ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଭୁଲିଗଲା ପ୍ରଶାସନ : ଜୀଇଁବାକୁ ୪ ବର୍ଷର ଥାଲେସେମିଆ ଶିଶୁର ସଂଘର୍ଷ

ବର୍ଷ ପରେ ବି ପହିଞ୍ଚିଲା ନି ପ୍ରଶାସନର ସହାୟତା

ରାଉରକେଲା: ମାସେ କି ଦୁଇ ମାସ ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ବର୍ଷେ ପୁରିଲା। ଥାଲେସେମିଆ ପୀଡିତ ଶିଶୁଙ୍କୁ ଚିକିତ୍ସା ସହାୟତା ପ୍ରତିଶ୍ରୁତି ଦେଇଥିବା ସୁନ୍ଦରଗଡ ଜିଲ୍ଲା ପ୍ରଶାସନ କିନ୍ତୁ ପାସୋରିଗଲା। ସମରଜିତ୍‌ର ବାପା ରାଜ୍ୟ ସରକାରଙ୍କ ଉପରୁ ଭରସା ତୁଟାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଆର୍ଥିକ ସହାୟତା ଚିଠି ଲେଖିଥିଲେ। ରାଜ୍ୟ ସରକାରଙ୍କ ପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ସମରଜିତ୍‌ ବାପାଙ୍କ ଦୁଃଖ ଶୁଣିଲେନି। ଥରେ କି ଦୁଇଥର ନୁହେଁ ‌ଅନେକବାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭାଗୀୟ ଅଧିକାରୀଙ୍କୁ ହାତଯୋଡି ଗୁହାରି କଲେ। ବିଡମ୍ବନା, କେହି ଶୁଣିଲେନି। ଅର୍ଥ ଅଭାବରୁ ଚାରି ବର୍ଷର ଶିଶୁ ସମରଜିତ୍‌ ଜୀଇଁବାକୁ ସଂଘର୍ଷ କରୁଛନ୍ତି। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ଉଭୟ ପିତା-ମାତା ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଦିନ ରାତି କେବଳ ଆଖିରୁ ଲୁହ ଗଡାଉଛନ୍ତି।

ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତା ପଞ୍ଚାୟତ ଅଧୀନ ମହିପାଣି ଗାଁର କୁମୁଦ ମହାତୋ, ପତ୍ନୀ ଓ ୪ ବର୍ଷର ଥାଲେସେମିଆ ରୋଗିଣା ପୁଅ ସମରଜିତ୍‌ ରହନ୍ତି। ପୁଅର ଚିକିତ୍ସା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଏତେ ପରିମାଣ ଅର୍ଥ ନଥିବାରୁ କୁମୁଦ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ଦ୍ବାରସ୍ଥ ହୋଇଥିଲେ। ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ‌ନିବେଦନ କରିଥିଲେ। କିନ୍ତୁ ତାଙ୍କର ଦୁଃଖ କେହି ଶୁଣି ନଥିଲେ। ଗତ ୨୦୨୦ ମାର୍ଚ୍ଚ ୩ରେ ସୁନ୍ଦରଗଡ ସଦର ମହକୁମାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଥିବା ଖବର ପାଇଥିଲେ ସମରଜିତ୍‌ଙ୍କ ପିତା କୁମୁଦ। ସେହି ଦିନ ସକାଳେ ପୁଅକୁ ଧରି ପହଞ୍ଚି ଯାଇଥିଲେ ସଭାସ୍ଥଳରେ। କଡା ସୁରକ୍ଷାକୁ ଭେଦ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ। ବାଟ ଓଗାଳିଥିଲେ ସୁରକ୍ଷା କର୍ମୀ। ଆଗକୁ ନ ଯାଇ ପାରି କୁମୁଦ ପାଟି କରି ‘ପୁଅ ଥାଲେସେମିଆ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ମୋ ପାଖରେ ଅର୍ଥ ନାହିଁ, ଆପଣ ମୋ ପୁଅକୁ ବଞ୍ଚାନ୍ତୁ’। ସଭା ମଞ୍ଚରେ ବସିଥିବା ମୁଖ୍ୟମନ୍ତ୍ରୀ ଉପସ୍ଥିତ ତତ୍କାଳୀନ ଉପଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ କୁମୁଦ ଦୁଃଖ ଶୁଣିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପର ଦିନ କୁମୁଦଙ୍କ ଗାଁଙ୍କୁ ପ୍ରଶାସନିକ ଅଧିକାରୀଙ୍କ ସୁଅ ଛୁଟିଥିଲେ। ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କୁମୁଦଙ୍କ ଗାଁରେ ପହଞ୍ଚିଥିଲେ। ତାଙ୍କ ପୁଅ ସମରଜିତ୍‌ ସ୍ବାସ୍ଥ୍ୟ ଅବସ୍ଥା ସଂକ୍ରାନ୍ତରେ ପଚାରିଥିଲେ। ପୁଅ ଚିକିତ୍ସା ଖର୍ଚ୍ଚ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ ‌ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏମିତି ପ୍ରାୟ ସପ୍ତାହ ଧରି ସବୁ କିଛି ଚାଲିଲା। ପରବର୍ତ୍ତୀ ସମୟରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିଲାନି। ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ। ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଆସୁଛନ୍ତି। ତାଙ୍କ ନିର୍ଦ୍ଦେଶକୁ ପ୍ରଶାସନିକ ଅଧିକାରୀ ପାଳନ କରି ନଥିବାରୁ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇବେ ବୋଲି କହିଛନ୍ତି କୁମୁଦ।

ସମ୍ବନ୍ଧିତ ଖବର