କାର ଋଣ ସୁଝି ନପାରିବାରୁ ସିଲ ହେଲା ୪୦ ଡିସିମିଲ ଜମି

ବାଲିଅନ୍ତା: ଏକ ଘରୋଇ ବ୍ୟାଙ୍କରୁ ଋଣ ଆଣି କିସ୍ତି ଟଙ୍କା ସୁଝିନପାରିବାରୁ ଆଜି ପ୍ରତାପଶାସନ ରାଜସ୍ବ କାର୍ଯ୍ୟାଳୟ ଅଧୀନ ମାଳଭୋଇସାହି ନିକଟରେ ଥିବା ଜଣେ ଋଣ ଗ୍ରହୀତାଙ୍କର ବନ୍ଧକ ଜମି ସିଲ କରାଯାଇଛି। ଉକ୍ତ ଜମିରେ ବ୍ୟାଙ୍କ ନାଲି ପତାକା ମାରିଛି। କୋର୍ଟ ନିର୍ଦ୍ଦେଶ ବଳରେ ଆଜି ପୂର୍ବାହ୍ନରେ ବ୍ୟାଙ୍କ କାର୍ଯ୍ୟକର୍ତ୍ତା, ରାଜସ୍ବ ନିରୀକ୍ଷକ ସାରଦା ପତି, ଦିଲ୍ଲୀପ କୁମାର ରାଉଳ ପ୍ରମୁଖ ପହଞ୍ଚି ଉକ୍ତ ଜମି ସିଲ କରିଥିଲେ। ଜମି ସିଲ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେନେଇ ଜୋନ- ୪ ଏସିପି ପରେଶ କୁମାର ରାଉତ ଓ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ନେତୃତ୍ବରେ ୧ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲଲେ।

ସୂଚନା ଅନୁସାରେ ପ୍ରତାପଶାସନ ଗ୍ରାମର ବ୍ରହ୍ମାନନ୍ଦ ପଣ୍ଡା ନାମକ ଜଣେ ବ୍ୟକ୍ତି ଏକ ଘରୋଇ ବ୍ୟାଙ୍କରେ ତାଙ୍କର ମାଳଭୋଇ ସାହି ନିକଟରେ ଥିବା ୪୦ ଡିସିମିଲ ପରିମିତ ଜମି ବନ୍ଧକ ରଖି କାର କିଣିଥିଲେ। ହେଲେ ନିଦ୍ଧାରିତ ସମୟରେ ବ୍ୟାଙ୍କରେ କିସ୍ତି ବାବଦ ଟଙ୍କା ପୈଠ କରି ପାରିନଥିଲେ। ନିୟମିତ ଭାବେ ମାସିକ କିସ୍ତି ଖିଲାପ କରିବାରୁ ବ୍ରହ୍ମାନନ୍ଦଙ୍କୁ ବ୍ୟାଙ୍କ ବାରମ୍ବାର ନୋଟିସ ପଠାଇଥିଲା। ଏହା ସତ୍ତ୍ବେ ମଧ୍ୟ ବ୍ରହ୍ମାନନ୍ଦ ଟଙ୍କା ପରିଶୋଧ ନକରିବାରୁ ବ୍ୟାଙ୍କ ଉକ୍ତ କାରକୁ ଜବତ କରି ନିଲାମ କରି ଦେଇଥିଲା। ଅବଶିଷ୍ଟ ଟଙ୍କା ପାଇବା ପାଇଁ ବ୍ୟାଙ୍କ ବ୍ରହ୍ମାନନ୍ଦଙ୍କୁ ପୁଣି ନୋଟିସ ଜାରି କରିଥିଲା। ହେଲେ ବ୍ରହ୍ମାନନ୍ଦ ଋଣ ସୁଝିବା ବଦଳରେ ଜମି ବିକିବାକୁ ଯୋଜନା କରିଥିଲେ। ଖବର ପାଇବା ପରେ ହାଇ କୋର୍ଟ ନିର୍ଦ୍ଦେଶରେ ଆଜି ବ୍ରହ୍ମାନନ୍ଦଙ୍କର ଉକ୍ତ ଜମିକୁ ସିଲ କରାଯାଇଥିଲା।

ସମ୍ବନ୍ଧିତ ଖବର