ବାରିପଦା : ବାରିପଦା ମଣ୍ଡଳ କାରାଗାରରେ ଆଜି ଗୋଟିଏ ଦିନରେ ୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେସଂଖ୍ୟକ କଏଦୀ କରୋନା ସଂକ୍ରମିତ ହେବା ଜେଲ୍ ଅନ୍ତେବାସୀଙ୍କୁ ଆଶଙ୍କାରେ ପକେଇଛି। ବାରିପଦା ଜେଲରେ ୫୯୧ଜଣ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ଆଜିସୁଦ୍ଧା ୬୨୫ଜଣ ଥିବା ଜେଲ୍ ଅଧୀକ୍ଷକ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ଜଣଙ୍କର ଥଣ୍ଡା, ଜ୍ବର ଭଳି ଲକ୍ଷଣ ଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସମସ୍ତଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିବା ସେ କହିଛନ୍ତି। ଅପରାହ୍ନ ୪ଟା ସୁଦ୍ଧା ଶ୍ରୀ ବେହେରା ବାରିପଦା ମଣ୍ଡଳ କାରାଗାରର ୪୦ ଅନ୍ତେବାସୀ କରୋନା ଚିହ୍ନଟ ହେବା ଜାଣିନଥିବା କହିଥିଲେ। ତାଙ୍କ ନିକଟକୁ ଏନେଇ କୌଣସି ଚିଠି କିମ୍ବା ରିପୋର୍ଟ ଆସିନଥିବା ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏହା ସୂଚାଉଛି ଯେ ବାରିପଦା ଜେଲରେ କରୋନାକୁ ପ୍ରତିହତ କରିବା ନିମନ୍ତେ କିପରି ବ୍ୟବସ୍ଥା ରହିଛି।
ମାତ୍ର ଶ୍ରୀ ବେହେରା କହିଛନ୍ତିଯେ ଏଠାରେ କରୋନା ମୁକାବିଲା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। କଏଦୀମାନଙ୍କୁ ଭିଟାମିନ୍-ସି ଔଷଧ ସହିତ ଅନ୍ୟାନ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ମାତ୍ର କରୋନା ଆରମ୍ଭ ହେବା ଦିନରୁ ବାରିପଦା ମଣ୍ଡଳ କାରାଗାରରେ ଏହାର ମୁକାବିଲା ନେଇ କଣ ବ୍ୟବସ୍ଥା ହୋଇଛି ତାହା କେହି ମଧ୍ୟ ଜାଣିନାହାନ୍ତି। କାରାପାଳ ହୁଅନ୍ତୁ ଅବା ଜେଲ୍ ଅଧୀକ୍ଷକ ସବୁ କିଛି ଜେଲ ଉଚ୍ଚା କାନ୍ଥ ମଧ୍ୟରେ ଆବଦ୍ଧ କରି ରଖୁଛନ୍ତି। ଆବଶ୍ୟକତାଠାରୁ ଅଧିକ କଏଦୀ ରହିବା ହିଁ ଦର୍ଶାଉଛି କି ଜେଲରେ ସଂକ୍ରମଣ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଗୋଟିଏ ଦିନରେ ୪୦ଜଣ ଆକ୍ରାନ୍ତ ହେବା ଆଦୌ ଶୁଭ ଲକ୍ଷଣ ନୁହେଁ। କଏଦୀମାନଙ୍କର ସୁରକ୍ଷା ସହିତ ସାଲିସ୍ କରାଯାଉଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Baripada-jail.jpg)