ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ବଡଡେଙ୍ଗୁଣି ଗ୍ରାମର ୪ଜଣଙ୍କୁ ନକ୍ସଲ ଅପହରଣ କରିଥିବା ସୂଚନା ମିଳିଛି। ଗତ ରବିବାର ରାତିରେ ବଡଡେଙ୍ଗୁଣି ଗ୍ରାମର ବଲି କରକରିଆ, ତେଲା କରକରିଆ, ନେପାଳ ଟାକ୍ରୀ ଓ ହର ଟାକ୍ରୀଙ୍କୁ ନକ୍ସଲ ଅପହରଣ କରିଥିବା ଜଣାପଡିଛି। ଉକ୍ତ ଗ୍ରାମ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଆଜି ମୁନିଗୁଡା ସାପ୍ତାହିକ ହାଟକୁ ନିୟମଗିରି ଅଞ୍ଚଳର କୌଣସି ଲୋକ ଆସିନଥିବାରୁ ହାଟ ଖାଁ ଖାଁ ଲାଗୁଥିଲା। ପରେ ଖବର ନେବାରେ ୪ଜଣଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି। କିନ୍ତୁ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନଥିବା ଜଣାପଡିଛି। ଥାନା ଆଇଆଇସି କପିଳେଶ୍ୱର ବେହେରା ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି।
ସୂଚନାଥାଉକି ଗତ କିଛି ଦିନ ହେବ ନିୟମଗିରି ଅଞ୍ଚଳରେ ନକ୍ସଲ ଚଳପ୍ରଚଳ ହେଉଥିବା ବେଳେ ଭୁରୁଷିଖମା ଗ୍ରାମ ନିକଟରେ ବ୍ୟାନର ଲଗାଇ ରାସ୍ତା ଅବରୋଧ କରି ସେମାନଙ୍କ ଉପସ୍ଥିତି ଜାହିର କରିଥିଲେ।