ରାଜ୍ୟରେ ୪୦ ଶିଶୁ ଅନାଥ, ୧୦୦ରୁ ଅଧିକ ଶିଶୁ ବାପା କିମ୍ବା ମା’ଙ୍କୁ ହରାଇଲେଣି

୧୨ ଅନାଥ ଶିଶୁଙ୍କୁ ପେନ୍‌ସନ୍‌ ମିଳିବ

ଭୁବନେଶ୍ବର : କୋଭିଡ ଦ୍ବିତୀୟ ଲହରରେ ରାଜ୍ୟରେ ପ୍ରାୟ ୪୦ ଶିଶୁ ଅନାଥ ହୋଇସାରିଲେଣି। ଏହି ଶିଶୁମାନଙ୍କ ବାପା-ମା’ଙ୍କୁ ସେମାନଙ୍କ ଠାରୁ ଛଡ଼ାଇ ନେଇଛି କରୋନା। ଏପରି ଶିଶୁମାନେ ଏବେ ବେସାହାରା ହୋଇପଡ଼ିଛନ୍ତି। ସବୁଦିନ ପାଇଁ ସେମାନଙ୍କ ମୁହଁରୁ ହସ ଲିଭାଇ ଦେଇଛି କରୋନା। ଯେଉଁ ବୟସରେ ସେମାନଙ୍କର ଖେଳ ଓ ପାଠରେ ସମୟ ବିତିବା କଥା, ସେହି ବୟସରେ ସେମାନେ ବଞ୍ଚିବା ପାଇଁ ସଂଘର୍ଷ ଆରମ୍ଭ କରି ଦେଇଛନ୍ତି। ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନାଥ ଶିଶୁଙ୍କୁ ତତ୍‌କାଳ ସହାୟତା ଦେବା ପାଇଁ ସରକାର ଅବଶ୍ୟ ହାତ ବଢ଼ାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ଶିଶୁଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ସାମିଲ କରାଯାଇଛି। କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏ, ଭଦ୍ରକ, ରାୟଗଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏ ପିଲାଙ୍କୁ ମାସିକ ୫୦୦ ଟଙ୍କା ଲେଖାଏ ପେନ୍‌ସନ୍ ମିଳିବ। ଯେଉଁ ପିଲାମାନେ କୋଭିଡ୍‌ରେ ବାପା, ମା’ଙ୍କୁ ହରାଇଛନ୍ତି, ସେମାନଙ୍କ ନାମ ଆସି‌ଲା ପରେ ଆବଶ୍ୟକ ଯାଞ୍ଚ୍‌ କରାଯାଇ ପେନ୍‌ସନ୍ ଯୋଜନାରେ ସେମାନଙ୍କୁ ସାମିଲ୍ କରାଯାଉଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ତେଣୁ ଆଗକୁ ଅଧିକ ପିଲା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ସେ କହିଛନ୍ତି।

ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ କୋଭିଡ୍‌ରେ ଉଭୟ ବାପା-ମା’ ମରିଥିଲେ ହିଁ ସେମାନେ ପେନ୍‌ସନ୍ ପାଇବାକୁ ଯୋଗ୍ୟ ହେବେ। କିନ୍ତୁ କିଛି ପିଲା ପୂର୍ବରୁ ବାପା କିମ୍ବା ମା’ ଛେଉଣ୍ଡ ଥିଲା ବେଳେ କୋଭିଡ୍‌ରେ ଆଉ ଜଣଙ୍କୁ ହରାଇଛନ୍ତି। ଫଳରେ ସେମାନେ ଅନାଥ ହୋଇଯାଇଛନ୍ତି। କିନ୍ତୁ ଉଭୟ ବାପା-ମା’ କୋଭିଡ୍‌ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରି ନ ଥିବାରୁ ସେମାନଙ୍କୁ ପେନ୍‌ସନ୍ ମିଳିବ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ସରକାର ଏହି ଦିଗକୁ ବିଚାର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

କିଛିପିଲା ତ ଉଭୟ ବାପା-ମା’ଙ୍କ ହରାଇ ଅନାଥ ହେଉଛନ୍ତି। ଆଉ କିଛି ପିଲା ‌କରୋନାରେ ବାପା କିମ୍ବା ମା’ ଜଣଙ୍କୁ ହରାଇ ହତାଶ ହୋଇପଡ଼ିଛନ୍ତି। ଏହିପରି ପିଲାଙ୍କ ସଂଖ୍ୟା ୧୦୦ରୁ ଅଧିକ। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିଲା ବେଳେ ଘରର ମୁରବୀଙ୍କ ମୃତ୍ୟୁ ଏହି ପିଲାମାନଙ୍କ ଭବିଷ୍ୟତ ଗଠନରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଯାଉଛି। ଏପରି ପିଲାଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ବ୍ୟବସ୍ଥା ହୋଇ ନ ଥିବା ଜଣାପଡ଼ିଛି।

ରାଜଧାନୀ କଳିଙ୍ଗବିହାରର ଅଧିବାସୀ ବାସନ୍ତୀଲତା ପାତ୍ର(୪୫)ଙ୍କ ଜୀବନ ଗୋଟିଏ ମାସ ମଧ୍ୟରେ ଏଭଳି ପରିବର୍ତ୍ତନ ହୋଇଯିବ, ତାହା ସେ କେବେ ବି ଚିନ୍ତା କରି ନ ଥିଲେ। ଦ୍ବାଦଶ ଶ୍ରେଣୀରେ ପଢୁଥିବା ପୁଅକୁ ଆଇଆଇଟିରେ ପଢାଇବା ଜୁନ ମାସରୁ କୋଚିଂ ଦେବା ପାଇଁ ପ୍ରସ୍ତୁତ ହେଉଥିଲେ ସେ। କିନ୍ତୁ ବର୍ତ୍ତମାନ ଦୁଇ ସନ୍ତାନଙ୍କ ସ୍କୁଲ ଫି’ କିଭଳି ଦେବେ ତାହା ଜାଣିପାରୁନାହାନ୍ତି। କୋଭିଡରେ ପରିବାରର ମୁଖିଆ ଶିଶିର ପାତ୍ରଙ୍କ ମୃତ୍ୟୁ ସେମାନଙ୍କ ଆର୍ଥିକ ଓ ମାନସିକ ସ୍ଥିତିକୁ ତଳିତଳାନ୍ତ କରି ଦେଇଛି। ବାସନ୍ତୀ କହନ୍ତି, ଦୁଇ ମାସ ପୂର୍ବରୁ ତାଙ୍କ ଜୀବନ ସ୍ବ‌ାଭାବିକ ଥିଲା। ବୀମା ଏଜେଣ୍ଟ ଥିବା ସ୍ବାମୀ ଭଲ ଅର୍ଥ ରୋଜଗାର କରୁଥିଲେ। ଏପରିକି ପର୍ସନାଲ ଲୋନରେ ସେମାନେ କାର୍‌ଟିଏ କିଣିଥିଲେ। ଅଷ୍ଟମ, ଦ୍ବାଦଶରେ ପଢୁଥିବା ଦୁଇ ପିଲାଙ୍କ ପାଠପଢାରେ କୌଣସି ପ୍ରକାର ଅବହେଳା ନ ହେଉ, ସେଥିପାଇଁ ଟ୍ୟୁସନ ସହିତ ବଡ଼ ସ୍କୁଲରେ ଆଡମିସନ କରିଥିଲେ। ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଥିଲେ। ଗତ ମାସରେ ଅଚାନକ ବାସନ୍ତୀ, ଶିଶିର କୋଭିଡ ଆକ୍ରାନ୍ତ ହେଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ବାସନ୍ତୀ ସୁସ୍ଥ ହୋଇଗଲେ, କିନ୍ତୁ ଶିଶିର ସବୁ ଦିନ ପାଇଁ ଆଖି ବୁଜିଦେଲେ। ସ୍ବାମୀ ସରକାରୀ ଚାକିରିଆ ହୋଇନଥିବାରୁ ପେନସନ ବ୍ୟବସ୍ଥା ନାହିଁ। ଏବେ ବାପାଛେଉଣ୍ଡ ଦୁଇ ସନ୍ତାନଙ୍କ ଭବିଷ୍ୟତକୁ ନେଇ ତାଙ୍କ ଚିନ୍ତା ବଢିବାରେ ଲାଗିଛି। କଳିଙ୍ଗ ବିହାରର କେବଳ ଏହି ଦୁଇ ନାବାଳକ ନୁହନ୍ତି, ରାଜ୍ୟରେ ଉଭୟ ପିତାମାତାଙ୍କୁ ହରାଇଥିବା ୪୦ ଜଣ ଶିଶୁ ଏବଂ ବାପା-ମା’ଙ୍କ ଭିତରୁ ଜଣକୁ ହରାଇଥିବା ୧୦୦ରୁ ଅଧିକ ଶିଶୁଙ୍କ ଏହିଭଳି ସଙ୍ଗୀନ୍ ସ୍ଥିତି ହୋଇଛି। ବରଗଡ଼ ଜିଲ୍ଲା ସୁଗରମିଲ ନିକଟରେ ରହୁଥିବା ୧୦ ଏବଂ ୧୭ ବର୍ଷୀୟ ଦୁଇ ବାଳକ କୋଭିଡ୍‌ରେ ବାପା, ମା’ଙ୍କୁ ହରାଇବା ପରେ ସେମାନେ ବର୍ତ୍ତମାନ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ଅଛନ୍ତି। କୋଭିଡ ମୃତ୍ୟୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିବାର ପ୍ରମାଣପତ୍ର ଦେଇ ପାରି ନ ଥିବାରୁ କୋଭିଡ ମୃତକଙ୍କ ଅନାଥ ସନ୍ତାନଙ୍କ ପାଇଁ ସରକାର କରିଥିବା ବ୍ୟବସ୍ଥାରେ ସେମାନଙ୍କୁ ସାମିଲ କରାଯାଇନାହିଁ।

ରାଜ୍ୟରେ ପିଲାଙ୍କୁ ପୃଷ୍ଠପୋଷକତାର ବ୍ୟବସ୍ଥା ରହିଛି। ଏ ବାବଦରେ ପ୍ରତି ଜିଲ୍ଲାକୁ ଯେତିକି ଟଙ୍କା ମଞ୍ଜୁର ହେଉଛି ଏହା ପର୍ଯ୍ୟାପ୍ତ ନୁହେଁ। ଦୁଇ ମାସରେ ଯଦି କୋଭିଡ ଏତେ ସଂଖ୍ୟକ ଶିଶୁଙ୍କୁ ଅନାଥ ଏବଂ ବାପା କିମ୍ବା ମା’ ଛେଉଣ୍ଡ କଲାଣି, ଅଣକୋଭିଡ ଯୋଗୁଁ ଅସହାୟ ଶିଶୁଙ୍କ ଆହୁରି ଅନେକ ଅଧିକ ହୋଇଥିବ, ତାହା ଅନୁମାନ କରାଯାଇପାରେ। ଅନାଥ ଶିଶୁଙ୍କ ପାଇଁ କେବଳ ମଧୁବାବୁ ପେନସନ ଯୋଜନା ଯଥେଷ୍ଟ ନୁହେଁ। ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ସରକାର କିଛି ଠୋସ୍ ପଦ‌କ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତ ପ୍ରକ‌ାଶ ପାଉଛି। ।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ବିଭିନ୍ନ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ସମୁଦାୟ ୧୦ ହଜାର ଶିଶୁଙ୍କୁ ରଖିବାର କ୍ଷମତା ରହିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୮,୫୦୦ ଶିଶୁ ଅଛନ୍ତି। କିନ୍ତୁ କୌଣସି ଶିଶୁଙ୍କୁ ତାଙ୍କ ନିଜ ପରିବେଶରୁ ଆଣି ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରଖିବା ଅନ୍ୟ ଏକ ମାନସିକ ଚାପ। ତେଣୁ ଶିଶୁମାନଙ୍କୁ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ପାଖରେ ରଖିବାକୁ କୁହାଯାଏ। ଅନେକ ସମୟରେ ବାପା, ମାଙ୍କ ମୃତ୍ୟୁ ପରେ ଅନାଥ ଶିଶୁଙ୍କ ସମ୍ପତ୍ତି ସମ୍ପର୍କୀୟମାନେ ହଡ଼ପ କରି ନିଅନ୍ତି। ତେଣୁ ଏଥିରୁ ଶିଶୁମାନଙ୍କୁ କିଭଳି ରକ୍ଷା କରାଯିବ ଏଥିପାଇଁ ସମସ୍ତ ଡିସିପିଓଙ୍କୁ ନିର୍ଦେଶ ହୋଇଛି। କୋଭିଡ ପରିସ୍ଥିତି ସତ୍ତ୍ବେ ଯେତେ ଶିଶୁ କୋଭିଡ଼ କିମ୍ବା ଅଣକୋଭିଡ ଯୋଗୁଁ ଅନାଥ ବା ଅସହାୟ ହେଉଛନ୍ତି ସେମାନଙ୍କୁ ଭର୍ଚୁଆଲରେ ମଧ୍ୟ ସିଡବ୍ଲୁସିରେ ହାଜର ହେବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର