ସ୍ଥିତି ଜାହିର କଲା ଲାଲବାହିନୀ : ଗ୍ରାମରକ୍ଷୀଙ୍କ ସମେତ ୪ ଜଣଙ୍କୁ ଅପହରଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଲାଲବାହିନୀ ପୁଣି ନିଜର ସ୍ଥିତି ଜାହିର କରିଛି। ଜିଲ୍ଲା ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମର ଗ୍ରାମରକ୍ଷୀ ସମେତ ୪ ଜଣଙ୍କୁ ଗୁରୁବାର ରାତିରେ ଅପହରଣ କରିନେଇଛି।

ସୂଚନାରୁ ପ୍ରକାଶ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ତ୍ରିଲୋଚନପୁର ଗ୍ରାମରେ ଗତକାଲି ରାତିରେ ୨୦ରୁ ଅଧିକ ସଶସ୍ତ୍ର ମାଓବାଦୀ ପହଞ୍ଚି ହାମଲା କରିବା ସହ ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ବିଶିକେଶନ ନାଏକ, ରାଜୁ ନାଏକ ଓ ବାବୁଲା ନାଏକଙ୍କୁ ଅପହରଣ କରିନେଇଥିଲେ। ଆଜି ସକାଳେ ଏହି ଘଟଣା ଜଣାପଡ଼ିଥିଲେ ମଧ୍ୟ ସେମାନଙ୍କ ପରିବାର ଲୋକେ ଏ ନେଇ ପୁଲିସକୁ ଖବର ଦେଇନଥିଲେ। ତେବେ ମାଓବାଦୀଙ୍କ ଉପସ୍ଥିତି ପୁଣି ଥରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଥିଲା। ପରେ ପୁଲିସ ଏ ସମ୍ପର୍କରେ ଖବର ପାଇଥିଲେ ମଧ୍ୟ ଅପହରଣ ପଛରେ ମାଓବାଦୀଙ୍କ ହାତ ଅଛି କି ନାହା ତାହା ସ୍ପଷ୍ଟ କରିନାହିଁ। ଏହା ନାଗାବଳୀ ଘୁନସର ବଂଶଧାରା ଡିଭିଜନର ମାଓ ସଂଗଠନ ବୋଲି ସନ୍ଦେହ ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଦିନ ଦିନକୁ ଲାଲ ବାହିନୀ ରକ୍ତମୁଖା ହେବା ସହିତ ନିଜର କାୟା ବିସ୍ତାର କରିବାରେ ଲାଗିବା ଘଟଣା ସାଧାରଣରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର