ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟର ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଓ ତାଲିମ ପ୍ରତିଷ୍ଠାନ(ପିଆର୍‌ଆଇଡିଇ) ପକ୍ଷରୁ ୧୨ଟି ଦେଶର ସଂସଦରେ ସଚିବ ଓ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ଥିବା ୪୦ଜଣ ପ୍ରତିନିଧି ବିଧାନସଭା ସଚିବାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତୁର୍କମେନିସ୍ତାନର ସଦସ୍ୟଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ସେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବାଚସ୍ପତି ସୁରମା ପାଢ଼ୀ ବୈଠକକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବାଚସ୍ପତି ଉପସ୍ଥିତ ପ୍ରତିନିଧିଙ୍କ ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବାଚସ୍ପତି କହିଥିଲେ, ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ସର୍ବଶ୍ରେଷ୍ଠ। ଚଳିତ ୧୭ତମ ବିଧାନସଭାର ପ୍ରଥମ ବର୍ଷରେ ମୋଟ ୬୨ଦିନ ଅଧିବେଶନ କାର୍ଯ୍ୟ ଦିବସ ସମ୍ପାଦନ କରିବା ପାଇଁ ସକ୍ଷମ ହୋଇପାରିଛି। ଏହାବାଦ୍ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଇଜେସନ୍ ଓ କମ୍ପ୍ୟୁଟରୀକରଣ କରାଯାଇଛି। ‘ନେଭା’ ପ୍ରକଳ୍ପ ଦ୍ୱାରା ସମସ୍ତ କାର୍ଯ୍ୟକୁ କାଗଜ ଶୂନ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି। 

Advertisment

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓଡ଼ିଶା ବିଧାନସଭାର ବିଧି ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସଂସଦୀୟ ଓ ସାଂସ୍କୃତିକ ପରମ୍ପରାର ଆଦାନପ୍ରଦାନ କାର୍ଯ୍ୟକ୍ରମ ଆହୁରି ନିବିଡ଼ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସାଂସଦ ସୁଜିତ କୁମାର ଭାରତୀୟ ସଂସଦୀୟ ପରମ୍ପରା ଓ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ।  କାର୍ଯ୍ୟକ୍ରମରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଗବେଷଣା ବିଭାଗର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ତ୍ରିବିକ୍ରମ ପ୍ରଧାନ, ପିଆର୍‌ଆଇଡିଇର ନିର୍ଦ୍ଦେଶକ ପ୍ରଶାନ୍ତ ମଲ୍ଲିକ ଓ ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ।