ବ୍ରହ୍ମପୁର: କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଦୀର୍ଘ ୭ମାସ ହେଲା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ତାଲା ଝୁଲୁଥିବା ସହ ପ୍ରତିଦିନ ବହିବସ୍ତାନି ଧରି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଏବ‌େ ଗୃହାବଦ୍ଧ ହୋଇ ରହିଛନ୍ତି।ଏହିଭଳି ଘଡ଼ିସନ୍ଧି ସମୟରେ ସେମାନଙ୍କ ପାଠପଢ଼ା ଲାଗି ସାହାରା ପାଲଟିଛି ଅନ୍‌ଲାଇନ୍‌। ହେଲେ ଦୁଃଖର ବିଷୟ ହେଲା, ଗଞ୍ଜାମ ଜିଲ୍ଲାର ଶତାଧିକ ଗ୍ରାମରେ ଏଯାବତ୍‌ ମୋବାଇଲ୍ ସେବା ପହଞ୍ଚିପାରି ନାହିଁ। ଯେଉଁଠି ବି ପହଞ୍ଚିଛି ସେଠାରେ ନେଟଵର୍କ ସମସ୍ୟା ଚିନ୍ତାର କାରଣ ପାଲଟିଛି। ଫଳରେ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ଯୋଗାଯୋଗରୁ ଏକରକମ ବିଚ୍ଛିନ୍ନ ହୋଇ ରହୁଛନ୍ତି।

Advertisment

ଗଞ୍ଜାମ ଜିଲ୍ଲାରେ ୧୮ଟି ସହରାଞ୍ଚଳ ଓ ୨୨ଟି ବ୍ଲକ୍ ରହିଛି। ୫୦୩ ପଞ୍ଚାୟତରେ ୩ ହଜାର ୫ ଶହ ଗାଁ ରହିଛି। ୨୯୬୪ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୪ଲକ୍ଷ ୨୦ହଜାର ପିଲା ଅଛନ୍ତି। ଏଥିସହ ୪ଶହରୁ ଅଧିକ ଘରୋଇ ବିଦ୍ୟାଳୟ ରହିଛି। ୬୬୨ଟି ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ସହସ୍ରାଧିକ ଛାତ୍ରଛାତ୍ରୀ ଅଛନ୍ତି।
କରୋନାର ପ୍ରାଦୁର୍ଭାବ ଲାଗି ମାର୍ଚ୍ଚ ମାସ ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କରୋନାର ପ୍ରକୋପ ଲାଗି ରହିଥିବାରୁ ସ୍କୁଲ ଖୋଲିବା ଲାଗି ସରକାର ସାହସ ଜୁଟାଇ ପାରୁନାହାନ୍ତି। ନୂଆ ବର୍ଷ ପୂର୍ବରୁ ସ୍କୁଲ ଖୋଲିବ ନାହିଁ ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି। ଆଉ ଏଭଳି ପରିସ୍ଥିତିରେ ଟ୍ୟୁସନ୍‌ ଓ କୋଚିଂ ସେଣ୍ଟର ଗୁଡ଼ିକ ବି ବନ୍ଦ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କ ଲାଗି