ଝାରସୁଗୁଡ଼ା: ଝାରସୁଗୁଡ଼ାରେ ୪୦ କୋଟି ଟଙ୍କା ବ୍ୟୟରେ ବେଦାନ୍ତ ସହଯୋଗରେ ୨ଟି ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କଲେ। ବିଧାୟିକାଙ୍କଠାରୁ ନେଇ ଜିଲ୍ଲା ପ୍ରଶାସନ ବେଶ୍‌ ବାହାବା ବି ନେଲେ। କିନ୍ତୁ ଏହି ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ରୋଗୀ ଯିବା ବେଳକୁ ସେଠାରେ ଖାଲି କୋଠା ବ୍ୟତୀତ ଆଉ କିଛି ନାହିଁ। ଅନ୍ୟ ପ୍ରକଳ୍ପ ଭଳି ଏହି ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ନାଁରେ ବି ରାଜ୍ୟ ସରକାର ଝାରସୁଗୁଡ଼ାବାସୀଙ୍କୁ ଭୁଆଁ ବୁଲାଉଥିବା ନେଇ ଏବେ ଲୋକେ ଅଭିଯୋଗ କରିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ଡାଇଗ୍ନୋଷ୍ଟିକ୍‌ ସେଣ୍ଟର କେବେ କାର୍ଯ୍ୟକ୍ଷମ ହେବ ତାହାର ଉତ୍ତର ବି କାହା ପାଖରେ ନାହିଁ। ଏନେଇ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଏମ୍‌. ଏମ୍‌. ପଣ୍ଡାଙ୍କୁ ପଚାରିବାରେ ଉକ୍ତ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର ପରିଚାଳନା ଦାୟିତ୍ବ କ୍ରିଷ୍ଣା ନାମକ ଏକ ଘରୋଇ ଏଜେନ୍ସି ନେଇଥିବାରୁ ତାହା କେବେ କାର୍ଯ୍ୟକ୍ଷମ ହେବ ସେ ଜାଣିନଥିବା କହିଛନ୍ତି।

Advertisment

ଝାରସୁଗୁଡ଼ା ସହରର ଅମଲିପାଲିଠାରେ ଓ ଲଇକେରାଠାରେ ବେଦାନ୍ତ ସହଯୋଗରେ ରାଜ୍ୟ ସରକାର ୨ଟି ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ନିର୍ମାଣ କଲେ। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବା ବେଳେ ଗତ ୨୫ ତାରିଖରେ ଏହାର ଉଦ୍‌ଘାଟନ ବି କଲେ। ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିବା ବେଳେ ଏଠାରେ ବିଧାୟିକା ଦୀପାଳି ଦାସ, ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମୟରେ ‘ସ୍ବର୍ଗତ ନବ କିଶୋର ଦାସଙ୍କ ଝାରସୁଗୁଡ଼ା ବିକାଶର ଆଉ ଏକ ସ୍ବପ୍ନ ଆଜି ପୂରଣ ହୋଇଛି ବୋଲି ବିଧାୟିକା ସୁଶ୍ରୀ ଦାସ କହିଥିଲେ। ଏହାସହିତ ଏହି କେନ୍ଦ୍ରରେ ଅତ୍ୟାଧୁନିକ ମେସିନ୍‌ ଲାଗିଲା। ଲୋକେ ସ୍ବଳ୍ପ ଖର୍ଚ୍ଚ‌ରେ ସବୁପ୍ରକାର ପାଥୋଲୋଜି ଓ ରେଡିଓଲୋଜି ପରୀକ୍ଷଣ ସୁବିଧା ଯଥା ରକ୍ତ ପରୀକ୍ଷାଠାରୁ ନେଇ ଅଲଟ୍ରାସାଉଣ୍ଡ, ଏମ୍‌ଆର୍‌ଆଇ ଯାଏ ଲୋକେ ପରୀକ୍ଷା କରାଇପାରିବେ ବୋଲି ଘୋଷଣା କରାଗଲା। କେବଳ ଝାରସୁଗୁଡ଼ା ନୁହେଁ ବରଂ ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ଏହି କେନ୍ଦ୍ରରୁ ସୁବିଧା ପାଇପାରିବେ ବୋଲି କହାଗଲା। ହେଲେ ପ୍ରକୃତ ଚିତ୍ର ଭିନ୍ନ ରହିଛି।

ଲଇକେରାସ୍ଥିତ କେନ୍ଦ୍ରରେ ଏଯାଏ କୋଠାର ନିର୍ମାଣ କାମ ଶେଷ ହୋଇପାରି ନାହିଁ। ଭିତରେ କେବଳ ଗୋଟିଏ ଏକ୍ସ-ରେ ଓ ଗୋଟିଏ ପାଥୋ ମେସିନ୍‌ ରଖି ଦିଆଯାଇଛି। ଭିତରେ ନିର୍ମାଣ କାମ ଶେଷ ହୋଇ ନଥିବାରୁ ମେସିନ୍‌ ଆସିପାରିନଥିବା ସେଠାରେ ଉପସ୍ଥିତ ଲୋକ ମତବ୍ୟକ୍ତ କରୁଛନ୍ତି। ଅମଲିପାଲିସ୍ଥିତ କେନ୍ଦ୍ରରେ ବି ଅନୁରୂପ ଅବସ୍ଥା ରହିଛି। ଅଦ୍ୟାବଧି ୨୦ ପ୍ରତିଶତ ମେସିନ୍‌ ବି ପହଞ୍ଚି ପାରିନଥିବା ବେଳେ କେବଳ ସୁରକ୍ଷା କର୍ମୀ ହିଁ ଏହି ଡାଇଗ୍ନୋଷ୍ଟିକ କେନ୍ଦ୍ରର ପରିଚୟ ପାଲଟିଛନ୍ତି।

ରାଜ୍ୟ ସରକାରଙ୍କ ନିଦାନ ଯୋଜନାର ଠିକା ନେଇଥିବା କ୍ରିଷ୍ଣା ଏଜେନ୍ସିକୁ ଏହି ୨ଟି ଯାକ ଡାଇଗ୍ନୋଷ୍ଟିକ ସେଣ୍ଟରର ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି। ଗୋଟିଏ ପଟେ ଉଦ୍‌ଘାଟନର ୧୫ ଦିନ ପରେ ବି ଡାଇଗ୍ନୋଷ୍ଟିକ କେନ୍ଦ୍ରର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଥିବା ବେଳେ ଆଉ ଗୋଟିଏ ପଟେ ଅଭିଯୋଗ ଘେରରେ ରହୁଥିବା ଏହି କ୍ରିଷ୍ଣା ଏଜେନ୍ସିର ପରିଚାଳନା କେତେ ସଫଳ ହେବ ‌ତାକୁ ନେଇ ମଧ୍ୟ ଝାରସୁଗୁଡ଼ାବାସୀ ଦ୍ବନ୍ଦ୍ବରେ ରହିଛନ୍ତି। ଏହି ଏଜେନ୍ସି, ନିର୍ମାଣ ଆଳରେ ଝାରସୁଗୁଡ଼ାବାସୀଙ୍କୁ ରାଜ୍ୟ ସରକାର ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ ଭଳି ସ୍ବପ୍ନ ଦେଖାଇ ଆସିଥିବା ବେଳେ ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ମଧ୍ୟ ଆଉ ଏକ ଲଲିପପ୍‌ ନୁହେଁ ତ ବୋଲି ଝାରସୁଗୁଡ଼ାବାସୀ ଏବେ ପ୍ରଶ୍ନ କରୁଛନ୍ତି।