ଖଣି ଗିଳିଦେଲା ୪ ହଜାର ହେକ୍ଟର ଚାଷ ଜମି

ହେମଗିର, ଗୁରୁଣ୍ଡିଆ, ସୁନ୍ଦରଗଡ଼ ସଦର ବ୍ଲକରେ ଚାଷ ଜମି କମିଲା

ରାଉରକେଲା: ଖଣିଜ ସମ୍ପଦ ପରିପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ରାଜକୋଷକୁ ସବଳ କରିଚାଲିଛି। ନିୟମିତ ବ୍ୟବଧାନରେ ଖଣି ସଂପ୍ରସାରଣ ସହ ଖନନ ପରିବ୍ୟାପ୍ତ ହେଉଛି। ତେବେ ଏହାର ଦୁଃପରିମାଣ ଭୋଗୁଛନ୍ତି ଗରିବ ଚାଷୀକୂଳ। ଜିଲ୍ଲାର ଚାଷୀ ନିଜର ଏକମାତ୍ର ସଂସାଧନ, ଅର୍ଥାତ୍‌ ଚାଷଜମି ହରାଇବାରେ ଲାଗିଛନ୍ତି। କେବଳ ଖଣି ସ୍ଥାପନ, ସଂପ୍ରସାରଣ ଉଦ୍ଦେଶ୍ୟରେ ଜମି ଅଧିଗ୍ରହଣ କରାଯାଉଥିବାରୁ ଗତ ବର୍ଷକ ଭିତରେ ସୁନ୍ଦରଗଡ଼ ଜିଲ୍ଲା ୪ ହଜାର ହେକ୍ଟର ଚାଷ ଜମି ହରାଇଛି। ଏହି ପରିମାଣ ନିଶ୍ଚିତଭାବରେ ଉଦ୍ରେକ ଜାତ କରେ।

ଜିଲ୍ଲାରେ ଥିବା ମୋଟ୍‌ ଚାଷ ଜମିର ପରିମାଣ ହେଉଛି ୩ ଲକ୍ଷ ୧୩ ହଜାର ହେକ୍ଟର। ଚଳିତବର୍ଷ ଖରିଫ୍‌ ଋତୁରେ ମୋଟ୍‌ ୩ ଲକ୍ଷ ୯ ହଜାର ହେକ୍ଟର ଜମିରେ ଧାନ, ପନିପରିବା, ତୈଳବିଜ ଆଦି ଚାଷ କରିବାକୁ ଜିଲ୍ଲା କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅର୍ଥାତ୍‌, ଗତ ବର୍ଷ ତୁଳନାରେ ଏଥର ୪ ହଜାର ହେକ୍ଟର କମ୍‌ ଜମିରେ ଚାଷ କରାଯିବ। ଚାଷ ଜମି ହରାଇଥିବା ବ୍ଲକ ଗୁଡ଼ିକ ହେଲା, ହେମଗିର, ସୁନ୍ଦରଗଡ଼ ସଦର ଓ ଗୁରୁଣ୍ଡିଆ। ଗତ ବର୍ଷକ ଭିତରେ ଖଣି ଖାଦାନ ପାଇଁ ହେମଗିର ବ୍ଲକରୁ ସର୍ବାଧିକ ୨୬୦୦ ଶହ ହେକ୍ଟର ଚାଷ ଜମି ଅଧିଗ୍ରହଣ କରାଯାଇଥିବାବେଳେ ସୁନ୍ଦରଗଡ଼ ସଦର ବ୍ଲକରୁ ୧୩୦୦ ହେକ୍ଟର ଓ ଗୁରୁଣ୍ଡିଆ ବ୍ଲକରୁ ୧୦୦ ହେକ୍ଟର ଅଧିଗ୍ରହଣ କରାଯାଇଛି। ଶତ ପ୍ରତିଶତ ଚାଷ ଉପରେ ନିର୍ଭରଶୀଳ ଜନସାଧାରଣଙ୍କ ଚାଷଜମିକୁ ଖଣି ପାଇଁ ଅଧିଗ୍ରହଣ କରାଯାଉଥିଲେ ମଧ୍ୟ ଆଶାନୁରୂପକ କ୍ଷତିପୂରଣ ଦିଆଯାଉନି; ଅପରପକ୍ଷରେ ଜମି ହରାଉଥିବାରୁ ଏମାନେ ସର୍ବସ୍ବାନ୍ତ ହେଉଛନ୍ତି।

ମୋଟ୍‌ ଚାଷ ଜମି କମିଥିବାରୁ ଧାନ ଚାଷ ଅପେକ୍ଷାକୃତ ହ୍ରାସ ପାଇବା ସ୍ବାଭାବିକ୍‌। ପୂର୍ବବର୍ଷ ଗୁଡ଼ିକରେ ଜିଲ୍ଲାରେ ମୋଟ୍‌ ୨ଲକ୍ଷ ୯ ହଜାର ହେକ୍ଟର ଜମିରେ କେବଳ ଧାନ ଚାଷ କରାଯାଉଥିଲା। ଚଳିତବର୍ଷ କିନ୍ତୁ ଏଥିରେ ୫ ହଜାର ହେକ୍ଟର ହ୍ରାସ ପାଇଛି; ଅର୍ଥାତ୍‌ ଏଥର ମୋଟ୍‌ ୨ ଲକ୍ଷ ୪ ହଜାର ହେକ୍ଟର ଜମିରେ ହିଁ ଧାନ ଚାଷ କରାଯିବ। ତେବେ ସାମଗ୍ରିକଭାବେ ଅନ୍ୟାନ୍ୟ ଚାଷ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଜିଲ୍ଲାରେ ୮୭ ହଜାର ହେକ୍ଟର ଜମିରେ ଏ ଜାତୀୟ ଚାଷ ହେଉଥିବାବେଳେ ଚଳିତବର୍ଷ ମୋଟ୍‌ ୧ ଲକ୍ଷ ୫ ହଜାର ହେକ୍ଟର ଜମିରେ ଚାଷ କରାଯିବ। ଉଲ୍ଲେଖଯୋଗ୍ୟ, ଗତ ୨୦୨୧ ମସିହାରେ ଜିଲ୍ଲାରେ ୧ ଲକ୍ଷ ୮ ହଜାର ୯୧୩ ହେକ୍ଟର(୧୦୪.୭୨%) ଏବଂ ୨୦୨୦ ମସିହାରେ ୧ ଲକ୍ଷ ୧୪ ହଜାର ୭୯୨ ହେକ୍ଟର(୧୧୦.୨୭%) ଜମିରେ ଧାନ ବ୍ୟତିତ ଅନ୍ୟାନ୍ୟ ଚାଷ କରାଯାଇଥିଲା। ଇତିମଧ୍ୟରେ ଚଳିତ ଖରିଫ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିସାରିଛି। ଏଥର ବିଭିନ୍ନ ଚାଷ, ଯଥା-ଜୋୱର(୮ଶହ ହେକ୍ଟର), ତୈଳ ଜାତ(୧୬,୯୦୦ ହେକ୍ଟର), ପନିପରିବା(୨୫,୦୭୦) ଆଦି ଚାଷ କମିଛି। ପୂର୍ବ ବର୍ଷଗୁଡ଼ିକରେ ଅଧିକ ପରିମାଣ‌ ଜମିରେ ଏ ଧରଣର ଫସଲ କରାଯାଉଥିଲା। ତେବେ, ଅନ୍ୟାନ୍ୟ ଚାଷ, ଯଥା- ମକା(୮୨୦୦ ହେକ୍ଟର), ମିଲେଟ୍‌(୧୭୦୩୦ ହେକ୍ଟର), ଚଣା ଜାତୀୟ(୩୯,୪୦୦ ହେକ୍ଟର), ମସଲା ଜାତୀୟ(୫୮୦୦) ଚାଷ ବଢ଼ିଛି।

ସମ୍ବନ୍ଧିତ ଖବର