ଏକମାତ୍ର ମାଧ୍ୟମ ପାଲଟିଛି ଅନଲାଇନ୍‌ ପାଠପଢ଼ା। ଛାତ୍ରଛାତ୍ରୀମାନେ ଶିକ୍ଷା ସଂଯୋଗ, ରେଡ଼ିଓ ପାଠଶାଳ, ମଧୁ ଆପ୍‌ ଓ ଦୀକ୍ଷା ଆପ୍‌ ଆଦି ସହାୟତାରେ ପାଠ ପଢ଼ୁଛନ୍ତି। ଏଥିସହ ବିଭିନ୍ନ ସ୍କୁଲ ପକ୍ଷରୁ ଅନ୍‌ଲାଇନ ମାଧ୍ୟମରେ ଅର୍ଥାତ ଜୁମ୍‌ ଆପ୍‌ ଓ ହ୍ବାଟସ୍‌ଆପ୍‌ ଜରିଆରେ ପାଠ ପଢ଼ାଯାଉଛି। ତେ‌ବେ ନେଟୱର୍କଜନିତ ସମସ୍ୟା ଏଥିରେ ବାଧକ ସାଜିଛି।

ଗଞ୍ଜାମ ଜିଲ୍ଲାରେ ବିଏସ୍‌ଏନ୍‌ଏଲ ସହିତ ଆଉ ଦୁଇଟି ଘରୋଇ ଟେଲିକମ୍‌ କମ୍ପାନିର ମୋବାଇଲ ସେବା ଉପଲବ୍ଧ ରହିଛି। ବିଏସ୍‌ଏନ୍‌ଏଲ୍‌ର ପ୍ରାୟ ୨.୫ଲକ୍ଷ ଉପଭୋକ୍ତା ରହିଥିବା ବେଳେ ଅନ୍ୟ ଦୁଇ ଘରୋଇ ଟେଲିକମ୍‌ କମ୍ପାନିର ଉପଭୋକ୍ତା ସ˚ଖ୍ୟା ଯଥେଷ୍ଟ ଅଧିକ। ବିଏସ୍‌ଏନ୍‌ଏଲ୍‌ର ଜିଲ୍ଲାରେ ୨୩୭ଟି ୨-ଜି ଏବ˚ ୧୮୬ଟି ୩-ଜି ମୋବାଇଲ ଟାଵାର ରହିଛି। ସମସ୍ତ ଇଲାକାକୁ ବିଏସ୍‌ଏନ୍‌ଲ ୩-ଜି ସେବା ଯୋଗାଇ ପାରିନାହିଁ। ବିଏସ୍‌ଏନ୍‌ଏଲ ପକ୍ଷରୁ ଏଯାବତ୍‌ ୪ଜି ସେବା ଆରମ୍ଭ ହୋଇନାହିଁ। ଜିଲ୍ଲାରେ ୧୩୨ଟି ନୂତନ ଟାଵାର ସ୍ଥାପନ ଲାଗି ଗତ ୪ବର୍ଷ ହେଲା ବିଏସ୍‌ଏନ୍‌ଏଲର ପ୍ରସ୍ତାବ ରହିଛି। କିନ୍ତୁ ମାତ୍ର ୪ଟି ବ୍ରହ୍ମପୁର ସହରରେ ୨ବର୍ଷ ତଳୁ ସ୍ଥାପନ ହୋଇଥିଲେ ହେଁ ତାହା ଏଯାବତ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଘରୋଇ ଟେଲିକମ୍‌ କମ୍ପାନି ଗୁଡ଼ିକ ସେମାନଙ୍କ ବ୍ୟବସାୟ ଦୃଷ୍ଟିରେ ରଖି ନେଟଵର୍କ ଇଲାକାକୁ ସମ୍ପ୍ରସାରିତ କରୁଛନ୍ତି। ତେବେ ଗ୍ରାମାଞ୍ଚଳରେ ଲାଭ ହେଉ ନ ଥିବାରୁ ଘରୋଇ ସ˚ସ୍ଥା ଗୁଡ଼ିକ ବିଶେଷ ଦୃଷ୍ଟି ଦେଉ ନଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ପାତ୍ରପୁର ବ୍ଲକ୍‌ର ଦୁର୍ଗମ ଇଲାକା ଆଙ୍କୁଲି, ବୁରାତାଲ, ତୁରୁବୁଡ଼ି ଓ ତୁମ୍ବା ପଞ୍ଚାୟତର କେତେକ ଅଞ୍ଚଳରେ ଏଯାବତ୍‌ ମୋବାଇଲ୍ ସେବା ପହଞ୍ଚିପାରିନାହିଁ। ସେହିପରି ଖଲ୍ଲିକୋଟ ବ୍ଲକ୍ ଆଇତିପୁର, ଦେବୀଝର, ଗୋପପୁର ଓ ବାଣିଆଚିକିଲିର କିଛି ଇଲାକାରେ ମୋବାଇଲ ନେଟଵର୍କ ଠିକ୍‌ ଭାବେ ଆସୁନାହିଁ। ପୁରୁଷୋତ୍ତମପୁର ବ୍ଲକର ବଡ଼ଖରିଡ଼ା ଗ୍ରାମପଞ୍ଚାୟତର ପାହାଡ଼ିଆ ଅଞ୍ଚଳ ଜେନାବଗଡ଼ ଓ ବାଉରୀବଗଡ଼ରେ ସମାନ ସ୍ଥିତି ରହିଛି। ପୋଲସରାର ମାଳ ଅଞ୍ଚଳ ଓ ବେଗୁନିଆପଡ଼ାର କିଛି ଇଲାକାରେ ମୋବାଇଲ ନେଟଵର୍କ ସମସ୍ୟା ନିତିଦିନିଆ କଥା ପାଲଟିଛି। ସୋରଡ଼ା ବ୍ଲକର ସୋରଡ଼ା ଏନ୍‌ଏସିକୁ ଛାଡ଼ି ଦେଲେ ଏହି ବ୍ଲକର ୭୦ ପ୍ରତିଶତ ଇଲାକାରେ ମୋବାଇଲ ନେଟୱର୍କ ସମସ୍ୟା ରହିଛି। ଏଥିସହ ଜଗନ୍ନାଥପ୍ରସାଦ ଓ ଭଞ୍ଜନଗରର ଉପାନ୍ତ ଅଞ୍ଚଳରେ ଏହି ସମସ୍ୟା ରହିଛି। ଫଳରେ କେବଳ ଛାତ୍ରଛାତ୍ରୀଙ୍କ ପାଠପଢ଼ା କେବଳ ବ୍ୟାଘାତ ହେଉଛି, ଏହାସହ ସ୍ଥାନୀୟ ଅଞ୍ଚଳର ଲୋକମାନେ ବି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ଟେଲିକମ୍‌ ରେଗୁଲେଟରି ଅଫ୍‌ ଇଣ୍ତିଆ(ଟ୍ରାଇ)ର ଏକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୩ କୋଟି ୩୦ଲକ୍ଷ ମୋବାଇଲ୍ ଉପଭୋକ୍ତା ରହିଛନ୍ତି। କେବଳ ଗ୍ରାମାଞ୍ଚଳରେ ୨କୋଟି ୨୧ଲକ୍ଷ ରହିଛନ୍ତି। ଦେଶରେ ପ୍ରତି ୧୦୦ ଜଣଙ୍କ ମଧ୍ୟରେ ୮୬ ପ୍ରତିଶତ ଲୋକ ମୋବଇଲ୍ ବ୍ୟବହାର କରୁଛନ୍ତି। ଏହାକୁ 'ଟେଲି ଡେନ୍‌ସିଟି' କୁହାଯାଇଛି। ଦେଶର ଟେଲି ସାନ୍ଧ୍ରତା ୮୬ ପ୍ରତିଶତ ରହିଥିବା ବେଳେ ଓଡ଼ିଶାର ୭୫.୫ ପ୍ରତିଶତ ରହିଛି। ଏଥିରୁ ଓଡ଼ିଶାର ପ୍ରତି ଶହେରେ ୨୫ଜଣ ମୋବାଇଲ ବ୍ୟବହାର କରୁ ନ ଥିବା ସ୍ପଷ୍ଟ ହେଉଛି। ଗ୍ରାମାଞ୍ଚଳରେ ଟେଲି ସାନ୍ଧ୍ରତା ୬୧.୬ ପ୍ରତିଶତ ରହିଛି। ସହରାଞ୍ଚଳରେ ୧୩୭ ପ୍ରତିଶତ ଅର୍ଥାତ ଅଧିକା˚ଶ ଲୋକ ଦୁଇରୁ ୩ଟି ନେଟଵର୍କ ବ୍ୟବହାର କରୁଛନ୍ତି। ଟେଲି ସାନ୍ଧ୍ରତାରେ ଓଡ଼ିଶା ଦେଶର ୧୫ତମ ସ୍ଥାନରେ ରହିଛି। ମିଳିଥିବା ଏକ ସୂଚନା ଅନୁଯାୟୀ ଓଡ଼ିଶାର ୬୫୪୯ ଗାଁରେ ଏ ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନାହିଁ।