ଭୁବନେଶ୍ବର : ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଅବଧି ଦୁଇ ବର୍ଷ। ଆମ ଶିକ୍ଷା ବ୍ୟବସ୍ଥାରେ ଏହା ହିଁ ପ୍ରଚଳିତ ଅଛି। କିନ୍ତୁ ଉତ୍କଳ ବିଶ୍ବବିଦ୍ୟାଳୟ ଏଥିରେ ବ୍ୟତିକ୍ରମ ସାଜିଛି। ଏଠାରେ ପିଜି ପାଠ୍ୟକ୍ରମର ଅବଧି ପାଖାପାଖି ଚାରି ବର୍ଷ ହୋଇଯାଇଛି। କାଗଜପତ୍ରରେ ଦୁଇ ବର୍ଷ ଥିଲେ ବି ବାସ୍ତବରେ ପିଲା ଚାରି ବର୍ଷରେ ହିଁ ଉତ୍ତୀର୍ଣ୍ଣ ହେଉଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମ୍ଏସ୍ସି ନର୍ସିଂ ପାଠ୍ୟକ୍ରମରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗୋଟିଏ ବର୍ଷ ନୁହେଁ, ଲଗାତର ଭାବେ ବର୍ଷ ବର୍ଷ ଧରି ପିଲାଙ୍କ କ୍ୟାରିୟର୍ ସହ ଏମିତି ସାଂଘାତିକ ଖେଳ ଖେଳୁଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ଯେପରି ବିଶ୍ବବିଦ୍ୟାଳୟର ନାମ ସହ ଯୋଡ଼ି ହୋଇଯାଇଛି।
ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ସରକାର ଅଗ୍ରାଧିକାର ଦେଉଥିଲା ବେଳେ ଏଥିରେ ନର୍ସିଂ ଶିକ୍ଷା ପ୍ରତି ଗୁରୁତ୍ବ ଦିଆଯାଉଛି। ଏବେ ମୋଟ ୬୬ଟି ଅନୁଷ୍ଠାନ ବିଏସ୍ସି ନର୍ସିଂ, ପିବିବିଏସ୍ସି ନର୍ସିଂ ଓ ଏମ୍ଏସ୍ସି ନର୍ସିଂ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଛନ୍ତି। ଏହା ମଧ୍ୟରୁ ୧୦ଟି ଶିକ୍ଷାନୁଷ୍ଠାନ ଏମ୍ଏସ୍ସି ନର୍ସିଂ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ କଲେଜ ସଂଖ୍ୟା ବଢ଼ିଚାଲିଥିଲେ ବି ସ୍ବାସ୍ଥ୍ୟ ବିଭାଗର ଅପାରଗତା ଯୋଗୁ ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇପାରୁ ନାହିଁ। ଫଳରେ ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ପାଠ୍ୟକ୍ରମଗୁଡ଼ିକ ରାଜ୍ୟରେ ଥିବା ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ଅଧୀନରେ ପରିଚାଳିତ ହେଉଛି। ଏହାର ସୁଯୋଗ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମନମାନି ଚଳାଇଛନ୍ତି। ଏମ୍ଏସ୍ସି ନର୍ସିଂ ପାଠ୍ୟକ୍ରମ କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟର ଚରମ ଅବହେଳା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ନର୍ସିଂ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ
ଛାତ୍ରୀଙ୍କ କ୍ୟାରିୟର ସହ ସାଂଘାତିକ ଖେଳ
ତଥାପି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପାଇଁ ଚେତୁ ନାହାନ୍ତି
୨୦୧୩-୧୪ ଶିକ୍ଷା ବର୍ଷରୁ ଓଡ଼ିଶାରେ ଏମ୍ଏସ୍ସି ନର୍ସିଂ ପାଠ୍ୟକ୍ରମ ଆରମ୍ଭ ହେଲା। ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ୮ଟି ଘରୋଇ କଲେଜ ଥିଲା ବେଳେ ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଗୋଟିଏ ଲେଖାଏ ଏମ୍ଏସ୍ସି ନର୍ସିଂ କଲେଜ ଅଛି। ଏହା ବାଦ୍ ଡିମ୍ଡ୍ ବିଶ୍ବବିଦ୍ୟାଳୟରେ ମଧ୍ୟ ଏହି ପାଠ୍ୟକ୍ରମ ରହିଛି। କେବଳ ଉତ୍କଳ ବିଶ୍ବବିଦ୍ୟାଳୟକୁ ବାଦ୍ ଦେଲେ ଅନ୍ୟ ସବୁ ବିଶ୍ବବିଦ୍ୟାଳୟରେ ଠିକ୍ ସମୟରେ ପରୀକ୍ଷା ହୋଇ ଫଳ ବାହାରୁଛି। ଏହି ପାଠ୍ୟକ୍ରମର ଅବଧି ଦୁଇ ବର୍ଷ ହୋଇଥିଲା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ପରୀକ୍ଷା କରାଯାଇ ଫଳ ପ୍ରକାଶ କରିବା ପାଇଁ ଅତି କମ୍ରେ ୩ରୁ ୪ ବର୍ଷ ଲାଗୁଛି।
୨୦୧୬-୧୭ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ୨୦୧୮ରେ ଚୂଡ଼ାନ୍ତ ପରୀକ୍ଷା ଦେଇ ସାର୍ଟିଫିକେଟ୍ ପାଇବା କଥା। ସେମାନଙ୍କ ଚୂଡ଼ାନ୍ତ ପରୀକ୍ଷା ଏବେ ଶେଷ ହୋଇଛି। କିନ୍ତୁ ଫଳ ପ୍ରକାଶ ପାଇନାହିଁ। ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇ ସାର୍ଟିଫିକେଟ୍ ମିଳିଲା ବେଳକୁ ୨୦୨୦ ହେବ। ତେଣୁ ପିଜି ପାଠ୍ୟକ୍ରମ ଶେଷ କରିବା ପାଇଁ ସେମାନଙ୍କୁ ପାଖାପାଖି ଚାରି ବର୍ଷ ଲାଗିଗଲା। ସେହିପରି ୨୦୧୭-୧୮ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ଚୂଡ଼ାନ୍ତ ପରୀକ୍ଷା ୨୦୧୯ରେ ହେବା କଥା। କିନ୍ତୁ ଏବେ ସେମାନଙ୍କ ପ୍ରଥମ ବର୍ଷ ପରୀକ୍ଷା ଚାଲିଛି। ୨୦୧୫ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୧୮ ଶେଷ ଭାଗରେ ହେଲା। ସେମାନଙ୍କ ଫଳ ପ୍ରକାଶ ପାଇ ସାର୍ଟିଫିକେଟ୍ ଚଳିତ ବର୍ଷ ମିଳିଲା। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପାଖାପାଖି ଦୁଇ ବର୍ଷ ବରବାଦ ହେଉଛି। ଯଦି ଅନ୍ୟ ବିଶ୍ବବିଦ୍ୟାଳୟ ଓ ଡିମ୍ଡ୍ ବିଶ୍ବବିଦ୍ୟାଳୟ ଠିକ୍ ସମୟରେ ପରୀକ୍ଷା କରି ଫଳ ପ୍ରକାଶ କରିପାରୁଛନ୍ତି, ତେବେ ଉତ୍କଳ କ୍ଷେତ୍ରରେ କେଉଁଠି ସମସ୍ୟା ରହୁଛି? ପରୀକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନଙ୍କର ଏହା ବେପରୱା କାମ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି? ପରୀକ୍ଷା ପରିଚାଳନାରେ ଏପରି ବିଭ୍ରାଟ ପାଇଁ ବହୁ ଛାତ୍ରଛାତ୍ରୀ ଉତ୍କଳ ଅଧୀନସ୍ଥ କଲେଜରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି। କେବଳ ଏମ୍ଏସ୍ସି ନର୍ସିଂ ନୁହେଁ, ପିବିବିଏସ୍ସି ନର୍ସିଂରେ ମଧ୍ୟ ସମାନ ସ୍ଥିତି। ଏହି ଦୁଇ ବର୍ଷିଆ ପାଠ୍ୟକ୍ରମ ଶେଷ କରିବା ପାଇଁ ପିଲାଙ୍କୁ ୩ ବର୍ଷରୁ ଅଧିକ ସମୟ ଲାଗିଯାଉଛି। ପରୀକ୍ଷା ପରିଚାଳନାରେ ଅହେତୁକ ବିଳମ୍ବ କରୁଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଉ ଏକ କାରସାଦି ବି ଧରାପଡ଼ିଛି। ଦେଢ଼ରୁ ଦୁଇ ବର୍ଷ ବିଳମ୍ବରେ ପରୀକ୍ଷା କରାଉଛନ୍ତି। କିନ୍ତୁ ସାର୍ଟିଫିକେଟ୍ ଇସ୍ୟୁ କରୁଛନ୍ତି ପଛୁଆ ତାରିଖରେ। ଅର୍ଥାତ ୨୦୧୫ ବ୍ୟାଚ୍ ଛାତ୍ରୀଙ୍କ ଫଳାଫଳ ୨୦୧୯ରେ ପ୍ରକାଶ ପାଇଛି। କିନ୍ତୁ େସମାନଙ୍କୁ ଦିଆଯାଇଥିବା ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ରେ ୨୦୧୭ରେ ପରୀକ୍ଷା ହୋଇଥିବା ନେଇ ଦର୍ଶାଯାଇଛି। ସେହି ସାର୍ଟିଫିକେଟ୍ରେ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ନିକଟରେ ତାରିଖ ପଡ଼ୁନାହିଁ। ନିଜ ଦୁର୍ବଳତାକୁ ଘୋଡ଼ାଇବା ପାଇଁ କର୍ତ୍ତୃପକ୍ଷଙ୍କ ଏହା ଏକ ଚାଲ୍ ବୋଲି କୁହାଯାଉଛି।
ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ଏକ ସୁନାମଧନ୍ୟ ବିଶ୍ବବିଦ୍ୟାଳୟରେ ଦାୟିତ୍ବରେ ଥିବା ଅଧିକାରୀମାନଙ୍କର ଛାତ୍ରଛାତ୍ରୀଙ୍କର କ୍ୟାରିୟର୍ ପ୍ରତି ସର୍ବନିମ୍ନ ଦାୟିତ୍ବବୋଧ ନ ରହିବା ସଚେତନ ନାଗରିକ ଓ ଅଭିଭାବକମାନଙ୍କୁ ବ୍ୟଥିତ କରିଛି। ଏହା ଦ୍ବାରା ବିଶ୍ବବିଦ୍ୟାଳୟର ସୁନାମରେ ମଧ୍ୟ ଆଞ୍ଚ୍ ଆସୁଛି। ବାରମ୍ବାର ଏହି ବିଭ୍ରାଟ ସମ୍ପର୍କରେ ଅଭିଯୋଗ ହେଉଥିଲେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାହାର ସମାଧାନ ପାଇଁ ତତ୍ପରତା ପ୍ରକାଶ ନ କରିବା ଆହୁରି ଆଶ୍ଚର୍ଯ୍ୟଜନକ।