୪ ଯୁବତୀଙ୍କୁ ପ୍ରେମଜାଲ୍‌ରେ ଫସାଇ ଦୁଷ୍କର୍ମ! ରସିକିଆ କନିଷ୍ଠଯନ୍ତ୍ରୀଙ୍କୁ ବାନ୍ଧିଲା ପୁଲିସ

ବାରିପଦା: ଜଣେ କି ଦୁଇଜଣ ନୁହଁନ୍ତି; ୪ ଜଣ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଏବଂ ବ‌ିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଜଣେ ରସିକିଆ ଯନ୍ତ୍ରୀ। ହେଲେ ଶେଷରେ ଚୋରାପୀରତି ଧରାପଡ଼ିଛି। ପ୍ରତାରିତ ୨ ଯୁବତୀ ଆଜି ବାରିପଦା ଟାଉନ୍‌ ଥାନାରେ ଏତଲା ଦେବା ପରେ ପୁଲିସ ସମ୍ପୃକ୍ତଯନ୍ତ୍ରୀଙ୍କୁ ଗିରଫ କରିଛି। ସେହିପରି ଅଭିଯୋଗକାରୀ ଯୁବତୀଙ୍କ ଡାକ୍ତରୀ ମାଇନା ହୋଇଛି। ଆସନ୍ତାକାଲି ଗିରଫ ଯନ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯିବ। ଗିରଫ ଯନ୍ତ୍ରୀ ଜଣକ ହେଉଛନ୍ତି; ଶୁକ୍ରା ସିଂ (୨୭)। ଘର ବାରିପଦା ସଦର ଥାନା ଅଞ୍ଚଳରେ ହୋଇଥିବା ବେଳେ ରାଇରଙ୍ଗପୁର ଜଳସେଚନ ବିଭାଗରେ ସେ କାମ କରନ୍ତି। ଶ୍ରୀ ସିଂ ଇନ୍‌ଷ୍ଟାଗ୍ରାମରୁ ଯୁବତୀମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ। କୌଶଳକ୍ରମେ ମୋବାଇଲ୍‌ ନମ୍ବର ହାସଲ କରି କିଛିଦିନ କଥା ହେବା ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ବାହାନା କରି ସେମାନଙ୍କ ପାଖରୁ ଟଙ୍କା ମଧ୍ୟ ଝଡ଼ାଉଥିଲେ। ତେବେ ଶ୍ରୀ ସିଂ’ଙ୍କ ଏହି କଳାକାରାନାମା ବେଶି ଦିନ ଲୁଚି ରହି ନଥିଲା। ନିକଟରେ ସେ ଏକାଥରେ ୪ ଜଣ ଯୁବତୀଙ୍କ ସହ ଫୋନ୍‌ କନ୍‌ଫେରନ୍ସିଂରେ କଥା ହେଉଥିବା ବେଳେ ୨ ଜଣ ଯୁବତୀ ଚାଲାକି ଜାଣି ପାରିଥିଲେ ଏବଂ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର