ। ବ୍ରହ୍ମପୁର ସର୍କଲର ବାଲିଗୁଡ଼ା ଡିଭିଜନ୍‌ରେ ଜଙ୍ଗଲ ଭିତ‌ରେ ସର୍ବାଧିକ ୨୩୯୨ଟି ନିଆଁ ଚିହ୍ନଟ କରାଯାଇଥିଲା।

୨୦୨୧ରେ ଶିମିଳିପାଳରେ ସଂଘଟିତ ହୋଇଥିବା ଶିଖର ବନାଗ୍ନି ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିଲା। ସେହି ବର୍ଷ ଓଡ଼ିଶାରେ ୫୭ ହଜାର ୩୩୯ ବନାଗ୍ନି ହୋଇଥିବା ବେଳେ ୨୮ ହଜାର ୬୫୨ ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ଅବସରପ୍ରାପ୍ତ ପିସିସିଏଫ୍‌ଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ଆକ୍ସନ ପ୍ଲାନ କରିଥିଲେ। ଭବିଷ୍ୟତରେ ଯେପରି ଭୟଙ୍କର ପରିସ୍ଥିତି ନ ହୁଏ, ତାହାକୁ ଦୃଷ୍ଟିରେ ରଖି କମିଟି ବିଭିନ୍ନ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ବନାଗ୍ନି ସୁରକ୍ଷା ବାହିନୀ ଗଠନ କରାଯିବା ଦ୍ବାରା ବନାଗ୍ନିକୁ କିଛି ପରିମାଣରେ ହ୍ରାସ କରାଯାଇପାରିଛି। ଫରେଷ୍ଟ ଫାୟାର ପ୍ରୋଟେକ୍ସନ ସ୍କ୍ବାଡ୍‌ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇଥିବାରୁ ନିଆଁ କମିଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।