ବ୍ରହ୍ମପୁର: ସିଡ୍ ସୋସାଇଟି ଆକାଉଣ୍ଟରୁ ଚଞ୍ଚକତା କରି ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବା ନେଇ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ସୁମନ୍ ଶେଖର ରାଉତ ନାମକ ବ୍ୟକ୍ତି ଏଭଳି ବେଆଇନ ଭାବେ ୪୦ଲକ୍ଷ ୬୫ହଜାର ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବା ନେଇ ଅଭିଯୋଗ କରାଯାଇଛି। ପୁଲିସ ଏନେଇ କେସ୍ ନଂ ୬୬/୨୦୨୩ ମାମଲା ରୁଜୁ କରିଥିବା ବେଳେ ଏହାର ତଦନ୍ତଭାର ଏସ୍ଡିପିଓ ନେଇଥିବା ଜଣାପଡ଼ିଛି।
ଉକ୍ତ ସୋସାଇଟିର ଜଣେ ସଦସ୍ୟ ହନକ ରଞ୍ଜନ ନାୟକ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ସୋସାଇଟି ମ୍ୟାନେଜମେଣ୍ଟର ଅଜାଣତରେ ଅଭିଯୁକ୍ତ ସୁମନ୍ ଗତ ଡିସେମ୍ବର ୧୫ରେ ସୋସାଇଟି ଆକାଉଣ୍ଟରୁ ପ୍ରଥମେ ୪୦ଲକ୍ଷ ଏବଂ ଗତ ଜାନୁଆରି ୧୧ରେ ୬୫ହଜାର ଟଙ୍କା ନିଜ ଜମା ଖାତାକୁ ଟ୍ରାନ୍ସଫର୍ କରି ଦେଇଥିଲା। ଏସମ୍ପର୍କରେ ସୋସାଇଟି କର୍ତ୍ତୃପକ୍ଷ ଗତ ୯ତାରିଖରେ ଜାଣିବାକୁ ପାଇଥିଲେ। ମ୍ୟାନେଜମେଣ୍ଟ ନିଷ୍ପତ୍ତି ମୁତାବକ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାର ଅଭିଯୋଗ କରାଯାଇଛି।