ଚାରିଛକ : ଦାଦନ ଖଟିବାକୁ ଚାରିଛକ ଥାନା ଅନ୍ତର୍ଗତ ଆଗରଶାସନ ଗ୍ରାମର କେତେକ ବ୍ୟକ୍ତି ତାମିଲନାଡୁ ଯାଇଥିଲେ। ତେବେ ସେମାନଙ୍କୁ ସେଠାରୁ ମାଡ଼ ମରାଯାଇଥିବା ନେଇ ସେଠାରୁ ଫେରିଥିବା କିଛି ଶ୍ରମିକ ଆଜି ଥାନାରେ ଅଭିଯୋଗ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଚାରିଛକ ଥାନା ଅନ୍ତର୍ଗତ ଅଗରଶାସନ ଗ୍ରାମର ସାଗର କାଣ୍ଡି, ବିଜୟ ସାହୁ, ଅକ୍ଷୟ ଦାସ ଓ କୈଳାଶ ଭୋଇଙ୍କୁ ଗ୍ରାମର ଅନନ୍ତ କୁମାର ଭୋଇ ତାମିଲନାଡୁର ଏକ କଂପାନିରେ କାମ କରିବାକୁ ନେଇଥିଲେ। ଦୈନିକ ମଜୁରୀ ହିସାବରେ ଜଣକୁ ୫ଶହ ଟଙ୍କା ଏବଂ କଂପାନି ତରଫରୁ ଖାଇବାକୁ ଦିଆଯିବ ବୋଲି ମଧ୍ୟସ୍ଥି ଅନନ୍ତ ସେମାନଙ୍କୁ କହିଥିଲେ। ଶ୍ରମିକମାନେ ଅନନ୍ତଙ୍କ ସହିତ ଗତ ୧ ତାରିଖରେ ତାମିଲନାଡୁ ଯାଇଥିଲେ। ଅନନ୍ତ ସାଥିରେ ନେଇଥିବା ୪ଜଣ ଶ୍ରମିକଙ୍କୁ କଂପାନିର ଠିକାଦାରଙ୍କ ପାଖରେ ଛାଡି ଗ୍ରାମକୁ ଚାଲି ଆସିଥିଲେ। କିଛିଦିନ କାମ କରି ଠିକାଦାରକୁ ଟଙ୍କା ମାଗିବାରୁ ଠିକାଦାର ୪ଜଣ ଶ୍ରମିକଙ୍କୁ ମାଡ଼ ମାରି ସେମାନଙ୍କ ମୋବାଇଲ୍‌ ଫୋନ ଓ ବ୍ୟାଗ୍‌ରୁ ବିଭିନ୍ନ ଆସବବାପତ୍ର ଛଡାଇ ନେଇଥିଲେ। ତୁମ ମ୍ୟାନେଜର ଟଙ୍କା ନେଇଯାଇଛି ବୋଲି କହି ଧମକଚମକ ଦେଇଥିଲେ। ଟଙ୍କା ନ ପାଇବାରୁ ସେମାନେ ଘରକୁ ପଳାଇ ଆସିବାକୁ କହିବାରୁ ଠିକାଦାର ସେମାନଙ୍କୁ ମାଡ଼ ମାରିଥିବା କହିଛନ୍ତି। ପରେ ଘରକୁ ଫୋନ କରିବାରେ ଘର ଲୋକ ଟଙ୍କା ପଠାଇବାରୁ ତାମିଲନାଡୁରୁ ଦାଦନ ଖଟିବାକୁ ଯାଇଥିବା ଏହି ୪ ଶ୍ରମିକ ଘରକୁ ଫେରିଥିଲେ। ଶ୍ରମିକମାନଙ୍କୁ ତାମିଲନାଡ଼ୁ ନେଇଥିବା ଅନନ୍ତ ବିରୋଧରେ ମଧ୍ୟ ଚାରିଛକ ଥାନାରେ ଅଭିଯୋଗ ହୋଇଛି।