ଲେଉଟିଲା‌ ତାତି, ୪୪ ଡିଗ୍ରି ଉପରେ ବଲାଙ୍ଗୀର ଓ ଟିଟିଲାଗଡ଼

୪୦ ଡିଗ୍ରି ଉପରେ ୧୧ ସହରର ତାପମାତ୍ରା

ଭୁବନେଶ୍ବର: ବଲାଙ୍ଗୀରରୁ ବାଲେଶ୍ବର ହେଉ ଅଥବା ଟିଟିଲାଗଡ଼ରୁ ସମ୍ବଲପୁର। କିଛି ଦିନ ବ୍ୟବଧାନରେ ସବୁଠି ଲେଉଟିଛି ତାତି। ଦୁଇଦିନ ହେଲା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ୁଥିବାରୁ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ସାରା ରାଜ୍ୟ। ଗତକାଲି ଟିଟିଲାଗଡ଼ ତାପମାତ୍ରା ୪୨ ଡିଗ୍ରି ରହିଥିବା ବେଳେ ଆଜି ଅଢ଼େଇ ଡିଗ୍ରି ବଢ଼ିଛି। ପୂର୍ବାହ୍ନରୁ ଡହଡହ ତାତିରେ ଅସ୍ତବ୍ୟସ୍ତ ହୋଇଥିଲା ଟିଟିଲାଗଡ଼ ଓ ବଲାଙ୍ଗୀର। ଏଠାକାର ତାପମାତ୍ରା ୪୪.୫ ଡିଗ୍ରିରେ ପହଞ୍ଚିଛି। ଅନୁରୂପ ଭାବେ ବଲାଙ୍ଗୀରର ତାପମାତ୍ରା ବି ୪୪.୧ ଡିଗ୍ରି ଛୁଇଁଛି। ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଛି। ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବା କଥା ହେଉଛି ‌ଯେ ଏଣିକି ତାପମାତ୍ରା ବଢ଼ିବ। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି। ଏହାପରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ତାହାକୁ ଦୃଷ୍ଟିରେ ରଖି ୧୦ତାରିଖଠାରୁ ବାଲେଶ୍ବର, ବରଗଡ଼ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଆଗକୁ ଉପକୂଳରେ ତାତି ବଢ଼ିବ। ବର୍ତମାନ ରାଜ୍ୟକୁ ପଶ୍ଚିମା ଗରମ ପବନ ବହିବା ଆରମ୍ଭ ହେଲାଣି। ୮ ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଭୁବନେଶ୍ବର ତାପମାତ୍ରା ଏକରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୯ ତାରିଖ ଦିନ ପୁଣି ଦେଢ଼ ଡିଗ୍ରି ବଢ଼ିପାରେ। ପୁରୀଠାରୁ ଚାନ୍ଦବାଲିକୁ ସଂଯୋଗ କରୁଥିବା ସରଳରେଖାର ପଶ୍ଚିମ ଭାଗରେ ତାପମାତ୍ରା ବଢ଼ିବ। କେତେକ ଅଞ୍ଚଳରେ ଦୁଇ ଡିଗ୍ରି ବଢ଼ିବାର ଆଶଙ୍କା ରହିଛି। ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ୧୦ ଓ ୧୧ରେ ଗୋଟିଏ ଦୁଇଟି ସ୍ଥାନରେ କାଳ‌ବୈଶାଖୀ ବର୍ଷା ହେବ। ତେଣୁ ତାପମାତ୍ରା କମିବାର ସମ୍ଭାବନା ରହିଛି। ୧୧ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶାରେ ତାପମାତ୍ରା କମିପାରେ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବାଭାବିକ ତାପମାତ୍ରା ଲାଗି ରହିବ। ୧୨ ତାରିଖଠାରୁ ତାପମାତ୍ରା କ୍ରମଶଃ ବଢ଼ିବ। ତେବେ ପୁରୀରୁ ରାଉର‌କଲୋକୁ ସଂଯୋଗ କରୁଥିବା ସରଳରେଖାର ପୂର୍ବ ଭାଗରେ ତାପମାତ୍ରା ଅଧିକ ରହିବ। ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ। ୧୨ ତାରିଖରୁ କ୍ରମଶଃ ବଢ଼ି ୧୫ ତାରିଖରେ ଭୁବନେଶ୍ବର ତାପମାତ୍ରା‌ ୪୨ ଡିଗ୍ରି ହୋଇପାରେ। ପଶ୍ଚିମ ଓଡ଼ିଶାରେ ଗରମ ଜାରି ରହିବ। ଏବେ ସେଠାରେ ଗରମ କମିବାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର