ଭୁବନେଶ୍ବର: ସକାଳ ୯ଟାରୁ ଟାଇଁ ଟାଇଁ ଖରା। ଘରୁ ବାହାରିବା ମୁସ୍କିଲ୍। ରାସ୍ତାଘାଟ ବି ଶୂନଶାନ। କାଁ ଭାଁ ଗାଡ଼ି ଗଡ଼ୁଛି। ଯିଏ ବି ଘରୁ ବାହାରୁଛନ୍ତି, ସାଙ୍ଗରେ ଛତା, ଜୋତା, ଓଦା ଗାମୁଛା ପକାଇ ଯିବା ଆସିବା କରୁଛନ୍ତି। ତା’ ସାଙ୍ଗକୁ ଘନ ଘନ ବିଜୁଳି କାଟ୍। ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ଦୁଇ ଦିନ ହେଲା ସାରା ଓଡ଼ିଶାରେ ଏଭଳି ଅସମ୍ଭାଳ ତାତି ଲାଗି ରହିଛି। ସମ୍ବଲପୁରରୁ ଭୁବନେଶ୍ବର ହେଉ ଅଥବା ମାଲକାନଗିରିରୁ ଚାନ୍ଦବାଲି; ସବୁଠି ପାରଦ ଏବେ ଉପରମୁହାଁ। ଗତକାଲି ୪୦ ଡିଗ୍ରି ତଳେ ଥିବା ଉପକୂଳ ଓଡ଼ିଶାର ତାପମାତ୍ରା ଆଜି ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ସବୁଠି ପାରଦ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଭୁବନେଶ୍ବର ଓ ଚାନ୍ଦବାଲିରେ ତାପମାତ୍ରା ୪୦ ଡିଗ୍ରି ଡେଇଁଛି। କଟକରେ ବି ସମାନ ସ୍ଥିତି। ୧୩ଟି ସହରରେ ପାରଦ ୪୦ ଡିଗ୍ରି ଡେଇଁଥିବା ବେଳେ ସମ୍ବଲପୁର ତାପମାତ୍ରା ପୁଣିଥରେ ୪୫ଡିଗ୍ରି ଛୁଇଁଛି। ଆହୁରି ୩ ଦିନ ଯାଏ ଏଭଳି ତାତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଲାଗି ହିଟ୍ୱେଭ୍ ଜାରି କରାଯାଇଛି। ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଯେତେଦୂର ସମ୍ଭବ ଛାଇରେ ରହିବାକୁ କୁହାଯାଇଛି। ପ୍ରଚୁର ପାନୀୟ ଜଳ ପିଇବା ସହ ଅପରାହ୍ଣ ୪ଟା ଯାଏ ବୟସ୍କ ଓ ପିଲାମାନେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
ଅନ୍ୟପକ୍ଷରେ ୧୫ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶା ତତଲା ତାୱାରେ ସିଝିବ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସଡମା) ୪ ଦିନ ଲାଗି ୧୬୫ ବ୍ଲକକୁ ରେଡ୍ ଆଲର୍ଟ ଓ ୭୧ ବ୍ଲକ ଲାଗି ୟେଲୋ ଆଲର୍ଟ ଜାରି କରିଛି। କୁହାଯାଇଛି ଯେ ୧୫ତାରିଖ ଯାଏ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ପାରଦ ଅପରିବର୍ତ୍ତିତ ରହିବ। ସବୁଠି ୪୨ରୁ ୪୬ ଡିଗ୍ରି ମଧ୍ୟରେ ରହିବ। ତେବେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ପାରଦ ୪୪ ଡିଗ୍ରି ଛୁଇଁବାର ଆଶଙ୍କା ରହିଛି। କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଯାଜପୁର, ବଲେଶ୍ବର, ଗଞ୍ଜାମ, ଭଦ୍ରକର କେତେକ ବ୍ଲକରେ ପାରଦ ୪୩ ଡିଗ୍ରିରେ ପହଞ୍ଚିପାରେ। ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଦେବଗଡ଼, ବରଗଡ଼ ଆଦି ସ୍ଥାନରେ ତାପମାତ୍ରା ସେତେଟା ବଢ଼ିବ ନାହିଁ। ତେଣୁ ଲୋକେ ଏହି ୪ ଦିନ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ଘରୁ ନ ବାହାରିବା, ଖରାରେ ପରିଶ୍ରମ ନ କରିବା, ଦୁର୍ବଳ ଲାଗିଲେ ଡାକ୍ତରଙ୍କ ପରାମର୍ଶ ନେବା, ମଦ୍ୟପାନ ନ କରିବା, ଢ଼ିଲା ହାଲୁକା ପୋଷାକ ପରିଧାନ ପରି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ମୌସୁମୀ ଆଗମନ ବିଳମ୍ବ ହେଉଥିବା ଦେଖି କୃଷି ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କ ଲାଗି ଉପଦେଶ ଜାରି କରାଯାଇଛି। ଜୁନ୍ ୧୭ କିମ୍ବା ୧୮ରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ତେଣୁ ଖାଲ ଓ ପାଟ ଜମିରେ ଧାନର ଖରୁଡ଼ି ବୁଣା ଏହି ସପ୍ତାହ ସୁଦ୍ଧା କରିବାକୁ କୁହାଯାଇଛି। ଏଥିସହ ଆଗକୁ ବର୍ଷା ସମ୍ଭାବନା ଥିବାରୁ ଜମିରେ ପାକଳ ଅବସ୍ଥାରେ ଥିବା ସବୁ ଫସଲ ଅମଳ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରାକ୍ ମୌସୁମୀ ବର୍ଷା ପରେ ମାଟିର ଅବସ୍ଥା ଦେଖି ଖରାଦିନିଆ ହଳ କରିବା ସହ ଅନୁକୂଳ ହେଲେ ସଙ୍ଗେ ସଙ୍ଗେ ସବୁଜ ସାର ବୁଣିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଜୁନ୍ ୧୪ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ୧୫ ତାରିଖଠାରୁ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବ। ୨୦ରୁ ୨୨ ତାରିଖ ମଧ୍ୟରେ ସମଗ୍ର ଓଡ଼ିଶାରେ ମୌସୁମୀ ପ୍ରସାରିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/temp-1.jpg)