ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଏଜେଣ୍ଟ ଭାବରେ ଧାନ ସଂଗ୍ରହ କରୁଛନ୍ତି ପେକ୍ସ। ହେଲେ ୨୦୧୯ ମସିହାରୁ ଲଗାତାର ୪ ବର୍ଷ ଧରି ଉଭୟ ଖରିଫ ଏବଂ ରବି ଧାନ ସଂଗ୍ରହ କମିସନ ଟଙ୍କା ପେକ୍ସମାନଙ୍କୁ ଦିଆଯାଇନଥିବା ଜଣାଇଛନ୍ତି ଖୋଦ୍ ରାଜ୍ୟ ସରକାରଙ୍କ ସମବାୟ ସମିତି ନିବନ୍ଧକ। ଏଥିଯୋଗୁଁ ସେମାନଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି। ଯଥାଶୀଘ୍ର ବକେୟା ଟଙ୍କା ପ୍ରଦାନ ପାଇଁ ଓଡ଼ିଶା ରାଜ୍ୟ ସମବାୟ ନିଗମର ପରିଚାଳନା ନିର୍ଦେଶକଙ୍କୁ ସେ ଜଣାଇଛନ୍ତି। ରାଜ୍ୟ ସମବାୟ ସମିତି ସମ୍ପାଦକ ସଂଘର କହିବା ଅନୁସାରେ, ଏହି ୪ ବର୍ଷରେ ୪୦୦ କୋଟିରୁ ଊର୍ଧ୍ବ ଟଙ୍କା ବକେୟା ରହିଛି।

Advertisment

ଯୋଗାଣ ବିଭାଗର ତଥ୍ୟ କହୁଛି, ୨୦୨୧ ମସିହାରେ ୭୧ ଲକ୍ଷ ୩ ହଜାର କ୍ବିଣ୍ଟାଲ ଏବଂ ୨୦୨୧ ମସିହାରେ ୭୭ ଲକ୍ଷ ୩୨ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ରାଜ୍ୟର ୨୪୯୫ ପେକ୍ସ ଏବଂ ୨୧୫ ଲ୍ୟାମ୍ପ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରନ୍ତି। ହେଲେ ପେକ୍ସ ସମ୍ପାଦକ ସଂଘ କହୁଛି, ଧାନ ବିକ୍ରି ଟଙ୍କା ଏମାନେ ଚାଷୀଙ୍କ ଆକାଉଣ୍ଟରେ ଜମା କରୁନଥିଲେ ମଧ୍ୟ ଧାନ ବସ୍ତା ଲୋଡିଂ, ଅନଲୋଡିଂ ପାଇଁ ଆବଶ୍ୟକ ଶ୍ରମ ଖର୍ଚ୍ଚ, ବସ୍ତା, ସୁତୁଲି, ମଣ୍ଡିରେ ପାଣି ବ୍ୟବସ୍ଥା, ତାରପୋଲିନ ପେକ୍ସ କରେ। ଧାନ ବିକ୍ରି ପାଇଁ ଆସୁଥିବା ଚାଷୀଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବା ସେମାନଙ୍କ କାର୍ଯ୍ୟ। ଏଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ କ୍ବିଣ୍ଟାଲ ପିଛା ୩୧ ଟଙ୍କା ୨୫ ପଇସା ପ୍ରଦାନର ବ୍ୟବସ୍ଥା ରହିଛି। ଯେଉଁ ସମିତି ଯେତେ ଅଧିକ ଧାନ ସଂଗ୍ରହ କରେ ସେହି ଅନୁସାରେ ତା’ର ଅଧିକ ଖର୍ଚ୍ଚ ହୁଏ। କିନ୍ତୁ ୨୦୧୮ ମସିହାରୁ ଲଗାତାର ୪ ବର୍ଷ ହେଲା ସେମାନଙ୍କୁ ଟଙ୍କା ମିଳୁନଥିବାରୁ ପେକ୍ସଗୁଡ଼ିକ ଦେବାଳିଆ ସ୍ଥିତିକୁ ଆସିବାକୁ ଲାଗିଲେଣି। ଏହାକୁ ନେଇ ଲଗାତାର ସେମାନେ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ, ସଚିବଙ୍କୁ ଦାବିପତ୍ର ଜଣାଇଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ। ଅନ୍ୟଦିଗରେ ସମବାୟ ରେଜିଷ୍ଟ୍ରାର ମଧ୍ୟ ନିଜ ଚିଠିରେ ଜଣାଇଛନ୍ତି ୨୦୧୯ର ଖରିଫ, ୨୦୨୦ ଏବଂ ୨୦୨୧ ମସିହାର ଉଭୟ ରବି, ଖରିଫ, ୨୦୨୨ ମସିହାର ରବିର କମିସନ ଟଙ୍କା ବକେୟା ପଡ଼ିଛି। ଏଥିଯୋଗୁଁ ପେକ୍ସ ଏବଂ ଲ୍ୟାମ୍ପସ୍‌କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ମଧ୍ୟ ଏଥିରେ କୁହାଯାଇଛି।

କେନ୍ଦ୍ର ଉପରେ ରାଜ୍ୟର ୧୪ ହଜାର କୋଟି ବକେୟା ରହିଛି: ସମବାୟ ନିଗମ
ଧାନ ସଂଗ୍ରହ ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ପୂର୍ବରୁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ବିଭିନ୍ନ ସମୟରେ କୁହାଯାଇଛି। ରାଜ୍ୟ କେନ୍ଦ୍ରର ଏଜେଣ୍ଟ ଭାବରେ କାର୍ଯ୍ୟ କରେ। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ୧୪ ହଜାରରୁ ଊର୍ଧ୍ବ ଖାଦ୍ୟ ସବିସିଡି ଟଙ୍କା ଦିଆଯାଇନାହିଁ। ଏଥିରେ ଚାଉଳ ଖର୍ଚ୍ଚ, ଧାନ ସଂଗ୍ରହ କମିସନ, ମଣ୍ଡି ଲେବର ଚାର୍ଜ, ଏମଏସପି, ପରିବହନ, ଗୋଦାମ ଭଡ଼ା ଏବଂ ବ୍ୟାଙ୍କ ସୁଧ ରହିଛି। ଚଳିତ ବର୍ଷ ନୁହେଁ ୨୦୧୪ ମସିହାରୁ କେନ୍ଦ୍ର ସରକାର ବକେୟା ରଖିଛନ୍ତି। ଏପରିକି ଗତବର୍ଷ ତତକାଳୀନ ସମବାୟ ମନ୍ତ୍ରୀ ଯଥାଶୀଘ୍ର କମିସନ ଟଙ୍କା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି କରିଥିଲେ।