ରାଉରକେଲା: କଟକ, ଭୁବନେଶ୍ବର ପରେ ଚିନ୍ତା ବଢ଼ାଉଛି ସ୍ମାର୍ଟସିଟି ରାଉରକେଲା। ଗତ ତିନି ସପ୍ତାହ ତଳେ ରାଉରକେଲା ରେଳବାଇ କଲୋନିରୁ ୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା। ଏବେ ଏହି ସଂଖ୍ୟା ପହଞ୍ଚିଛି ୧୬ରେ। ଇସ୍ପାତ ସହରାଞ୍ଚଳରେ ୮, ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ୍ ୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅବଶ୍ୟ ଆକ୍ରାନ୍ତ ୪୦ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କାହାରି ସ୍ବାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ନଥିବା ଜଣାପଡିଛି।
ଏମାନଙ୍କ ମଧ୍ୟରୁ କିଛି ଡେଙ୍ଗୁରୋଗୀ ସୁନ୍ଦରଗଡ ଓ ରାଉରକେଲା ସରକାରୀ ସହ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରେଳବାଇ କଲୋନିରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇଛନ୍ତି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ। ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇଜଣିଆ କୀଟତତ୍ବବିତ୍ ସୁନ୍ଦରଗଡରେ ପହଞ୍ଚିଛନ୍ତି। ସେମାନେ ଜିଲ୍ଲାରେ ଡେଙ୍ଗୁର ସ୍ଥିତି ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ସୁନ୍ଦରଗଡ ପୌରପାଳିକାରେ ନିର୍ବାହୀ ଅଧିକାରୀଙ୍କ ସହ ସହର ପରିମଳ ବ୍ୟବସ୍ଥା ସଂମ୍ପର୍କରେ ଆଲୋଚନା କରିଛନ୍ତି। ରାତିରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଦୁଇଟି ବ୍ଲକର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି (ବୁଧବାର) ଦୁଇ କୀଟତତ୍ବବିତ୍ ଜିଲ୍ଲାର ୧୯ କୀଟତତ୍ବବିତ୍ଙ୍କ ସହ ସ୍ମାର୍ଟସିଟି ରାଉରକେଲାରେ ପହଞ୍ଚିବେ। ପ୍ରଥମେ ରେଳବାଇ କଲୋନି, ମାଲଗୋଦାମ, ମଧୁସୂଦନପାଲୀ ସମେତ ଇସ୍ପାତ ସହରାଞ୍ଚଳ ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ କିଛି ଲୋକଙ୍କ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ। ପରେ ଆର୍ଏମ୍ସି କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ବିଭିନ୍ନ ୱାର୍ଡ ପରିମଳ ବ୍ୟବସ୍ଥା, ଡେଙ୍ଗୁ ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମିଶ୍ର କହିଛନ୍ତି।
ସେପଟେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ମଧ୍ୟ ଆର୍ଏମ୍ସି ପରିମଳ ବିଭାଗ ପକ୍ଷରୁ କଲୋନି ଓ ବସ୍ତିରେ ମଶା ଧୂଆଁ ଛଡା ଯାଉନଥିବା କଲୋନିବାସୀ ଅଭିଯୋଗ କରିଛନ୍ତି। ବାସନ୍ତୀ କଲୋନି, ଛେଣ୍ଡ କଲୋନି, ସିଭିଲଟାଉନସିପ୍ ସମେତ ସହର ପ୍ରମୁଖ ବଜାରରେ ମଶା ଧୂଆଁ ଛଡା ଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ଡ୍ରେନ୍, ନାଳିରେ କେମିକାଲ ସିଞ୍ଚନ ହେଉନି। ସହରର ପ୍ରମୁଖ ଡ୍ରେନ୍ ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡିଥିବାରୁ କେବଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉ ନାହିଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/b01acd11-6c24-4bef-9f40-9cfb3a21ced3.jpg)