୪୦ଂ ଉପରେ ୧୨ ସହର

ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ତାତି। ତତଲା ସହର ପାଲଟିଲା ତାଳଚେର। ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ନାହିଁ ନ ଥିବା ଯନ୍ତ୍ରଣା ଭୋଗିଥିଲେ ତାଳଚେରବାସୀ। ମଧ୍ୟାହ୍ନରେ ତାପମାତ୍ରା ୪୨ ଡିଗ୍ରି ପାର ହୋଇଯିବା ପରେ ସ୍ଥିତି ଜଟିଳ ହୋଇଥିଲା। ଲୋକେ ପଦାକୁ ବାହାରିପାରି ନ ଥିଲେ। ଦିନ ଯେତିକି ବଢ଼ିଥିଲା ତାତି ମଧ୍ୟ ସେହିପରି ବଢ଼ିଥିଲା। ଅପରାହ୍ନ ପ୍ରାୟ ୧ଟା ୨୫ ବେଳକୁ ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୬ ଡିଗ୍ରି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଟିଟିଲାଗଡ଼ରେ ମଧ୍ୟ ପୁଣିଥରେ ତାତି ଲେଉଟିଛି। ଏକ ମାସ ପରେ ଆଜି ଏଠାକାର ତାପମାତ୍ରା ୪୨.୫ ଡିଗ୍ରିରେ ପହଞ୍ଚିଛି। ଅନୁଗୁଳ ତାପମାତ୍ରା ମଧ୍ୟ ୪୨ ଡିଗ୍ରି ଡେଇଁ ୪୨.୧ ଡିଗ୍ରିରେ ପହଞ୍ଚିଛି। ଚଳିତବର୍ଷ ପ୍ରଥମ ଥର ଲାଗି ଏପ୍ରିଲ ମାସରେ ଏଭଳି ତାତି ଅନୁଭୂତ ହୋଇଛି। ଗୋଟିଏ ଦିନରେ ତିନୋଟି ସହରର ତପମାତ୍ରା ୪୨ ଡିଗ୍ରି ଟପିବା ପ୍ରଥମ ଘଟଣା। ମୋଟ ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରି ଟପିଥିବା ବେଳେ ୬ଟି ସହରର ତାପମାତ୍ରା ୪୧ ଡିଗ୍ରି ପାର ହୋଇଛି। ଗତକାଲି ତତଲା ସହର ପାଲଟିଥିବା ଭୁବନେଶ୍ୱରର ତାପମାତ୍ରା ଆଜି ହ୍ରାସ ପାଇ ୪୦.୮ ଡିଗ୍ରିରେ ପହଞ୍ଚିଥିବା ବେଳେ କଟକର ତାପମାତ୍ରା ବୃଦ୍ଧି ପାଇ ୩୯.୨ ଡିଗ୍ରି ଛୁଇଁଛି। ଏହାବ୍ୟତୀତ ବଲାଙ୍ଗୀରରେ ୪୧.୮, ସମ୍ବଲପୁରରେ ୪୧.୪, ଭବାନୀପାଟଣାରେ ୪୧, ଢେଙ୍କାନାଳ, ଚାନ୍ଦବାଲି ଓ ଝାରସୁଗୁଡ଼ାରେ ୪୦.୮, ମାଲକାନଗିରିରେ ୪୦.୪, ହୀରାକୁଦରେ ୪୦.୩ ଡିଗ୍ରି ରେକର୍ଡ କରାଯାଇଛି। ଅପରାହ୍ଣରୁ ରାତି ୧୧ଟା ମଧ୍ୟରେ ବାଲେଶ୍ୱର, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଫୁଲବାଣୀ, ଦାରିଙ୍ଗବାଡ଼ି, ଭୁବନେଶ୍ୱରରେ ହାଲକା ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ନାହିଁ। ୨୦ ତାରିଖ ବେଳକୁ ତାପମାତ୍ରା ୪୪ ଡିଗ୍ର୍ରି ଟପିବାର ଆଶଙ୍କା ରହିଛି। ଟିଟିଲାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ତାଳଚେର, ଅନୁଗୁଳ ପରି ସହରରେ ଦିନର ତାପମାତ୍ରା ବଢ଼ିବ। ଉପକୂଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର