କୁଶଭଦ୍ରାରେ ୪୦ ଫୁଟ୍‌ର ଘାଇ, ଗୋପର ୭ ପଞ୍ଚାୟତରେ ବନ୍ୟାର ତାଣ୍ତବ

ଗୋପ : ମହାନଦୀରେ ପାଣି ବଢ଼ିବା ସହିତ ତାଳଦେଇ ଏହାର ଶାଖା କୁଶଭଦ୍ରା ନଦୀ ପୁରୀ ଜିଲ୍ଲାରେ ଭୟଙ୍କର ରୂପ ନେଇଛି। ଆଜି ଭୋର ପ୍ରାୟ ୪ଟାରେ ଗୋପ ବ୍ଲକ୍‌ ଅନ୍ତର୍ଗତ ନାଗପୁର ପଞ୍ଚାୟତର ଷୋଳପୁରଠାରେ କୁଶଭଦ୍ରାରେ ଏକ ୪୦ ଫୁଟ୍‌ର ଘାଇ ସୃଷ୍ଟି ହୋଇ ଗୋପ ବ୍ଲକ୍‌ର ୭ଟି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି। ଏହି ଘାଇ ଦେଇ ଜୋର୍‌ରେ ପ୍ରବେଶ କରୁଥିବା ବନ୍ୟା ଜଳ ଏବେ ଗୋପ ବ୍ଲକ୍‌ର ଗଣେଶ୍ବରପୁର, ନାଗପୁର, ଡଭାର, ରାହାଙ୍ଗରଡ଼ା, ନୂଆଖୋଲମରା, ଅଣ୍ଢରା ଇଚ୍ଛାପୁର ଓ ବେଦପୁରର ଖଣ୍ତିଆକୁଦରେ ତାଣ୍ତବ ରଚିଛି।

ସୂଚନା ଅନୁସାରେ, ଘାଇ ଭାଙ୍ଗିବା ପରେ ଖଣ୍ତିଆକୁଦଠାରେ ଥିବା ବେହେରା ସାହିରର ପାଖାପାଖି ୨୦ ପରିବାର ନଦୀବନ୍ଧ ଉପରକୁ ଚାଲିଯାଇଥିଲେ। ତେବେ, ଘାଇ ସୃଷ୍ଟି ହେବାପରେ ପ୍ରଶାସନ ଅଧିକାରୀମାନେ ସେଠାରେ ବିଳମ୍ବରେ ପହଞ୍ଚିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଭୋର୍‌ରୁ ଘାଇ ଭାଙ୍ଗିଥିଲେ ମଧ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରି ନାହିଁ। ନଦୀବନ୍ଧ ଉପରେ ଥିବା ୨୦ରୁ ଅଧିକ ପରିବାରକୁ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଯୋଗାଯୋଗ ମଧ୍ୟ ହୋଇ ନଥିବା ବେହେରା ସାହିର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର