ଏମ୍‌ସିଏଚ୍‌ରେ ମା’ ଓ ଶିଶୁ ଡହଳବିକଳ, ୪୦ ଏସି ଅଚଳ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଖରା ତାତି ଅସମ୍ଭାଳ। ଅସହ୍ୟ ଗୁଳୁଗୁଳି ସହ ୪୨ ଡିଗ୍ରିରୁ ତଳକୁ ଖସୁ ନଥିବା ପାରଦ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥିତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର‌ସ୍ଥ ମା’ ଓ ଶିଶୁ ହସ୍ପିଟାଲ (ଏମ୍‌ସିଏଚ୍‌)ର ୪୦ରୁ ଅଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର(ଏସି) ଅଚଳ ହୋଇପଡ଼ିଛି। ଯାହାଫଳରେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁ ଅସହ୍ୟ ତାତିରେ ସିଝୁଛନ୍ତି।

୪ ବର୍ଷ ତଳେ କାର୍ଯ୍ୟକ୍ଷମ ୧୦୦ ଶଯ୍ୟାବିଶିଷ୍ଟ ଏ ହସ୍ପିଟାଲ ଜିଲ୍ଲାର ବିଶେଷକରି ସୁନ୍ଦରଗଡ଼ ଉପଖଣ୍ଡ ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁଙ୍କ ପାଇଁ ବରଦାନ ହୋଇଛି। କିନ୍ତୁ ପରିଚାଳନାଗତ ତ୍ରୁଟି, ଅବ୍ୟବସ୍ଥା ଓ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଅନେକ ସମୟରେ କଲବଲ ହେଉଥିବା ପରିଲକ୍ଷିତ ହୋଇଛି। ପ୍ରଚଣ୍ଡ ତାତି ସମୟରେ ତଳ, ପ୍ରଥମ, ଦ୍ବିତୀୟ ମହଲାର ୪୦ରୁ ଅଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଅଚଳ ହୋଇଯିବା ଏବଂ ଦିନଦିନ ଧରି ସେଗୁଡ଼ିକର ମରାମତି ନହେବା କର୍ତ୍ତୃପକ୍ଷଙ୍କ ଅଣଦେଖାର ଏକ ବଡ଼ ଉଦାହରଣ। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ହସ୍ପିଟାଲକୁ ବ୍ୟବସ୍ଥିତ ରଖିବାକୁ ଦାବି ହୋଇଛି। ଅତି ସମ୍ବେଦନଶୀଳ ଅବସ୍ଥା‌ରେ ଥିବା ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ପାଇଁ ଶୀତତାପ ନିୟନ୍ତ୍ରିତ କକ୍ଷ ବା ପରିବେଶ ଜରୁରୀ ଏବଂ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର